ପୁଣି ପ୍ରାଣ ହରାଇଲେ ୪ ଆକ୍ରାନ୍ତ, ରାଜ୍ୟରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୭୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୪ ଜଣଯାକ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ପୁରୁଷ ବୋଲି ଜଣାଯାଇଛି। ସେମାନଙ୍କ ବୟସ ଯଥାକ୍ରମେ ୩୨, ୪୧, ୪୮ ଓ ୫୮। ୪୧ ବର୍ଷିୟ ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ୪୮ ବର୍ଷୀୟ ବ୍ୟକ୍ତି ଓ ୩୨ ବର୍ଷୀୟ ଯୁବକ ପୂର୍ବରୁ ମଧୁମେହରେ ପୀଡ଼ିତ ଥିଲେ ବୋଲି ଜଣାଯାଇଛି।

ଏହା ଫଳରେ ସମଗ୍ର ରାଜ୍ୟରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଲାଣି। କଟକରେ ଏହି ସଂଖ୍ୟା ୫ ହୋଇଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ, ବରଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଯାଜପୁର, ଗଜପତି, ରାୟଗଡ଼ା, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟଙ୍କର ମୃତ୍ୟୁ ହୋଇଛି।
କରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡ଼ିତ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଏବେ ରାଜ୍ୟରେ ମୋଟ୍ ୭୪୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୭୬ ରହିଛି ।

ସମ୍ବନ୍ଧିତ ଖବର