ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପୁଣି ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବହୁଳ ସଂକ୍ରମଣ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ୧୪ଦିନ ଲାଗି ଲକ୍ଡାଉନ୍ ଘୋଷଣା କରିଛନ୍ତି।
ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟବାସୀଙ୍କୁ ଏହି ନିଷ୍ପତ୍ତି ସଂପର୍କରେ ଅବଗତ କରିଛନ୍ତି। ମୁଖ୍ୟଶାସନ ସଚିବଙ୍କ ଘୋଷଣା ଅନୁସାରେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାକୁ ଆସନ୍ତା ୧୪ ଦିନ ଯାଏଁ ଲକଡାଉନ୍ ରଖାଯିବ। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ହୋଇଥିବାରୁ ଏହାକୁ ମଧ୍ୟ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସବୁ ଅଞ୍ଚଳ ୧୭ ତାରିଖ ରାତି ୯ଟା ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ‘ଲକ୍ଡାଉନ୍’ ରହିବ। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରୁ ୬୬ ପ୍ରତିଶତ ସଂକ୍ରମଣ ଚିହ୍ନଟ ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ।
/sambad/media/post_attachments/wp-content/uploads/2020/07/chief-press-meet-300x172.jpg)
ଏହି ଲକ୍ଡାଉନ୍ ସମୟରେ ଜନସାଧାରଙ୍କ ଚଳପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଦୋକାନବଜାର, ଅଫିସ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ବି ବନ୍ଦ ରହିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଅଫିସଗୁଡ଼ିକ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ସେହିପରି ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିବ। କେବଳ ପୁଲିସ, ଅଗ୍ନିଶମ, ବିପର୍ଯ୍ୟୟ ପରିଚାଳନା, ଜଳଯୋଗାଣ, ପରିମଳ, ବିଦ୍ୟୁତ ସରବରାହ ଓ ଅନ୍ୟ ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା କାର୍ଯ୍ୟାଳୟ ଚାଲୁ ରହିବ ଓ ଏଥିସହ ଜଡ଼ିତ କର୍ମଚାରୀ ଯାତାୟତ କରିପାରିବେ। ତେବେ, ଲକ୍ଡାଉନ୍ ଅବଧି କାଳରେ ଏହି ଚାରି ଜିଲ୍ଲା- ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲାକୁ ବାହାର ଜିଲ୍ଲାରୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ଏହି ଚାରି ଜିଲ୍ଲାରୁ କେହି ଜିଲ୍ଲା ବାହାରକୁ ଯାଇପାରିବେ ନାହିଁ।
ଅନ୍ୟପକ୍ଷରେ ଏହି ଲକ୍ଡାଉନ୍ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ, ଔଷଧ ଦୋକାନ ଖୋଲା ରହିବ। ସେହିପରି ରନ୍ଧନ ଗ୍ୟାସ ଯୋଗାଣ ଓ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ। ଅନ୍ୟପକ୍ଷରେ ତେଜରାତି ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ, ମାଛ-ମାଂସ ଦୋକାନ ଲକ୍ଡାଉନ୍ ସମୟରେ ସବୁଦିନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିସହିତ ଏସବୁ ସାମଗ୍ରୀର ହୋମ୍ଡେଲିଭରିକୁ ମଧ୍ୟ ଅନୁମତି ରହିଛି। ଜିନିଷ ପତ୍ର ଯୋଗାଣରେ ଯେପରି ବାଧା ନଉପୁଜିବ ସେଥିଲାଗି ମାଲବାହୀ ଗାଡ଼ିର ପରିବହନକୁ ଅନୁମତି ଦିଆଯାଇଛି। ଏଥିସହ ବିଭିନ୍ନ ରାସ୍ତପାର୍ଶ୍ୱରେ ଟ୍ରକ୍ ଚାଳକଙ୍କ ପାଇଁ ଢ଼ାବା ଓ ହୋଟେଲ ଖୋଲା ରହିବ। କିନ୍ତୁ ଏହି ଢ଼ାବା ହୋଟେଲରେ ଲୋକେ ବସି ଖାଇ ପାରିବେ ନାହିଁ, କେବଳ ପାର୍ସଲରେ ଖାଦ୍ୟ ନେଇ ପାରିବେ।
ଲକ୍ଡାଉନ୍ ସମୟରେ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀ, ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀ ଏବଂ ମୁଦ୍ରିତ ଓ ଇଲେକଟ୍ରୋନିକ୍ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀ ପାସ୍ ଦେଖାଇ ଯାତାୟତ କରି ପାରିବେ। ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନ୍କୁ ଯିବା ଆସିବା ଲାଗି ଓଲା ଓ ଉବର ଓ ଅନ୍ୟପରିବହନକୁ ଅନୁମତି ଦିଆଯାଇଛି।
ଯଦିଓ ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ନିଜସ୍ୱ ଜିଲ୍ଲା ଓ ସହର ଲାଗି କୋଭିଡ କଟକଣା ନେଇ ନିଷ୍ପତ୍ତି ନେଉଥିଲେ, କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଏହି ଜିଲ୍ଲା ଲାଗି ନିଷ୍ପତ୍ତି ନେବେ। ଯଦି ଏହି ଲକ୍ଡାଉନ୍ ନିୟମ ସହିତ ଅନ୍ୟ କିଛି ନିୟମ ଲାଗୁ କରନ୍ତି ତେବେ ତାହା ବଳବତ୍ତର ରହିବ। ଏହି ୧୪ଦିନ ମଧ୍ୟରେ ଏହି ୪ ଜିଲ୍ଲା ଓ ରାଉରକେଲ ମହାନଗରରେ ଲକ୍ଷଣ ଥିବା ରୋଗୀଙ୍କୁ ଚିିହ୍ନଟ କରାଯିବା ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯିବା ସହ ସ୍କ୍ରିନିଂ ଓ ଟେଷ୍ଟିଂକୁ ବ୍ୟାପକ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/lockdowntodaynews-16_Thumb-1.jpg)