ଭଦ୍ରକ ଜିଲ୍ଲାରେ ୪ ଡାକ୍ତର କରୋନା ଆକ୍ରାନ୍ତ

ଭଦ୍ରକ : ଗତ ତିନି ଦିନ ଭିତରେ ଭଦ୍ରକ ଜିଲ୍ଲାରୁ ୪ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ଯୋଦ୍ଧା ଆକ୍ରାନ୍ତ ହେବା ଘଟଣାକୁ ନେଇ ଭଦ୍ରକ ଜିଲ୍ଲାରେ ଆତଙ୍କ ଖେଳିଛି। ଏହି ଡାକ୍ତରଙ୍କର ସ୍ବାବ ଟେଷ୍ଟ ରିପୋର୍ଟରୁ ସେମାନେ କରୋନା ପଜେଟିଭ୍ ଥିବା ଜଣାପଡିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପ୍ରଥମ ଦିନରେ ଦୁଇ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହେବା ଜଣାପଡିବା ପରେ ଜିଲ୍ଲା ମୁଖ୍ୟ ମେଡିକାଲର ଓପିଡିକୁ ୪୮ ଘଣ୍ଟା ପାଇଁ ସିଲ୍ କରିଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମା‌ର ପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଇ ନିର୍ଦ୍ଦେଶ ପରେ ଗତ ଦୁଇ ଦିନ ହେଲା ଭଦ୍ରକ ମେଡିକାଲର ଓପିଡିକୁ ସିଲ୍‌ କରାଯାଇଥିଲା। ପୁଣି ଗତକା‌ଲି ଓ ଆଜି ଆଉ ଦୁଇ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହେବା ପରେ ଭଦ୍ରକ ମେଡିକାଲକୁ ଯିବା ପାଇଁ ରୋଗୀ ଏବେ ଭୟ କରୁଛନ୍ତି।

Twitter

ପୂର୍ବରୁ ଭଦ୍ରକ ମେଡିକଲରେ କିଛି କର୍ମଚାରୀ ଓ ନର୍ସ କରୋନାରେ ଆକ୍ରାନ୍ତ ହୋଇଥିଲେ। ଭଦ୍ରକ ମେଡିକାଲରେ ବାରମ୍ୱାର କରୋନା ଆକ୍ରାନ୍ତ ବାହାରୁଥିବାରୁ ଏହାକୁ ନେଇ ଭଦ୍ରକ ମେଡିକାଲ ପରିସରରେ ଯାଞ୍ଚ କଡାକଡି କରାଯାଇଛି। ଯେଉଁ ଲୋକମାନେ ମେଡିକାଲକୁ ରୋଗୀ ନେଇ ଆସୁଛନ୍ତି। ସେମାନଙ୍କ ସଂପର୍କୀୟ ଓ ରୋଗୀଙ୍କର ଥର୍ମାଲ ଟେଷ୍ଟ କରାଯାଉଛି। ଥର୍ମାଲ ଟେଷ୍ଟ କରାଯିବା ପରେ ସେମାନଙ୍କର ଦେହର ଟେମ୍ପରଚେର ଠିକ୍ ରହିଥିଲେ ସେମାନଙ୍କୁ ମେଡିକାଲ ଭିତରକୁ ଛଡାଯାଉଛି। ସେହିପରି ଯେଉଁସବୁ ୱାର୍ଡରୁ କରୋନା ଆକ୍ରାନ୍ତ ବାହାରୁଛନ୍ତି ସେହି ୱାର୍ଡକୁ ସିଲ୍ କରାଯାଉଛି। ଏହା ଭିତରେ ମଧ୍ୟ କିଛି କର୍ମଚାରୀ ନିଜର କ୍ବାରେଣ୍ଟାଇନ୍ ଅବଧି ଶେଷ କରି ପୁଣି କାର୍ଯ୍ୟରେ ଯୋଗଦେଇଛନ୍ତି। ତେବେ ଭଦ୍ରକ ମେଡିକାଲରେ ରୋଗୀମାନଙ୍କୁ ଧରି ମେଡିକାଲ ଆସୁଥିବା ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାକ୍ସ ପିନ୍ଧି ଆସିବାକୁ ବାଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର