ଢେଙ୍କାନାଳ : ପୋଖରୀରେ ବୁଡ଼ି ୪ ଭାଇଭଉଣୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ପଞ୍ଚାୟତର ବାରବାଙ୍କ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ପୂର୍ବାହ୍ଣରେ ଗୋଟିଏ ପରିବାରର ୪ ଭାଇଭଉଣୀ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ପ୍ରାଣ ହରାଇଛନ୍ତି। ବାରବାଙ୍କ ସାହିର ତ୍ରୈଲୋକ୍ୟ ଦେହୁରୀ, ପତିତ ଦେହୁରୀ ଓ ଜିତେନ୍ଦ୍ର ଦେହୁରୀ ତିନି ଭାଇ। ତ୍ରୈଲୋକ୍ୟଙ୍କ ଝିଅ ତୃପ୍ତିମୟୀ(୧୬), ପତିତଙ୍କ ଝିଅ ତୃପ୍ତିବାଳା (୧୩) ଓ ପୁଅ ରାଜେଶ (୧୦) ଏବଂ ଜିତେନ୍ଦ୍ରଙ୍କ ପୁଅ ନେହାଲ୍ (୮) ଆଜି ୧୧ଟା ସମୟରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଘଣ୍ଟାଏ ପରେ ମଧ୍ୟ ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପୋଖରୀରେ ତୃପ୍ତିମୟୀଙ୍କ ଶବ ପାଣିରେ ଭାସୁଥିବା ଦେଖିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ୪ ଭାଇଭଉଣୀଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକେ ସେମାନଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତ ତୃପ୍ତିମୟୀ ଯୁକ୍ତ ଦୁଇରେ ପଢୁଥିଲାବେଳେ ତୃପ୍ତିବାଳା ଅଷ୍ଟମ, ରାଜେଶ ଚତୁର୍ଥ ଓ ନେହାଲ୍‌ ତୃତୀୟ ଶ୍ରେଣୀରେ ପଢୁଥିଲେ।

ସମ୍ବନ୍ଧିତ ଖବର