ନଦୀରେ ବୁଡ଼ି ପରିବାରର ୪ ମୃତ

ପାତ୍ରପୁର/ଇଛାପୁର, : ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଇଛାପୁର ମଣ୍ଡଳ ଭିର୍ଲିଙ୍ଗ ଗ୍ରାମରେ ଆଜି ସନ୍ଧ୍ୟାରେ ଘଟିଛି ଦୁଃଖଦ ଘଟଣା। ଗ୍ରାମ ନିକଟ ବାହୁଦା ନଦୀରେ ବୁଡ଼ି ଗୋଟିଏ ପରିବାରର ୪ଜଣ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ମାଆ ଓ ଦୁଇ ଝିଅ ରହିଛନ୍ତି। ଜଣେ ବୁଡ଼ି ଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ ଜଣ ବୁଡ଼ି ପ୍ରାଣ ହରାଇଛନ୍ତି। ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ମୃତକ ମାନେ ହେଲେ ସୀତାରାମଙ୍କ ପତ୍ନୀ ଦିଲ୍ଲାମ୍ମା (୩୩), ତାଙ୍କ ୧୩ ବର୍ଷ ଝିଅ ଗୀତାଞ୍ଜଳି, ରାଜାଶ୍ୟାମଙ୍କ ପତ୍ନୀ କମଳମ୍ମା ଏବଂ ତାଙ୍କ ୧୦ ବର୍ଷର ଝିଅ ଗାୟତ୍ରୀ। ଏ ସମସ୍ତେ ରେଡିକ୍କା ସମ୍ପ୍ରଦାୟର ବୋଲି ଜଣାପଡିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭିର୍ଲିଙ୍ଗ ଗ୍ରାମର ସୀତାରାମ ଓ ରାଜାଶ୍ୟାମ ଦୁଇ ଭାଇ। ସୀତାରାମଙ୍କ ପତ୍ନୀ ଦିଲ୍ଲାମ୍ମା ଏବଂ ରାଜା ଶ୍ୟାମଙ୍କ ପତ୍ନୀ କମଳମ୍ମା ଗ୍ରାମ ନିକଟସ୍ଥ ବାହୁଦା ନଦୀକୁ ଆଜି ସନ୍ଧ୍ୟାରେ ଲୁଗା ସଫା କରିବାକୁ ଯାଇଥିଲେ। ତାଙ୍କ ସହିତ ଦୁଇ ଝିଅ ମଧ୍ୟ ଯାଇଥିଲେ। ଦୁଇ ମାଆ ନଦୀ କୂଳରେ ବସି ଲୁଗା ସଫା କରୁଥିବା ବେଳେ ଦୁଇ ଝିଅ ନଦୀ‌ରେ ଗାଧୋଉଥିଲେ। ହଠାତ୍‌ ରାଜାଶ୍ୟାମଙ୍କ ଝିଅ ଗାୟତ୍ରୀ ନଦୀ‌ ସ୍ରୋତରେ ଭାସି ଯାଇଥିଲେ। ନିକଟରେ ଗାଧୋଉଥିବା ଭଉଣୀ ଗୀତାଞ୍ଜଳି ତାଙ୍କୁ ବଞ୍ଚାଇବାକୁ ଯାଇ ସେ ବି ଭାସି ଯାଇଥିଲେ। ଦୁଇ ଭଉଣୀ ଭାସି ଯାଉଥିବା ଦେଖି ଦୁଇ ମାଆ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀ ସୁଅରେ ଭାସି ଯାଇଥିଲେ। ନଦୀ ସ୍ରୋତରେ ସେମାନେ କମଶାଳରେବୁ ଗଣ୍ଡ ପର୍ଯ୍ୟନ୍ତ ପଳାଇ ଯାଇଥିଲେ। ୪ଜଣ ଭାସି ଯାଉଥିବା ବେଳେ ଟି.ବ୍ରହ୍ମପୁର ଗ୍ରାମ ଲୋକମାନେ ଦେଖି କମଶାଳରେବୁ ନିକଟରେ ସମସ୍ତଙ୍କୁ ଉଦ୍ଧାର କରି ଇଚ୍ଛାପୁର ମେଡିକାଲକୁ ନେଇଥିଲେ। ମେଡିକାଲରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର