ବୋଇତ ଭସାଣ ବେଳେ ଅଘଟଣ : ଭାସିଗଲେ ୪ ନାବାଳକ

ଜଳେଶ୍ବର/ଆନନ୍ଦପୁର/ବୈପାରୀଗୁଡ଼ା : ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ଚାରିଆଡ଼େ ଉତ୍ସବ ଓ ହର୍ଷଉଲ୍ଲାସର ମାହୋଲ ମଧ୍ୟରେ ରାଜ୍ୟର ୩ଟି ସ୍ଥାନରେ ଅଘଟଣ ଘଟି ୪ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି।

ସେମାନଙ୍କ ମଧ୍ୟରେ ରହିଛଛନ୍ତି ଜଳେଶ୍ବର ଥାନା କୋଟସାହି ପଞ୍ଚାୟତ ଗୋବର୍ଦ୍ଧନପୁର ଗ୍ରାମର ଚିତ୍ରା ସିଂଙ୍କ ୧୧ ବର୍ଷର ପୁଅ ସୁମନ ଓ ଶ୍ରୀପତି ନାଥଙ୍କ ୧୨ ବର୍ଷର ପୁଅ ପଙ୍କଜ। ଖବର ଲେଖାହେବା ବେଳକୁ ନଦୀରେ ଖୋଜାଖୋଜି ଚାଲିଥିଲେ ମଧ୍ୟ ନିଖୋଜ ଦୁଇ ନାବାଳକଙ୍କ ସନ୍ଧାନ ମିଳିନାହିଁ।

ସୂଚନା ଅନୁସାରେ, ସୁମନ ଓ ପଙ୍କଜ ଗୋବର୍ଦ୍ଧନପୁର ପ୍ରାଥମିକ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ନ୍ତି। ଆଜି ସକାଳ ପ୍ରାୟ ୭ଟା ବେଳେ ଦୁଇ ସାଙ୍ଗ ଗୋବର୍ଦ୍ଧନପୁର ଫେରିଘାଟରୁ ଯାତ୍ରୀବାହୀ ଡଙ୍ଗାରେ ନଦୀ ଆରପଟରେ ଥିବା ବେଲି ଦାରିବୁଢ଼ୀ ଘାଟକୁ ବୋଇତ ବନ୍ଦା‌ଣ ଦେଖିବାକୁ ଯାଇଥିଲେ। ସେଠାରେ ବୋଇତ ବନ୍ଦାଣ ସରିବା ପରେ ନଦୀରେ ଭାସୁଥିବା ବୋଇତରୁ ଟଙ୍କା ବା କଏନ ଗୋଟାଇବା ପାଇଁ ଦୁଇ ସାଙ୍ଗ ନଦୀ ଭିତରକୁ ଓହ୍ଲାଇଥିବା ଅନୁମାନ କରାଯାଉଛି। ଏହାର କିଛି ସମୟ‌ ପରେ ସେମାନଙ୍କୁ ଦେଖିବାକୁ ମିଳିନଥିଲା। ସେମାନଙ୍କ ଜୋତା ନଦୀକୂଳରେ ଥିବା ବେଳେ ସେମାନଙ୍କୁ ଦେଖିବାକୁ ନପାଇ ସ୍ଥାନୀୟ ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଖବରପାଇ ବସ୍ତା ଓ ଜଳେଶ୍ବରରୁ ଦମକଳ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ସୁମନ ଓ ପଙ୍କଜଙ୍କ ପତ୍ତା ମିଳିନାହିଁ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଜଳସୁଆଁ ପଞ୍ଚାୟତ ନୟାଗଡ଼ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବା ବେଳେ ଅଘଟଣ ଘଟିଛି। ନିକଟସ୍ଥ କୁଶେଇ ନଦୀର ଗଣ୍ତ ଘାଟରେ ବୁଡ଼ି ସେହି ଗ୍ରାମର ଜଣେ ୯ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଚିତ୍ତର˚ଜନ ରାଉତଙ୍କ ପୁଅ ଶୁଭମ।

ସେହିଭଳି, କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଦିଗାପୁର ପଞ୍ଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମରେ ବୋଇତ ଭସାଇବା ବେଳେ ନଦୀରେ ବୁଡି ୬ ବର୍ଷର ନାବାଳକ ମୃତ୍ୟୁବରଣ କରିଛନ୍ତି। ମୃତ ନାବାଳକ ପୂଜାରୀଗୁଡ଼ା ଗ୍ରାମର ଶଶାଙ୍କ ଶେଖର ଦାସଙ୍କ ପୁଅ ଆଦର୍ଶ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର