ପୋଖରୀରେ ୪ ବୁଡ଼ିଗଲେ : ଅଟ୍ରୀରେ ଦୁଇ ଶିଶୁ, ଗୁଣ୍ଡୁରାସାହିରେ ଦୁଇ ମହିଳା

ଅଟ୍ରୀରେ ଦୁଇ ଶିଶୁ

ଖୋର୍ଧା/ବେଗୁନିଆ : ଖୋର୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ବାଘମାରୀ ପଞ୍ଚାୟତ ଅଟ୍ରୀ ଗ୍ରାମର ଦୁଇ ଜଣ ଶିଶୁଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ଆଣିଛି। ସୂଚନାନୁଯାୟୀ, ଗ୍ରାମର ରମେଶ କୁମାର ବେହାରାଙ୍କ ଝିଅ ଆରୁସୀ(୩) ଏବଂ କାହ୍ନ ଚରଣ ବେହେରାଙ୍କ ଝିଅ ପୁଷ୍ପାଞ୍ଜଳି (୩) ଆଜି ସକାଳେ କାହ୍ନଙ୍କ ଜେଜେମାଙ୍କ ସାଥିରେ ଗ୍ରାମ ନିକଟ ମାଟି ଗାଡ଼ିଆ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ପିଲା ଦୁଇଟିକୁ ପୋଖରୀ ହୁଡ଼ାରେ ବସାଇ ଜେଜେମା ଶୌଚ ହେବା ପାଇଁ ଯାଇଥିଲେ। ତେବେ ସେ ଫେରିବା ପରେ ଶିଶୁ ଦୁଇଟିକୁ ନ ପାଇ ଡାକ ପକାଇଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପୋଖରୀରେ ଖୋଜାଖୋଜି କରିବାରେ ଶିଶୁଦ୍ୱୟକୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ସେମାନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଖୋର୍ଦ୍ଧା ଚିକିତ୍ସାଳୟରେ ଶିଶୁକନ୍ୟା ଦ୍ୱୟଙ୍କ ଶବ ବ୍ୟବଚ୍ଛେଦ୍ଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଗୁଣ୍ଡୁରାସାହିରେ ଦୁଇ ମହିଳା

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଜାକେଡ଼ା ପଞ୍ଚାୟତ ଗୁଣ୍ଡୁରାସାହି ଗାଁ ପୋଖରୀରେ ବୁଡ଼ି ଆଜି ଦୁଇ ମହିଳାଙ୍କର ମୃତ୍ୟୁ ଖବର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଖବରରୁ ପ୍ରକାଶ, ଗୁଣ୍ଡରାସାହିର ଦନାର୍ଦ୍ଦନ ଜାନୀଙ୍କ ସ୍ତ୍ରୀ ସୁଷମା ଘର କାମ ସାରି ଗାଁ ମୁଣ୍ଡ ପୋଖରୀକୁ ନିଜର ଦୁଇପୁଅ ଦେବାନନ୍ଦ ଓ ପ୍ରେମାନନ୍ଦଙ୍କୁ ଧରି ଗାଧୋଇବାକୁ ଯାଇଥିଲେ। ପୋଖରୀରେ ପହଞ୍ଚି ଦୁଇ ପିଲାଙ୍କୁ ଗାଧୋଇବା ସମୟରେ ଗାଁର ଗୋବିନ୍ଦ ଜାନୀଙ୍କ ସ୍ତ୍ରୀ ବାସନ୍ତୀ ସେଠାରେ ପହଞ୍ଚିଥିଲେ। ସୁଷମା ବଡ଼ ପୁଅକୁ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଉଭୟ ମାଆ-ପୁଅ ଗଭୀର ପାଣିକୁ ପଶିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ବାସନ୍ତୀ ପୋଖରୀକୁ ପଶିଥିଲେ। ବାସନ୍ତୀ ଶିଶୁପୁତ୍ରକୁ ଉଦ୍ଧାର କରିବା ପରେ ସୁଷମାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ତେବେ ସେ ମଧ୍ୟ ସୁଷମାଙ୍କ ସହ ବୁଡ଼ି ଯାଇଥିଲେ। ଉଭୟ ଧରାଧରି ହୋଇ ବୁଡ଼ୁଥିବା ଦେଖି ସୁଷମାଙ୍କ ଦୁଇ ପୁଅ ଚିତ୍କାର କରିଥିଲେ। ବିଲରେ କାମ କରୁଥିବା ଗାଁର ସଂସାରୀ ଜାନୀ ସେଠାରେ ପହଞ୍ଚି ପୋଖରୀରେ ପଶି ଦୁଇଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ। ଗ୍ରାମବାସୀ ଉଭୟଙ୍କୁ ମେଡିକାଲ୍‌କୁ ନେବାକୁ ଉଦ୍ୟମ କରୁଥିଲେ। ମାତ୍ର ଗାଁଟି ଆଦିବାସୀ ଇଲାକାରେ ଥିବାରୁ ହଠାତ୍‌ ଗାଡ଼ି ଡାକିବା ସମ୍ଭବ ହୋଇ ନଥିଲା। ଫଳରେ କିଛି ସମୟ ପରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଏକ ମାରୁତି ଭ୍ୟାନ୍‌ ଯୋଗେ ଶବ ବ୍ୟବଚ୍ଛେଦ ପାଇଁ ଦୁଇଜଣକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଏପଟେ ମା’କୁ ହରାଇ ଦୁଇଜଣ ନାବାଳକ ବେସାହାରା ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର