ଜଳ ସମ୍ପଦ ବିଭାଗର ୪ ଯନ୍ତ୍ରୀଙ୍କୁ ଦଉଡ଼ିରେ ବାନ୍ଧି ଅଟକ ରଖିଲେ ଚାଷୀ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ବିଜାତୋଳା ବ୍ଲକ ଅନ୍ତର୍ଗତ ବଣକାଟି ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏହି ଗାଁ’ ସମେତ ଆଖପାଖର ଅସନ୍ତୁଷ୍ଟ ଚାଷୀମାନେ ରାଇରଙ୍ଗପୁର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରଙ୍କ ସମେତ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପାଖାପାଖି ଦୁଇଘଣ୍ଟା କାଳ ଦଉଡିରେ ବାନ୍ଧି ଅଟକ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଟକ ଥିବା ଯନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ।

ଘଟଣାରୁ ଜଣାପଡିଛି ଯେ, ଦୀର୍ଘଦିନ ହେଲା ପାଣି ପାଇଁ ଚାଷୀମାନେ ହଇରାଣ ହେଉଥିଲେ। କେନାଲଗୁଡ଼ିକରୁ ଚାଷଜମିକୁ ଠିକ୍‌ ସମୟରେ ପାଣି ମାଡିପାରୁ ନଥିବାରୁ ଉକ୍ତ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଥିଲା। ଆଜି ଜଳସେଚନ ବିଭାଗର ଏହି ଯନ୍ତ୍ରୀମାନେ ଚାଷୀମାନଙ୍କ ସମସ୍ୟା ବୁଝିବାକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଚାଷୀମାନେ ସେମାନଙ୍କୁ ଦଉଡିରେ ବାନ୍ଧି ଦୁଇଘଣ୍ଟା ଅଟକ ରଖିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର