ଗଞ୍ଜାମ ବିଦ୍ୟୁତ୍ ଆଘାତ ମୃତ୍ୟୁ ଘଟଣାରେ ଦାୟିତ୍ବରେ ଅବହେଳା ଯୋଗୁଁ ୪ ଯନ୍ତ୍ରୀ ନିଲମ୍ବିତ

ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା

ଭୁବନେଶ୍ବର: ଗଞ୍ଜାମ ବିଦ୍ୟୁତ୍ ଆଘାତ ମୃତ୍ୟୁ ଘଟଣାରେ ଦାୟିତ୍ୱରେ ଅବହେଳା ପାଇଁ ୪ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ଲୋକସେବା ଭବନରେ ଏ ନେଇ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ସାଉଥକୋର ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନର କନିଷ୍ଠ ଯନ୍ତ୍ରୀ ଦେବାଶିଷ ନାୟକ ଏବଂ ସହକାରୀ ଯନ୍ତ୍ରୀ ବିଶ୍ବରଞ୍ଜନ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଅପରପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ବି ନିଲମ୍ବିତ କରାଯାଇଥିବା ଜଣାଯାଇଛି। ଆଜି ସଂଧ୍ୟା‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମର୍ମନ୍ତୁଦ ଦୁର୍ଘଟଣା ନେଇ ସମୀକ୍ଷା‌ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ଣରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଗ୍ରାମରେ ଏକ ବସ୍‌ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ସେଥିରେ ବସିଥିବା ୪୩ ଜଣଙ୍କ ଭିତରୁ ୯ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବାବେଳେ ୧୮ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୯ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ରାତିରେ ସେମାନଙ୍କ ମଧ୍ୟରୁ ଜ‌ଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଗ୍ରାମରେ ଘଟିଛି ଏମିତି ଏକ ଛ‌ାତିଥରା ଅଘଟଣ। ବରପକ୍ଷର ଲୋକେ ନିର୍ବନ୍ଧ ଲାଗି କନ୍ୟା ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

ମୃତକମାନେ ହେଲେ ଚିକିଟି ବ୍ଲକ ଡଙ୍କଲପାଡ଼ୁ ଗ୍ରାମର ବି. ଚେନ୍ନେୟା ରେଡ୍ଡିଙ୍କ ପତ୍ନୀ ବି. ଏରେମ୍ମା ରେଡ୍ଡି(୩୮), ବି. ଗୁଡ଼ିଆଙ୍କ ପତ୍ନୀ ବି. ଆଚିଆମ୍ମା(୬୫), ସି.ଏଚ୍ କାମରାଜୁ ରେଡ୍ଡି(୬୫), ବି. ନୀଳକଣ୍ଠଙ୍କ ପତ୍ନୀ ବି. ମୋହିନୀ(୪୦), ବି. ରାମେୟା(୫୫), ସି.ଏଚ୍‌ ଗୋପାଳ ରେଡ୍ଡିଙ୍କ ପତ୍ନୀ ସି.ଏଚ୍‌ ତୁଳସୀଆମ୍ମା(୩୭), ଗୋପଳ ସାହୁଙ୍କ ଝିଅ ସନ୍ତୋଷିନୀ ସାହୁ(୧୫), ତାରିଣେୟା ରେଡ୍ଡି(୫୭) ଓ ବଡ଼ଚନ୍ଦନବାଡ଼ ଗ୍ରାମର କେ. ପାପେୟା ରେଡ୍ଡିଙ୍କ ପତ୍ନୀ କେ. ସଂଧ୍ୟା(୩୫)। ସେହିପରି କଟକ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଥିବା ୯ ଜଣ ଗୁରୁତରଙ୍କ ମଧ୍ୟରୁ ୟୁ. ଦେବରାଜ ରେଡ୍ଡି (୧୧) ନାମକ ଜଣେ ବାଳକର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରୁ ୮ଜଣ ଡଙ୍କଲପାଡ଼ୁ ଗ୍ରାମର ହୋଇଥିବା ବେଳେ ସେମାନଙ୍କ ଭିତରେ ବରର ଦୁଇ ଭଉଣୀ ମଧ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର