ବରଗଡ଼ : ବରଗଡ଼ ଜିଲ୍ଲାରେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ସରକାରୀ ବାବୁ ଏବଂ ସାଧାରଣ ଲୋକଙ୍କୁ ଅତିଷ୍ଠ କରିଦେଲାଣି। ନକଲି ସାମ୍ବାଦିକଙ୍କ ଗୋଟିଏ ବଡ଼ ଗ୍ୟାଙ୍ଗ ଆଜି ବରଗଡ଼ ପୁଲିସ୍‌ ହାବୁଡ଼ରେ ପଡ଼ିଛନ୍ତି। ସେମାନେ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେବା ସହ ବ୍ଲାକ୍‌ମେଲିଂ କରୁଥିଲେ। ଏପରିକି ବନ୍ଧୁକ ମୁନରେ ଧମକ ଦେଇ ଟଙ୍କା ଆଦାୟ କରୁଥିଲେ। ଏହି ମାମଲାରେ ଟାଉନ ପୁଲିସ୍‌ ୪ଜଣଙ୍କୁ ଗିରଫ କରିଛି। ସେମ‌ାନେ ‌ହେଲେ ଉତ୍ତରପ୍ରଦେଶ ନୋଏଡାର ଅନୁଜ ଅଗ୍ରୱାଲ (୩୫), ବୁଲନ୍ଦସହରର ବିଶାଳ ଗାମ୍ଭୀର (୪୩), ଗାଜିଆବାଦର ଇମ୍ରାନ ଖାନ୍‌(୪୪) ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ତପନ ସାହୁ (୫୭)। ଏମାନେ ସମସ୍ତେ ‘ତେହେଲ୍‌କା ଇଣ୍ଡିଆ ନ୍ୟୁଜ୍‌’ ନାମକ ଗଣମାଧ୍ୟମ ସଂସ୍ଥାର ବୁମ୍‌ ଏବଂ ପରିଚୟପତ୍ର ବ୍ୟବହାର କରୁଥିଲେ। କିନ୍ତୁ ସମସ୍ତେ ନକଲି ସାମ୍ବାଦିକ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କଠାରୁ ଲାପ୍‌ଟପ୍‌, ଆଇପ୍ୟାଡ୍‌, ସାମ୍ବାଦିକ ପରିଚୟପତ୍ର, ନଗଦ ୧୯,୫୮୦ ଟଙ୍କା, ୮ଟି ମୋବାଇଲ୍‌ ଜବତ ହୋଇଛି।

Advertisment

ଗତ ୧୧ ତାରିଖ ଏମାନଙ୍କ ଭିତରୁ ୨ଜଣ ଜିଲ୍ଲା ଶିଳ୍ପକେନ୍ଦ୍ରରେ ପହଂଚି ଗୋଟିଏ ଫ୍ଲାଇ ଆସ୍‌ ଇଣ୍ଡଷ୍ଟ୍ରି ସ୍ଥାପନ କରିବାକୁ ଯୋଜନା କରିଛନ୍ତି ଏବଂ ଏଥି ସକାଶେ ସେମାନେ ୩କୋଟି ଟଙ୍କା ବିନିଯୋଗ କରିବେ ବୋଲି ମ୍ୟାନେଜର ମନୋଜ ଶତପଥୀଙ୍କୁ କହିଥିଲେ। ଜିଏସ୍‌ଟି, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ଅନ୍ୟ କାଗଜପତ୍ର ନେଇ ଶ୍ରୀ ଶତପଥୀଙ୍କ ସହ ଆଲୋଚନା କରିଥିଲେ। ୧୨ ତାରିଖ ଦିନ ସେମାନେ ପୁଣି ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଆସି ଶ୍ରୀ ଶତପଥୀଙ୍କୁ ଅନ୍ୟତ୍ର ଡାକି ଆଲୋଚନା କରିବାକୁ କହିଥିଲେ। ଏହାପରେ ଶ୍ରୀ ଶତପଥୀଙ୍କୁ ସେମାନେ ତେହେଲ୍‌କା ଇଣ୍ଡିଆ ନ୍ୟୁଜ୍‌ର ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ ଏବଂ ପୂର୍ବରୁ ତିଆରି କରିଥିବା ଗୋଟିଏ ଭିଡିଓ କ୍ଲିପ୍‌ ଦେଖାଇ ଏହାକୁ ଭାଇରାଲ୍‌ କରିବୁ ବୋଲି ଧମକ ଦେଇଥିଲେ। ଅଭିଯୁକ୍ତମାନେ ୫ଲକ୍ଷ ଟଙ୍କା ଦାବି କରିଥିଲେ। ଶ୍ରୀ ଶତପଥୀ ଏତିକି ଟଙ୍କା ଦେବାକୁ ଅସମର୍ଥ ବୋଲି କହିବା ପରେ ଅଭିଯୁକ୍ତମାନେ ତାଙ୍କୁ କାର୍‌ରେ ବରଗଡ଼ ବଜାର ବ୍ରାଞ୍ଚ ନିକଟସ୍ଥ ଏକ ଏଟିଏମ୍‌କୁ ନେଇ ଯାଇଥିଲେ। ‌ଆଉ ସେଠାରେ ବନ୍ଧୁକ ଦେଖାଇବାରୁ ଭୟଭୀତ ହୋଇ ଶ୍ରୀ ଶତପଥୀ ତାଙ୍କ କାଉଣ୍ଟରରୁ ୨୦ହଜାର ଟଙ୍କା କାଢ଼ି ଦେଇଥିଲେ। ପରେ ସମସ୍ତେ ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ଉଠାଣ ସ୍ଲିପ୍‌ ଜରିଆରେ ଟଙ୍କା କାଢ଼ି ହେବ ନାହିଁ ବୋଲି ବ୍ୟାଙ୍କ ମ୍ୟାନେଜର କହିବା ପରେ ଶ୍ରୀ ଶତପଥୀଙ୍କୁ ନେଇ ଅଭିଯୁକ୍ତମାନେ ଚାଲି ଆସିଥିଲେ। ଆହୁରି ୩ଲକ୍ଷ ଟଙ୍କା ଦେବାକୁ ଦାବି କରି ଅଭିଯୁକ୍ତମାନେ ପଳାଇଥିଲେ।

publive-image

ଏହାପରେ ଅଭିଯୁକ୍ତମାନେ ପୁଣି ମଂଗଳବାର ଶିଳ୍ପକେନ୍ଦ୍ରକୁ ଆସିବା ପ‌େର ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ୍‌ ସମସ୍ତଙ୍କୁ କାବୁ କରିଥିଲା। ଟାଉନ ପୁଲିସ୍‌ କେସ ନମ୍ବର ୨୮୬ ଦଫା ୪୫୧, ୩୬୪(ଏ), ୩୫୩, ୩୮୬, ୩୯୪, ୫୦୬, ୧୨୦-ବି ଆଇପିସି, ୨୫ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ବ୍ୟାଙ୍କ ଏବଂ ଏଟିଏମ୍‌ କାଉଣ୍ଟରର ଫୁଟେଜ୍‌ ଯାଂଚ ଚାଲିଛି ବୋଲି ସାମ୍ବାଦିକ ସମ୍ମିଳନୀରେ କ୍ଷୀରସାଗର ନାଏକ ସୂଚନା ଦେଇଛନ୍ତି।

ଭିଡିଓ କ୍ଲିପ୍‌ରେ ଥିଲା କ’ଣ?

ଅଭିଯୁକ୍ତମାନେ ଯେଉଁ ଭିଡିଓ କ୍ଲିପ୍‌ ଭାଇରାଲ୍‌ କରିବା ଧମକ ଦେଇ ଶ୍ରୀ ଶତପଥୀଙ୍କ ଠାରୁ ୫ଲକ୍ଷ ଟଙ୍କା ଦାବି କରୁଥିଲେ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେଥିରେ ଏଭଳି କ’ଣ ଥିଲା ଯେ ଶ୍ରୀ ଶତପଥୀଙ୍କୁ ଅଭିଯୁକ୍ତମାନେ ଭୟଭୀତ କରିଥିଲେ, ସେନେଇ ନାନାଦି କଥା କୁହାଯାଉଛି। ହେଲେ ପୁଲିସ୍‌ର କହିବା ହେଲା, ପ୍ରଥମେ ଅଭିଯୁକ୍ତମାନେ ଯେତେବେଳେ ଶ୍ରୀ ଶତପଥୀଙ୍କୁ ଭେଟିଥିଲେ ଜିଏସ୍‌ଟି ଏବଂ ଅନ୍ୟ ଫି’ ବାବଦ ନେଇ ଚର୍ଚ୍ଚା କରିଥିଲେ, ତାକୁ ଅଭିଯୁକ୍ତମାନେ ରେକର୍ଡିଂ କରିଥିଲେ। ପରେ କେବଳ ଫୁଟେଜ୍‌କୁ ଏଡିଟିଂ କରିବା ପରେ ଶ୍ରୀ ଶତପଥୀଙ୍କୁ ଦେଖାଇ ଟଙ୍କା ଦେବା ପାଇଁ ଚାପ ପକାଇଥିଲେ। ଏହି ଫୁଟେଜ୍‌ରେ ଟଙ୍କା ଦିଆନିଆ ସଂପର୍କିତ କିମ୍ବା ଆପତ୍ତିଜନକ ମତମନ୍ତବ୍ୟ କିଛି ତଥ୍ୟ ନାହିଁ ବୋଲି ଏସ୍‌ଡିପିଓ କହିଛନ୍ତି।