ପ୍ରବେଶିକା ପରୀକ୍ଷା ବଡ଼ କେଳେଙ୍କାରୀ : ଦେଢଲକ୍ଷରେ ଡିଲ୍, ନକଲି ଛାତ୍ରଙ୍କୁ ୫୦ହଜାର, ନକଲି ପରୀକ୍ଷାର୍ଥୀଙ୍କ ସମେତ ୪ ଗିରଫ

ମାଷ୍ଟର ମାଇଣ୍ଡ ପାେଖ ଏଯାଏ ପହଞ୍ଚିନି ପୁଲିସ, ବିହାର, ରାଜସ୍ଥାନ ଯାଇ ଯାଞ୍ଚ କରିବାକୁ ଯୋଜନା, ୫ ନକଲି ପରୀକ୍ଷାର୍ଥୀ ଖସିଗଲେ, ସଂଖ୍ୟା ବଢିପାରେ

ଭୁବନେଶ୍ବର : ପରୀକ୍ଷାରେ କପି କରିବା, କପି େଯାଗାଇବା ଘଟଣା ନୂଆ ନୁେହଁ। କିଛି ପରୀକ୍ଷାରେ ନକଲି ପରୀକ୍ଷାର୍ଥୀଙ୍କୁ ମଧ୍ୟ ପୁଲିସ ପୂର୍ବରୁ ଗିରଫ କରିଛି। ହେଲେ ଏହା ପଛରେ େଯ ଏକ ବଡ଼ ଗ୍ୟାଙ୍ଗ କାମ କରୁଥିବ ଓ ଏହି ଗ୍ୟାଙ୍ଗର ଅନ୍ତଃରାଜ୍ୟ ଲିଙ୍କ ଥିବ, ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଆଜି େଖାଦ୍ ପୁଲିସକୁ ବି ବିଚଳିତ କରିଛି।

ରବିବାର ଅନୁଷ୍ଠିତ ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଧରାପଡ଼ିଥିବା ନକଲି ପରୀକ୍ଷାର୍ଥୀ ଓ ଦଲାଲଙ୍କ ସଂପର୍କରେ େଖାଳତାଡ଼ ବେଳେ ଆଖି ଝଲସାଇ ଦେବା ଭଳି ତଥ୍ୟ ମିଳିଛି ପୁଲିସକୁ। ଏହି ଘଟଣାରେ ନକଲି ପରୀକ୍ଷାର୍ଥୀଙ୍କ ସମେତ ୩ ଦଲାଲଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ବଡ଼ଗଡ଼ ଥାନା ଅଧୀନରେ ଅଟକ ଥିବା ନାବାଳକକୁ ସୁଧାର ଗୃହକୁ ପଠାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ନକଲି ପରୀକ୍ଷାର୍ଥୀ ଜୟପୁର ନେସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଆୟୁର୍ବେଦର ପ୍ରଥମ ବର୍ଷର ଛାତ୍ର ଆଦର୍ଶ ଚୌଧୁରୀ, ତିନି ଦଲାଲ ପାତ୍ରପଡ଼ା କଲ୍ୟାଣୀ ଆପାର୍ଟମେଣ୍ଟରେ ରହୁଥିବା ଝାଡଖଣ୍ଡ ଧାନବାଦ୍‌ର ଅମିତ କୁମାର ସିଂହ, ଏନ୍‌ଏମ୍‌ଆଇଟିରେ ଚାକରି କରୁଥିବା ଗଞ୍ଜାମ କାମପଡ଼ାର ରଣଜିତ ବେଉରା ଓରଫ ପିଣ୍ଟୁ ଓ ବିହାର ଛାପ୍‌ରା ଗ୍ରାମର ଅମୀୟ ଭୂଷଣ। ସେମାନଙ୍କଠାରୁ ଆଡ୍‌ମିଟ୍‌ କାର୍ଡ, ମୂଳ ଛାତ୍ରଙ୍କ ଆଧାର କାର୍ଡ, ୫ଟି ମୋବାଇଲ ଜବତ କରାଯାଇଛି। ତେବେ ଏହି ନକଲି ପରୀକ୍ଷାର୍ଥୀ ଯେଉଁମାନଙ୍କ ପାଇଁ ପରୀକ୍ଷା ଦେଉଥିଲେ ସମ୍ପୃକ୍ତ ଛାତ୍ରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି।

ଅଭିଯୁକ୍ତମାନେ ବର୍ଷ ବର୍ଷ ଧରି ଏମାନେ ଏଭଳି କାରବାରରେ ଲିପ୍ତ ଥିବା ବେଳେ ବିହାର ରାଜସ୍ଥାନ ପର୍ଯ୍ୟନ୍ତ ଏହି ରୢାକେଟ୍‌ର ଚେର ଲମ୍ବିଥିବା ପୁଲିସ ଜାଣିବାକୁ ପାଇଛି। କେବଳ ଓୟୁଏଟି ନୁହେଁ, ବିଭିନ୍ନ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ମେଧାବୀ ଛାତ୍ରଙ୍କୁ ଏଭଳି କାମରେ େସମାନେ ଲଗାଉଥିଲେ ଓ ପ୍ରତିବଦଳରେ ମୋଟା ଅଙ୍କର ଅର୍ଥ ରୋଜଗାର କରିବାରେ ଏମାନେ ସିଦ୍ଧ ହସ୍ତ।

ଏହି ରୢାକେଟ୍‌ରେ ସଂପୃକ୍ତ ଅନ୍ୟ କେତେଜଣ ଫେରାର ଅଛନ୍ତି। କେବଳ ସେତିକି ନୁେହଁ, ରାଜ୍ୟ ବାହାରେ ଥାଇ େଗାଟିଏ େଗାଷ୍ଠୀ ଏହାକୁ ନିୟନ୍ତ୍ରଣ କରୁଛନ୍ତି। ଏଣୁ ଅଧିକ ତଥ୍ୟ ତଥା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ କମିସନରେଟ୍‌ ପୁଲିସର ଏକ ଟିମ୍‌ ଖୁବ୍‌ ଶୀଘ୍ର ବିାହାର ଓ ରାଜସ୍ଥାନ ଯିବ ବୋଲି ଡିସିପି ଅନୁପ କୁମାର ସାହୁ ସୂଚନା ଦେଇଛନ୍ତି। ସେହିଭଳି ଅନ୍ୟ କେଉଁ କେଉଁ ପରୀକ୍ଷାରେ ପୂର୍ବରୁ ଏଭଳି କରିଛନ୍ତି ? ଓଡ଼ିଶାରେ କିଏ ଏହାକୁ ନିୟନ୍ତ୍ରଣ କରୁଛି? କେଉଁ ଛାତ୍ର ଏଭଳି ନକଲି ପରୀକ୍ଷାର୍ଥୀଙ୍କ ସହାୟତାରେ ପ୍ରବେଶିକା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି? ଦଲାଲଙ୍କ ଛଡ଼ା ଆଉ କେଉଁ ଅଧିକାରୀଙ୍କର ସମ୍ପୃକ୍ତି ଅଛି କି ? ଏ ସବୁ ପ୍ରଶ୍ନର ଉତ୍ତର େଖାଜିବା ଆରମ୍ଭ କରିଛନ୍ତି ତଦନ୍ତକାରୀ ଟିମ୍।

ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରତି ଛାତ୍ର ପିଛା ୫ ଲକ୍ଷ ଟଙ୍କା ଆଦାୟ କରାଯାଉଥିଲା। ପରୀକ୍ଷା ଦେଉଥିବା ନକଲି ଛାତ୍ରକୁ ଏଥିରୁ ୫୦ ହଜାର ଦିଆଯାଉଥିଲା। ବାକି ଅର୍ଥକୁ ଦଲାଲମାନେ ଭାଗ କରି ନେଉଥିଲେ। ସେହିଭଳି ଅନ୍ୟ ୫ ଜଣ ନକଲି ପରୀକ୍ଷାର୍ଥୀ ସଫଳତାର ସହ ପରୀକ୍ଷା ଦେଇ ଫେରାର ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି। ତେବେ ଏହି ସଂଖ୍ୟା ବଢିପାରେ ବୋଲି ପୁଲିସ ସନ୍ଦେହ କରୁଛି। ରୢାକେଟ୍‌ ବହୁ ପୁରୁଣା ତଥା ରାଜ୍ୟ ବାହାରର ଦଲାଲ ରହିଥିବାରୁ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ େଦବାଲାଗି ମତ ପ୍ରକାଶ ପାଉଛି।

ଘଟଣା ଏହିପରି: ପୁରୀ ଜିଲ୍ଲା ଗୋପ ବ୍ଲକ ରୁପାସା ଗ୍ରାମର ଯୁଧିଷ୍ଠିର ମଲ୍ଲିକ ଓୟୁଏଟି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିଲେ। ଏଥିରେ କୃତକାର୍ଯ୍ୟ ହେବା ପାଇଁ ସେ ନିଜେ ପରୀକ୍ଷା ନ ଦେଇ ମେଧାବୀ ଛାତ୍ରଙ୍କ ସାହାରା ‌ନେବାପାଇଁ ଚିନ୍ତା କରିଥିଲେ। ପୂର୍ବରୁ ଏଭଳି କାରବାରରେ ସମ୍ପୃକ୍ତ ଥିବା ସିଜୁଆସ୍ଥିତ ଏନ୍‌ଏମ୍‌ଆଇଇଟିର ମାକେର୍ଟିଂ ଷ୍ଟାଫ୍‌ ରଣଜିତ କୁମାର ବେଉରାଙ୍କ ସହଯୋଗ ଲୋଡ଼ିଥିଲେ। ରଣଜିତ ଏହି ଅନୁଷ୍ଠାନ(ଏନ୍‌ଏମ୍‌ଆଇଇଟି)ର ଅନ୍ୟତମ ଷ୍ଟାଫ୍‌ ଅମିତଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଉଭୟ ଅମିୟଙ୍କ ସହ ଯୋଗାଯୋଗ କରିଥିଲେ। ଅମିୟ ଜନସନ୍‌ ଆଣ୍ଡ ଜନସନ୍‌ କମ୍ପାନିର କମିସନ ଏଜେଣ୍ଟ ଭାବରେ କାମ କରିବା ସହ ପୂର୍ବରୁ ଏହି ଧନ୍ଦାରେ ରହିଥିଲେ। ତାଙ୍କର ଅନେକ ମେଧାବୀ ଛାତ୍ର ପରିଚିତ ଥିଲେ। ସେ ଆଦର୍ଶଙ୍କ ସହ ଯୋଗାଯୋଗ କରିଥିଲେ।

ଜୟପୁର ନେସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଆୟୁର୍ବେଦର ଆଦର୍ଶ ପ୍ରଥମ ବର୍ଷ ଛାତ୍ର ଓ ରାଜସ୍ଥାନ ୟୁନିଭରସିଟି ଅଫ୍‌ ହେଲ୍ଥ ସାଇନ୍ସରେ ନାମ ଲେଖାଇବା ପାଇଁ ‌ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ପରୀକ୍ଷା ଦେବା ପାଇଁ ସେ ଲକ୍ଷେ ଟଙ୍କା ଦାବି କରିଥିଲେ। ତେବେ ତାଙ୍କ ସହ ୫୦ ହଜାର ଟଙ୍କାରେ ଦର ଛିଣ୍ଡିଥିଲା। ଯିବା ଆସିବା ଓ ରହିବା ଖର୍ଚ୍ଚ ଦଲାଲ ବହନ କରିବେ ବୋଲି ଚୁକ୍ତି ହୋଇଥିଲା। ତାଙ୍କୁ ଦୁଇଦିନ ତଳେ ଫ୍ଲାଇଟ୍‌ରେ ଭୁବନେଶ୍ବର ଅଣା ଯାଇଥିଲା। ଘାଟିକିଆରେ ଥିବା ଡ୍ରିମ୍ସ ପ୍ୟାଲେସ୍‌ରେ ତାଙ୍କୁ ରଖାଯାଇଥିଲା। ଆଡ୍‌ମିଟ୍‌ କାର୍ଡ ପ୍ରସ୍ତୁତ କରାଯିବା ସହ ଯୁଧିଷ୍ଠିରଙ୍କ ଆଧାରକାର୍ଡ ନେଇ ସେ ଗତକାଲି ଧର୍ମବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପରୀକ୍ଷା ଦେବାକୁ ଯାଇଥିଲେ। ସେଠାରେ ଆଡ୍‌ମିଟ୍‌ କାର୍ଡ ଓ ଆଧାରକାର୍ଡ ମେଳକ କଲାବେଳେ ‌ସେ ଧରା ପଡ଼ିଯାଇଥିଲେ।

ସମ୍ବନ୍ଧିତ ଖବର