୩ ଜଣଙ୍କୁ ଜାଳି ନିଜେ ଜଳିଯିବା ଘଟଣା : ରହସ୍ୟ ଘେରରେ ରୁବିନାଙ୍କ ବିବାହ

ଜଗତସିଂହପୁର/କୁଜଙ୍ଗ : କୁଜଙ୍ଗରେ ଘଟିଥିବା ଲୋମଟାଙ୍କୁରା ଘଟଣା ସମ୍ପର୍କରେ ଚିନ୍ତା କଲେ ଏବେ ବି ଛାତି ଥରି ଉଠୁଛି। ଗୋଟିଏ ପରିବାରର ଚାରିଜଣ ସଦସ୍ୟ ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯିବାକୁ ନେଇ ଅଞ୍ଚଳରେ ଏବେ ବି ଶୋକାକୂଳ ପରିବେଶ ଲାଗି ରହିଥିବା ବେଳେ ଘଟଣା ପଛର ଅନେକ ରହସ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚିତ ହୋଇପାରୁ ନାହିଁ। ରୁବିନା ଓ ହରେକୃଷ୍ଣଙ୍କ ବାହାଘରରେ ମୁଖ୍ୟ ଭୂମିକା ରୁବିନାଙ୍କ ଭାଇ ସନ୍ତୋଷ ନିଭାଇଥିବା କୁହାଯାଉଥିଲା। ସେହି କାରଣରୁ ତାଙ୍କ ବୟାନ ଉପରେ ସମସ୍ତଙ୍କ ନଜର ଥିଲା। ହେଲେ, ବର୍ତ୍ତମାନ ସନ୍ତୋଷଙ୍କ ବୟାନ ଏହି ଘଟଣାକୁ ଅଧିକ ରହସ୍ୟମୟ କରି ପକାଇଛି। ତା’ଛଡ଼ା, ବର୍ତ୍ତମାନ ହରେକୃଷ୍ଣଙ୍କ ଦ୍ବିତୀୟ ବିବାହ ସମ୍ପର୍କରେ ଜଣାପଡ଼ିବା ପରେ ଘଟଣା ଉପରେ ସମସ୍ତଙ୍କ ନଜର ରହିଛି।

ଆଜି ସନ୍ତୋଷ ‘ସମ୍ବାଦ’କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ହରେକୃଷ୍ଣଙ୍କ ପ୍ରଥମ ବିବାହ ସମ୍ପର୍କରେ ସେ ଆଦୌ ଜାଣନ୍ତି ନାହିଁ। ସେ ସମ୍ପର୍କରେ ଆଜି ଗଣମାଧ୍ୟମରୁ ହିଁ ସେ ଜାଣିବାକୁ ପାଇଛନ୍ତି। ହରେକୃଷ୍ଣଙ୍କ ସହ ସେ ମାତ୍ର ଗୋଟିଏ ମାସ ମିଶିଥିଲେ। କଥାବାର୍ତ୍ତା ଓ ଚାଲିଚଲଣରୁ ସେ ଜଣେ ସାଧାରଣ ଲୋକ ଭଳି ଜଣା ପଡ଼ୁଥିଲେ। ସାଇକୋ ଅପରାଧୀ ଭଳି ସାମାନ୍ୟ ସୁରାକ୍ ପାଇନଥିଲେ ବୋଲି ସନ୍ତୋଷ କହିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସନ୍ତୋଷଙ୍କ ଘର ଲୋକଙ୍କର ବି ଏହି ବିବାହରେ ସମ୍ପୂର୍ଣ୍ଣ ସହମତି ଥିଲା। ବାପା ନବଘନ ହିଁ ହରେକୃଷ୍ଣଙ୍କ ସମ୍ପର୍କରେ ସମସ୍ତ ଖୋଳତାଡ଼ କରିଥିଲେ ବୋଲି ସନ୍ତୋଷ କହିଛନ୍ତି। ଏଣୁ ଏଥିରେ ତାଙ୍କର କୌଣସି ଭୁଲ ନାହିଁ ବୋଲି ସନ୍ତୋଷ କହିଛନ୍ତି। ସନ୍ତୋଷଙ୍କ ଏହି ବୟାନ ସମଗ୍ର ଘଟଣାଟିକୁ ଅଧିକ ସନ୍ଦେହଜନକ କରି ଦେଇଥିବା ବେ‌େଳ ରୁବିନା କାହିଁକି ଶାଶୂଘର ଛାଡ଼ିଲେ ସେ ନେଇ ବି କେହି ଠିକ୍‌ ତଥ୍ୟ ଦେଇପାରୁ ନାହାନ୍ତି। ଅନ୍ୟପଟେ, ହରେକୃଷ୍ଣଙ୍କ ଗାଁରୁ କେହି କୁଜଙ୍ଗ ଆସି ଘଟଣା ସମ୍ପର୍କରେ କିଛି ବୁଝି ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଗାଁରେ ରହୁଥିବା ହରେକୃଷ୍ଣଙ୍କ ୭୦ ବର୍ଷୀୟା ବିଧବା ମା’ ମଧ୍ୟ ପୁଅର ମୃତଦେହ ନେବାକୁ ଇଚ୍ଛା କରିନାହାନ୍ତିି।

ସମ୍ବନ୍ଧିତ ଖବର