ଚାନ୍ଦିପୁର ଗୁଇନ୍ଦାଗିରିକୁ ନେଇ ଆସିଲା ନୂଆ ତଥ୍ୟ: ପାକିସ୍ତାନରୁ ଅପରେଟ ହେଉଥିଲା ନକଲି ଫେସବୁକ ଆକାଉଣ୍ଟ

ଏବେ ବି କିଛି ଲୋକଙ୍କ ସହ ଚାଟିଙ୍ଗ କରୁଛନ୍ତି ରହସ୍ୟମୟ ଯୁବତୀ

ଭୁବନେଶ୍ୱର: ଡିଆରଡିଓ ବାବଦରେ ତଥ୍ୟ ହାସଲ କରିବାକୁ ପାକିସ୍ତାନରୁ ହୋଇଥିଲା ବିସ୍ତୃତ ଯୋଜନା | ପାକିସ୍ତାନରୁ ୪ଟି ନକଲି ଫେସବୁକ ଆକାଉଣ୍ଟ କରାଯାଇ ରହସ୍ୟମୟୀଙ୍କ ଜରିଆରେ ତଥ୍ୟ ହାସଲ କରାଯାଉଥିଲା | ଚାନ୍ଦିପୁର ଡିଆରଡିଓର ଗୁଇନ୍ଦାଗିରିକୁ ନେଇ ଆଜି କିଛି ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା | ସେ ଆଜି ଚାନ୍ଦିପୁର ଗୁଇନ୍ଦାଗିରି ପଛରେ ପାକିସ୍ତାନ ଲିଙ୍କ ଥିବା ନେଇ ସୂଚନା ଦେଇଛନ୍ତି | କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଯେ ଡିଆରଡିଓ ଗୁପ୍ତଚରି ମାମଲା ପଛରେ ଥିବା ଯୁବତୀଙ୍କ ୪ଟି ନକଲି ଫେସବୁକ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା |

୩ଟି ଆକାଉଣ୍ଟ ଇସଲାମାବାଦ ଓ ଗୋଟିଏ ଆକାଉଣ୍ଟ ରାୱଲପିଣ୍ଡିରୁ ପରିଚାଳିତ ହେଉଥିଲା | ରହସ୍ୟମୟୀ ପ୍ରକ୍ସି ଆଇପି ବ୍ୟବହାର କରୁଥିଲେ | ପ୍ରକ୍ସି ଆଇପି ଯୋଗୁଁ ଏହା ବ୍ରିଟେନ ଦେଖାଉଥିଲା | କିନ୍ତୁ ବାସ୍ତବରେ ଏହା ପାକିସ୍ତାନରୁ ହିଁ ପରିଚାଳିତ ହେଉଥିଲା | ସେହିପରି ଏବେବି ରହସ୍ୟମୟୀଙ୍କ ଅନେକ ଅନେକ ଆକାଉଣ୍ଟ ଆକ୍ଟିଭ ଅଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି | ଏହି ତଥ୍ୟ ବାବଦରେ ଜଣାପଡିବା ପରେ ସେ କହିଛନ୍ତି ଯେ ଆବଶ୍ୟକ ହେଲେ ଅଭିଯୁକ୍ତମାନଙ୍କୁ ପୁଣିଥରେ ରିମାଣ୍ଡରେ ଅଣାଯିବ | ସୂଚନାଥାଉକି, ପ୍ରତିରକ୍ଷା ତଥ୍ୟ ଲିକ୍ ମାମଲାରେ ଚାନ୍ଦିପୁର ଆଇଟିଆର୍‌ର ୪ ଜଣ ଠିକା କର୍ମଚାରୀ ଓ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ବାଲେଶ୍ବର ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ପୁଲିସ ସେପ୍‌ଟେମ୍ବର ୧୪ ତାରିଖ ବିଳମ୍ବିତ ରାତିରେ ଗିରଫ କରିଥିଲା।

ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍‌ ନେବା ପରେ ୧୮ ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ଗିରଫ ସମୟରେ ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଥିବା ମୋବାଇଲ, ଲାପଟପ୍‌, ହ୍ବାଟସ୍ ଆପ୍ ଚାଟିଂ ଆଧାରରେ କ୍ରାଇମବ୍ରାଞ୍ଚ ହାତରେ ଅନେକ ତଥ୍ୟପ୍ରମାଣ ଲାଗିଥିଲା । ଏମିତିକି ଅଭିଯୁକ୍ତମାନଙ୍କୁ ହନିଟ୍ରାପ୍‌ରେ ଫସାଇଥିବା ପାକିସ୍ତାନୀ ମହିଳାଙ୍କ ଫଟୋ, ମୋବାଇଲ୍‌ ନମ୍ବର, ବ୍ୟାଙ୍କ୍‌ ଆକାଉଣ୍ଟର ସୁରାକ୍‌ ପାଇଥିଲା କ୍ରାଇମବ୍ରାଞ୍ଚ। ଆଉ ଆଜି ଏଡିଜି ଏହି ଗୁଇନ୍ଦାଗିରିକୁ ନେଇ ନୂଆ ତଥ୍ୟ ଦେଇଛନ୍ତି |

ସମ୍ବନ୍ଧିତ ଖବର