କଟକ ଦଶହରାରେ ୪ ଫୁଟ୍ ମୂର୍ତ୍ତି ଉଚ୍ଚତା ବିବାଦର ଅନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂଜା କମିଟି ଆଶ୍ବସ୍ତ

ଡିସିପିଙ୍କ ନିକଟରେ ପୂଜା କମିଟି କରିବେ ଆବେଦନ
ପ୍ରଥମେ ପ୍ରସଙ୍ଗ ଉଠାଇଥିଲା ‘ସମ୍ବାଦ’

କଟକ : କଟକ ଦଶହରାରେ ମୂର୍ତ୍ତିର ୪ ଫୁଟ୍ ଉଚ୍ଚତା ନିର୍ଦ୍ଧାରଣକୁ ନେଇ ସୃ୍ଷ୍ଟି ହୋଇଥିବା ବିବାଦର ଆଜି ଅନ୍ତ ଘଟିଛି। ସରକାର ମୂର୍ତ୍ତିର ଉଚ୍ଚତା ନିର୍ଦ୍ଧାରଣ କରି ନିୟମାବଳୀ ଜାରି କରିବା ପରେ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ହାଇକୋର୍ଟଙ୍କ ରାୟ ପୂଜା କମିଟିଙ୍କୁ ଆଶ୍ବସ୍ତ କରିଛି। ବିଶେଷକରି ପାରମ୍ପରିକ ରୀତିନୀତି ଅନୁସାରେ ମୂର୍ତ୍ତି ନିର୍ମାଣ ଜାରି ରଖିଥିବା ପୂଜା କମିଟି ଗୁଡିକ ପୂର୍ବ ବର୍ଷମାନଙ୍କ ଭଳି ମୂର୍ତ୍ତି ନିର୍ମାଣ କରିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ମଣ୍ଡପମାନେ ନିଜର ମୂର୍ତ୍ତି ନିର୍ମାଣ ସ୍ଥିତି ସଂପର୍କରେ କଟକ ଡିସିପିଙ୍କୁ ଅବଗତ କରିବେ ଏବଂ ଡିସିପି ସ୍ଥିତି ଯାଞ୍ଚ କରି ସେମାନଙ୍କୁ ଅନୁମତି ଦେବେ ବୋଲି ଅଦାଲତ ଆଜି ନିର୍ଦ୍ଦେଶ ଦେବା ପରେ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବା ଓ ପୂଜା ମଣ୍ଡପରେ ସଂପୂର୍ଣ୍ଣ ପରଦା ଟାଣି ପୂଜା କରିବା ପାଇଁ ସରକାର ଗାଇଡଲାଇନ ଜାରି କରିବା ପରେ ‘ସମ୍ବାଦ’ରେ ଏହାକୁ ନେଇ ଉପସ୍ଥାପିତ ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ସହରର ବ୍ୟକ୍ତିବିଶେଷ ସ୍ବର ଉତ୍ତୋଳନ କରିଥିଲେ। ବାଲୁବଜାର ପୂଜା କମିଟି ଏହି ପ୍ରସଙ୍ଗରେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ପରେପରେ ଅନ୍ୟ ପୂଜା କମିଟି ମଧ୍ୟ ମାମଲାରେ ପକ୍ଷଭୁକ୍ତ ହୋଇଥିଲେ।

ଦୁର୍ଗା ପୂଜା ପାଇଁ ମୂର୍ତ୍ତି ଉଚ୍ଚତା ଓ ଅନ୍ୟ ନିର୍ଦ୍ଦିଷ୍ଟ କଟକଣା ବିରୋଧରେ ଦାୟର ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ମୂର୍ତ୍ତିର ଉଚ୍ଚତା ସଂପର୍କିତ ନିୟମ ସରକାର ଜାରି କରିବା ପୂର୍ବରୁ ବାଲୁବଜାର ଦୁର୍ଗାପୂଜା କମିଟି ସହିତ ଅନ୍ୟ କେତେକ ମଣ୍ଡପରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ଦର୍ଶାଯାଇଥିଲା। ମୂର୍ତ୍ତି ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ସେପ୍ଟେମ୍ବର ୧୭ରେ ଖଡିମରା ନୀତି ଅନୁଷ୍ଠିତ ହେବ। ତେଣୁ ଏଭଳି ଯୁକ୍ତିକୁ ହାଇକୋର୍ଟ ଗ୍ରହଣ କରିବା ସହିତ ପୂଜାମଣ୍ଡପଙ୍କୁ ସେମାନଙ୍କ ମୂର୍ତ୍ତି ନିର୍ମାଣ ସ୍ଥିତି ସଂପର୍କରେ ବୁଧବାର ସଂଧ୍ୟା ୭ଟା ସୁଦ୍ଧା କଟକ ଡିସିପିଙ୍କୁ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ଉଚ୍ଚତାର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି ଓ ସାନି ସ୍ଥିତି କ’ଣ ରହିଛି, ସେ ନେଇ ଆବେଦନରେ ଉଲ୍ଲେଖ କରାଯିବ। ଏହାପରେ ଡିସିପି ପୂଜାମଣ୍ଡପରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରି ଏଥିପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ପରମ୍ପରା ଅନୁସାରେ ମୂର୍ତ୍ତି ନିର୍ମାଣ କରୁଥିବା ଦୁର୍ଗାପୂଜା କମିଟି ଗୁଡିକ ଏକ ପ୍ରକାର ଆଶ୍ବସ୍ତ ହୋଇଛନ୍ତି। ସେମାନଙ୍କ ପାଇଁ ଆଉ ୪ ଫୁଟ ଉଚ୍ଚତା ସଂପର୍କିତ କଟକଣା ଅସୁବିଧା ସୃଷ୍ଟି କରିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି। ସେମାନେ ପୂର୍ବ ବର୍ଷ ଭଳି ମା’ ଦୁର୍ଗାଙ୍କ ନିର୍ଦ୍ଦିଷ୍ଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରି ପୂଜାର୍ଚ୍ଚନା କରିପାରିବେ।

ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବାଲୁବଜାର ପୂଜା କମିଟି ସଭାପତି ସୂର୍ଯ୍ୟାକନ୍ତ ସାଙ୍ଗନେରିଆଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଅଗଷ୍ଟ ୨୮ରେ ପ୍ରଶାସନ ସହିତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଆଲୋଚନା କରିଥିଲେ ଓ ମୂର୍ତ୍ତିର ଉଚ୍ଚତା ସଂପର୍କିତ ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଥିଲା। ଏହାପରେ ସେପ୍ଟେମ୍ବର ୧୦ରେ ସରକାର ନିୟମାବଳୀ ଜାରି କରିଥିଲେ। ଏଥି ସହିତ ଯଦି ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହୁଏ ତେବେ ବିସର୍ଜନ ବେଳେ ଏହାକୁ ଟ୍ରଲି ରିକ୍ସା ବା ଅଟୋରେ ନେଇ ହେବ ନାହିଁ। ବଡ ଟ୍ରକ୍ ବା ଚେଚିସ ଆବଶ୍ୟକ ହେବ। ଏହାକୁ ନେଇ ଭିଡ଼ ବଢିବ। ପ୍ରଶାସନକୁ ମୂର୍ତ୍ତି ବିସର୍ଜନ ଦାୟିତ୍ବ ଦିଆଗଲେ ସେଥିରେ ମଧ୍ୟ ସମସ୍ୟା ରହିବ। କାରଣ କଟକ ସହରରେ ୧୬୭ଟି ମଣ୍ଡପରେ ଦୁର୍ଗାପୂଜା ହେଉଥିବା ବେଳେ ଭୁବନେଶ୍ବରରରେ ୧୭୦ଟି ମଣ୍ଡପରେ ପୂଜା ହୁଏ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ନିୟମାବଳୀ ଆସିବା ପୂର୍ବରୁ ରାଧାଷ୍ଟମୀରୁ ମାଟି ଅନୁକୂଳ କରାଯାଇ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୭ରେ ଖଡ଼ିମରା ନୀତି ସଂପାଦନ ହେବାକୁ ଥିବାବେଳେ ମୂର୍ତ୍ତି ନିର୍ମାଣ କାମ ବହୁ ବାଟ ଆଗେଇ ଯାଇ ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କଟକରେ ଦୁର୍ଗାପୂଜାର ପରମ୍ପରା ୫ଶହ ବର୍ଷରୁ ଅଧିକ ହୋଇଥିବା ବେଳେ ପ୍ରତିବର୍ଷ ଏକାଭଳି ନିର୍ଦ୍ଦିଷ୍ଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଏ। ମୂର୍ତ୍ତିର ନିର୍ଦ୍ଦିଷ୍ଟ ମୁଖା ରହିଛି। ମୂର୍ତ୍ତିର ଆକାର ଛୋଟ ହେଲେ କିପରି ସମାନ ମୁଖାର ମୂର୍ତ୍ତି ନିର୍ମାଣ କରାଯିବ ବୋଲି ଆବେଦନକାରୀଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ଏଥିସହିତ ପୂଜା କମିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ସମସ୍ତ ନିୟମାବଳୀ ପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କୋଲକାତାରେ ମଧ୍ୟ ଦୁର୍ଗାପୂଜା ପାଇଁ ଅନୁମତି ଦିଆଯାଇଥିବା ପ୍ରସଂଗରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଗଷ୍ଟ ୨୮ରେ ଅନୁଷ୍ଠିତ ବୈଠକରେ କଟକର ସବୁ ପୂଜା କମିଟିର ପ୍ରତିନିଧି ଉପସ୍ଥିତ ନଥିଲେ, ତେଣୁ ମୂର୍ତ୍ତି ଉଚ୍ଚତା ସଂପର୍କିତ ସହମତି ପ୍ରସଂଗ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ଆଜି ଆବେଦନକାରୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆଙ୍କ ଆବେଦନ ସହିତ ବିଭିନ୍ନ ପୂଜା କମିଟି ପକ୍ଷରୁ ଦାୟର ଇଣ୍ଟରଭେନର ପିଟିସନ୍ ଗୁଡିକର ଏକତ୍ର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନିରୁଦ୍ଧ ସାଙ୍ଗନେରିଆ, ଅନ୍ୟ ପୂଜା କମିଟି ଗୁଡିକ ତରଫରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ସୂର୍ଯ୍ୟପ୍ରସାଦ ମିଶ୍ର, ମନୋଜ କୁମାର ମିଶ୍ର, ଡକ୍ଟର ଅଶୋକ କୁମାର ମହାପାତ୍ରୟ, ବିଜୟ ଦାଶ ଓ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର