ସାଇବର ପୁଲିସ ପଞ୍ଝାରେ ଜମତରା ଗ୍ୟାଙ୍ଗର ୪ ଠକ, ମୋବାଲଇ, ଆଧାର କାର୍ଡ ଜବତ

ଅବସରପ୍ରାପ୍ତ ରେଳକର୍ମଚାରୀଙ୍କଠୁ ଠକିଥିଲେ ୧୫.୬୦ ଲକ୍ଷ,

ରାଉରକେଲା: ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କଠୁ ୧୫ ଲକ୍ଷ  ୬୦ ହଜାର ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ରାଉରକେଲା ସାଇବର ପୁଲିସ। ପୁଲିସ ପଞ୍ଝାରେ ପଡିଛନ୍ତି ଝାଡ଼ଖଣ୍ଡ ଜମତରା ଗ୍ୟାଙ୍ଗର ଆଉ ୪ ଠକ। ସେମାନେ ହେଲେ ଝାଡ଼ଖଣ୍ଡ ଜମତରା ଜିଲ୍ଲା ନାରାୟଣପୁର ଥାନା ଅନ୍ତର୍ଗତ ଧରମପୁରର କମଲୁଦ୍ଦିନ ଅନ୍‌ସାରୀ (୩୨), କୁଟବୁଲ୍‌ ଅନ୍‌ସାରୀ (୨୨),  ଅସ୍‌ରଫୁଲ୍‌ ଅନସାରୀ (୨୫), କମଲପୁରାର ମହମ୍ମଦ ସମିମ୍‌ ଅନ୍‌ସାରୀ (୩୨)। ଏମାନଙ୍କ ନିକଟରୁ ସାଇବର ପୁଲିସ୍‌ ମୋବାଇଲ୍‌, ଆଧାର କାର୍ଡ ସମେତ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଏହି ଲିଙ୍କରେ ସାଇବର ପୁଲିସ ଅନ୍ୟ ଜଣେ ସାଇବର ଠକକୁ ମୁମ୍ବାଇରୁ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି। ପୂର୍ବରୁ ଏହି ଘଟଣାରେ ସାଇବର ଥାନାର ସ୍ବତନ୍ତ୍ର ଟିମ୍‌ ଗ୍ୟାଙ୍ଗର ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏମାନଙ୍କ ମଧ୍ୟରେ ଥିଲେ ଝାଡ଼ଖଣ୍ଡ ଜମତରା ଜିଲ୍ଲା ଅନ୍ତର୍ଗତ ନାରାୟଣପୁର ଥାନା ଅଞ୍ଚଳର କୋରିଡ଼ିର ଗାଁର ଜାମେଶଦ ଅନସାରୀ(୩୭), ଗିରିଡ଼ି ଜିଲ୍ଲାର ଅହିଲ୍ୟାପୁର ଥାନା ଅନ୍ତର୍ଗତ ଫୁଲଝରିଆର ମହମ୍ମଦ ଆରିଫ୍‌ ଅନସାରୀ(୨୧) ଓ ଅହିଲ୍ୟାପୁର ଥାନା ଅନ୍ତର୍ଗତ ଜାମଯୋରୀର ମହମ୍ମଦ ରାଜଉଲ(୩୦)। ଏମାନଙ୍କଠାରୁ ନଗଦ ୭,୮୦୦ ଟଙ୍କା ସମେତ ୪ଟି ମୋବାଇଲ ଫୋନ, ପାନ୍‌ କାର୍ଡ, ଆଧାର କାର୍ଡ, ପାସ୍‌ବୁକ୍‌, ସିମ୍‌କାର୍ଡ ଆଦି ଜବତ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଗଙ୍ଗାଜଲ ବିରିଙ୍ଗାଟୋଲିରେ ସପରିବାର ବାସ କରନ୍ତି ନଳିନ୍ଦ୍ର ଟପ୍ପୋ। ସେ ବ୍ୟକ୍ତିଗତ କାରଣରୁ ରେଳବାଇରୁ ୨୦୨୧ ମସିହା ମେ’ ପହିଲାରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଅବସରକାଳୀନ ପ୍ରାପ୍ୟ ବାବଦକୁ ମିଳିଥିବା ୩୪ ଲକ୍ଷ ୯୯ ହଜାର ୯୦୮ ଟଙ୍କାକୁ ନିଜ ଏସ୍‌ବିଆଇ ଆକାଉଣ୍ଟ୍‌ରେ ଜମା କରିଥିଲେ। ଜମା ହେବାର ପ୍ରାୟ ୭ ମାସ ପରେ, ଅର୍ଥାତ୍‌ ୨୦୨୧ ନଭେମ୍ବର ୨୯ ତାରିଖରେ ତାଙ୍କ ପାଖକୁ ଏକ ଅଜଣା ନମ୍ବର(୭୦୬୪୮୮୫୬୬୯)ରୁ କଲ୍‌ ଆସିଥିଲା।

ଶ୍ରୀ ଟପ୍ପୋ ଫୋନ୍‌କଲ୍‌ ରିସିଭ୍‌ କରିବାପରେ ଅଜଣା ବ୍ୟକ୍ତି ଜଣକ ନିଜକୁ ନୂଆଦିଲ୍ଲୀସ୍ଥ ଫୋନ୍‌ ‌ପେ’ କାର୍ଯ୍ୟାଳୟ ଅଧିକାରୀ ପରିଚୟ ଦେଇଥିଲେ। ଏହାପରେ ‌ଠକ ନିଜର ଚକ୍ରାନ୍ତ ଆରମ୍ଭ କରିଥିଲା। ପ୍ରଥମେ ଫୋନ୍‌ ମାଧ୍ୟମରେ ୨୦ ହଜାର ଟଙ୍କା ପେମେଣ୍ଟ୍‌ କରାଯାଇଥିବା କହିବାରୁ ଶ୍ରୀ ଟପ୍ନୋ ମନା କରିଦେଇଥିଲେ। ସେ କୌଣସି ପ୍ରକାର ଅନଲାଇନ କାରବାର କରୁନଥିବା କହିଥିଲେ। ଏହାପରେ ଠକ ଜଣକ ଉକ୍ତ ଟଙ୍କାକୁ ଆକାଉଣ୍ଟ୍‌ରେ ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେବାସହ ମୋବାଇଲ୍‌ରେ ଏକ ଲିଙ୍କ୍‌ ପଠାଇଥିଲେ। ଉକ୍ତ ଲିଙ୍କ୍‌କୁ ଶ୍ରୀ ଟପ୍ପୋ କ୍ଲିକ୍‌ କରିବା‌ସହ ଓଟିପି ମଧ୍ୟ ଠକକୁ ଦେଇଦେଇଥିଲେ। ଏହାପରେ ସଂପୃକ୍ତ ଠକ ଶ୍ରୀ ଟପ୍ପୋଙ୍କୁ ମୋବାଇଲରେ ‘ଏନି ଡେସ୍କ୍‌ ଆପ୍‌’ ଡାଉନଲୋଡ୍‌ କରିବାକୁ କହିଥିଲେ। ଏହାପରେ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଉଲ୍ଲେଖଥିବା ଫୋନ୍‌ ନମ୍ବରକକୁ ପରିବର୍ତ୍ତନ କରି ନିଜର ଜାଲ୍‌ ନମ୍ବର ସହ ପଞ୍ଜିକରଣ କରିଦେଇଥିଲେ।

ଏହାପରେ ଅନାୟାସରେ ଶ୍ରୀ ଟପ୍ପୋଙ୍କ ଆକାଉଣ୍ଟ୍‌ରୁ ୧୫ ଲକ୍ଷ ୫୬ ହଜାର ଟଙ୍କା ଠକିନେଇଥିଲେ। ଏନେଇ ଶ୍ରୀ ଟପ୍ପୋ ଅବଗତ ହେବାପରେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାଇବର ପୁଲିସ ମାମଲାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ମୋବାଇଲ୍‌ ଟ୍ରାକିଂ, ଟ୍ରାଞ୍ଜେକ୍ସନ ଆଦିକୁ ତର୍ଜମାକରି ସାଇବର ଥାନାଧିକାରୀ ସେରୋଫିନା ଖେସ୍‌ଙ୍କ ନେତୃତ୍ବରେ ଏକ ଦଳ ଜମତରା ଅଭିମୁଖେ ବାହାରିଥିଲା। ସେଠାରେ ଦୁଇଦିନ ଧରି ଅଭିଯୁକ୍ତଙ୍କ ଗତିବିଧିକୁ ଲକ୍ଷ୍ୟ କରିବାପରେ ତୃତୀୟ ଦିନ ବିଳମ୍ବିତ ରାତିରେ ସମସ୍ତଙ୍କୁ ନିଜ ନିଜ ଘରକୁ ଉଠାଇ ଆଣିଥିଲା। ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବାକୁ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର