ସମ୍ବଲପୁର: ପୂର୍ବାନୁମାନ ଅନୁଯାୟୀ ଉପର ମୁଣ୍ଡରେ ବର୍ଷା ନହେବା ତଥା ଜଳ ପ୍ରବେଶ ହ୍ରାସ ପାଇବା କାରଣରୁ ହୀରାକୁଦ ବନ୍ଧର ୪ଟି ଗେଟ୍ ବନ୍ଦ କରାଯାଇଛି। ବୁଧବାର ଦିନ ୧୧ଟା ୩୦ରୁ ୧୨ଟା ମଧ୍ୟରେ ୨ଟି ଓ ସଂଧ୍ୟା ୬ଟାରୁ ୬ଟା ୩୦ ମଧ୍ୟରେ ୨ଟି ଗେଟ୍ ବନ୍ଦ କରା ଯାଇଥିଲା। ବୁଧବାର ରାତି ୯ଟା ବେଳକୁ ଆଉ ୨ଟି ଗେଟ୍‌ ଖୋଲା ଥିଲାବେଳେ ଜଳସ୍ତର ୬୨୮.୬୯ ଫୁଟ୍‌ ଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ୧,୨୭,୧୧୫ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା। ବିଭିନ୍ନ ମାର୍ଗ ଦେଇ ୭୪,୧୫୨ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା।

Advertisment

ସେଥିରୁ ସ୍ପିଲ୍‌ୱେର ୨ଟି ସ୍ଲୁଇସ୍ ଗେଟ୍ ଦେଇ ହାରାହାରି ୩୨,୬୭୬ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୩୬,୯୦୬ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ୍ ଦେଇ ୩୭୪୬ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ ଦେଇ ୪୮୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୮ କ୍ୟୁସେକ୍ ଓ ଶିଳ୍ପ ସଂସ୍ଥା ପାଇଁ ୨୩୬ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୯.୬୦ ଓ ତଳ ମୁଣ୍ଡରେ ୨୪.୬୦ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।