ସମ୍ବଲପୁର: ଦୁଇଦିନ ଧରି ହୀରାକୁଦ ବନ୍ଧର ୨୦ଟି ଗେଟ୍ ଖୋଲା ରହିବା ପରେ ମଙ୍ଗଳବାର ସନ୍ଧ୍ୟାରେ ୪ଟି ଗେଟ୍‌କୁ ବନ୍ଦ କରାଯାଇଛି। ବର୍ତ୍ତମାନ ୧୬ ଗେଟ୍‌ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୦୬.୭୭ ଫୁଟକୁ ହ୍ରାସ ପାଇଛି। ଗତକାଲି ଏହା ୬୦୯.୩୩ ଫୁଟ ଥିଲା। ବେଲଗାଁ, ପଥର୍ଲା, ଖଇରମାଳର ଜଳସ୍ତର ହ୍ରାସ ପାଇଥିଲାବେଳେ ବରମୂଳ ଓ ମୁଣ୍ଡଳିର ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ୬ଟାବେଳକୁ ଜଳଭଣ୍ଡାରକୁ ସେକେଣ୍ଡ ପିଛା ହାରାହାରି ୨ ଲକ୍ଷ ୧୨ ହଜାର ୬୫୧ ଘନଫୁଟ ପାଣି ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୨୪ ହଜାର ୯୩୧ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। 

Advertisment

ସ୍ପିଲ୍‌ୱେ ଦେଇ ୨ ଲକ୍ଷ ୯୨ ହଜାର ୨୮୦ କ୍ୟୁସେକ୍‌ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲାବେଳେ ପାୱାର ଚାନେଲରେ ୨୯ ହଜାର ୪୧୬ କ୍ୟୁସେକ୍‌, ଜଳସେଚନ ପାଇଁ ବିଭିନ୍ନ କେନାଲରେ ୩୦୦୧ କ୍ୟୁସେକ୍‌ ଏବଂ ଶିଳ୍ପସଂସ୍ଥାମାନଙ୍କ ପାଇଁ ୨୩୪ କ୍ୟୁସେକ୍‌ ଜଳ ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଉପରମୁଣ୍ଡରେ ହାରାହାରି ୩୫.୫୭ ମିଲିମିଟର ଓ ତଳମୁଣ୍ଡରେ ୭.୬୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସନ୍ଧ୍ୟା ୬ଟାବେଳକୁ ବେଲଗାଁଠାରେ ୧୬ ହଜାର  କ୍ୟୁସେକ୍, ପର୍ଥଲାଠାରେ ୫୧ ହଜାର ୨୧୮ କ୍ୟୁସେକ୍‌, ଖଇରମାଳରେ ୪ ଲକ୍ଷ ୭୨ ହଜାର କ୍ୟୁସେକ୍‌, ବରମୂଳରେ ୪ ଲକ୍ଷ ୩୬ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିରେ ୩ ଲକ୍ଷ ୩୧ ହଜାର ୯୬୩ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।