ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଂଚଳରେ ଗତ ୩୩ ଘଣ୍ଟା ମଧ୍ୟରେ ୨୧୪.୨ ମି.ମି.ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ମାନଯୋର ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ଯୋଗୁଁ ଏହାର ଇତିହାସରେ ପ୍ରଥମଥର ପାଇଁ ବନ୍ୟାଜଳ ନିଷ୍କାସନ କରାଯାଇଛି। ମାନଯୋର ଜଳଭଣ୍ଡାରର ସର୍ବୋଚ୍ଚ ଜଳପତ୍ତନ ୧୨୦ ମିଟର ହୋଇଥିବା‌ ବେଳେ ଆଜି ସକାଳେ ଜଳସ୍ତର ୧୧୮.୬ ମିଟରକୁ ଚାଲି ଆସିଥିଲା। ଏଭଳି ସ୍ଥିତିରେ ବୁଧବାର ଅପରାହ୍‌ଣରେ ଜଳଭଣ୍ଡାରର ୮ଟି ଗେଟ୍ ମଧ୍ୟରୁ ୪ଟି ଗେଟ୍ ଖୋଲାଯାଇଥିଲା। ଆଠମଲ୍ଲିକ ଉପଜିଲ୍ଲାପାଳ ଲଲିତ ମୋହନ ବେହେରା ଓ ମାନଜୋର ଜଳଭଣ୍ଡାରର ନିର୍ବାହୀ ଯନ୍ତ୍ରୀ ସନାତନ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଭାବେ ଗେଟ୍ ଖୋଲଯାଇଥିଲା। ଜଳଭଣ୍ଡାରକୁ ୧୫୦ କ୍ୟୁମେକ୍ ଜଳ ପ୍ରବେଶ କରୁଥିବାବେଳେ ୨୨୦ କ୍ୟୁମେକ୍ ବନ୍ୟାଜଳ ନିଷ୍କାସନ ହେଉଛି। ଆଗରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଇନଥିଲା। ମାନଯୋର ଜଳଭଣ୍ଡାରର ଉପରମୁଣ୍ଡରରେ ଥିବା ଗାଁଗୁଡ଼ିକର ସୁରକ୍ଷା ଦୃଷ୍ଟିକୋଣରୁ ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଇଂ.ପାତ୍ର କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ହେଲା ଆଠମଲ୍ଲିକ ବ୍ଲକ ଅଂଚଳରେ ପ୍ରବଳ ବର୍ଷା ହେଉଛି। ଗତ ମଙ୍ଗଳବାର ଦିନ ସକାଳ ୮ଟାରୁ ବୁଧବାର ସକାଳ ୮ଟା ମଧ୍ୟରେ ୧୦୧.୬ ମି.ମି ବର୍ଷା ରେକର୍ଡ ହୋଇଥିବାବେଳେ ବୁଧବାର ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ବାଧିକ ୧୧୨.୬ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ଜଣାଯାଇଛି l ମାନଯୋର ଆଠମଲ୍ଲିକ ବ୍ଲକର ମନରବେଡ଼ା ଗାଁ ନିକଟରେ ମହାନଦୀରେ ମିଶିଛି। ବର୍ଷା ଯୋଗୁଁ ମହାନଦୀ ଫୁଲି ଉଠୁଛି। ମହାନଦୀ ତଟରେ ଥିବା ଆଠମଲ୍ଳିକ ବ୍ଲକର ୧୨ଟି ପଞ୍ଚାୟତର ବହୁ ଗାଁ ଜଳମଗ୍ନ ଅଛି।