ଶୋଇଥିବା ବେଳେ ବିଛଣାରେ ନିଆଁ ଲାଗି ୪ଗୁରୁତର : ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର 

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର  ପୌରାଞ୍ଚଳ ଅନ୍ତର୍ଗତ ହରିଓମ ବିହାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘରଭିତରେ ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତରଙ୍କ ମଧ୍ୟରେ ବଲଜିତ କୌର (୬୧), ତାଙ୍କର ବିଧବା ଝିଅ ମଞ୍ଜିତ କୌର (୩୬), ନାତୁଣୀ ଈପ୍ସିତ କୌର ( ୭), ମଝିଆଁ ପୁଅ  ରାଜେନ୍ଦ୍ର ସିଂହ(୩୨) ଅଛନ୍ତି। ଘଟଣାସ୍ଥଳରେ  ପେଟ୍ରୋଲ ଗନ୍ଧ ହେଉଛି। କୋଠରି ଭିତରେ  ପେଟ୍ରୋଲ ଡବା ପଡ଼ିଛି। ଘଟଣାଟି ଆଜି ସକାଳ ୪ଟାରେ ଘଟିଛି। ଆହତମାନଙ୍କୁ  ପ୍ରଥମେ ଚିକିତ୍ସା ପାଇଁ ମଣ୍ଡାଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ହରିଓମ ବିହାରରେ ରହୁଥିବା  ସିଂହ ପରିବାରର ମୁଖ୍ୟ ଗୁରମିତ ସିଂହଙ୍କର ପୂର୍ବରୁ ମୃତ୍ୟୁ ଘଟିଛି। କିଛି ମାସ ତଳେ  ସ୍ବର୍ଗତ ଗୁରମିତ ସିଂହଙ୍କ ଝିଅ  ମଞ୍ଜିତଙ୍କର ସ୍ୱାମୀଙ୍କ ଦେହାନ୍ତ ଯୋଗୁ ମଞ୍ଜିତ  ଶାଶୂଘରୁ ଚାଲିଆସି ବ୍ରଜରାଜନଗରରେ ନିଜ ବାପଘରେ ରୁହୁଛନ୍ତି। ତାଙ୍କ ସହିତ ଛୋଟ ଝିଅ  ଈପ୍ସିତ ମଧ୍ୟ ରହୁଛି।

ଗତକାଲି ଗୁରମିତ ସିଂହଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା। ପରିବାର ପକ୍ଷରୁ  ଦରିଦ୍ର ନାରାୟଣ ସେବା କରାଯାଇଥିଲା। ରାତିରେ  ଗୋଟିଏ କୋଠରିରେ  ଥିବା ଡବଲ ବେଡ ପଲଙ୍କରେ ବଲଜିତ କୌର, ଝିଅ ମଞ୍ଜିତ ଓ ନାତୁଣୀ ଈପ୍ସିତ ଶୋଇଥିଲେ। ଅଳ୍ପଦୂରରେ ଥିବା ଅନ୍ୟ ଏକ  ଖଟରେ ମଝିଆଁ ପୁଅ ରାଜେନ୍ଦ୍ର ସିଂହ ଶୋଇଥିଲେ।  ଅନ୍ୟ ଏକ କୋଠରିରେ ସାନପୁଅ  ରବୀନ୍ଦ୍ର ସିଂହ ଶୋଇଥିଲେ। ମଝିଆଁ ପୁଅ ରାଜେନ୍ଦ୍ର ସିଂହ ଶୋଇଥିବା ଖଟରେ ନିଆଁ ଲାଗି ନାହିଁ।

ଖବର ପାଇ ବ୍ରଜରାଜନଗର ଆଇ ଆଇ ସି ନଳିତା ମୋଦୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧନ ଜାରି ରଖିଛନ୍ତି। ନିଆଁ କିଭଳି ଲାଗିଲା ଓ କିଏ ଲଗାଇଲା ଓ ପେଟ୍ରୋଲ କିଏ ଢାଳିଲା ଏହା ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧିତ ଖବର