ଭୁବନେଶ୍ବର: ଶିଳ୍ପାନ୍ୟାସ, ଉଦ୍ଘାଟନର ୧୭ତମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ଶିଳ୍ପ ପ୍ରକଳ୍ପକୁ ଉଦ୍ଘାଟନ କରିଥିବା ବେଳେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ନିବେଶକମାନଙ୍କ ଲାଗି ଓଡ଼ିଶାକୁ ଏକ ପସନ୍ଦର ସ୍ଥାନରେ ପରିଣତ କରିବା ଲାଗି ସରକାରଙ୍କ ନିରନ୍ତର ଉଦ୍ୟମ ସଫଳ ହେଉଥିବା ସେ କହିବା ସହିତ ଓଡ଼ିଶାରେ କାରବାର କରିବା ଲାଗି ୫-ଟି ଦର୍ଶନ ଅନୁସାରେ ସରକାର ସର୍ବଦା ଚିନ୍ତାମୁକ୍ତ ପରିବେଶ ପ୍ରଦାନ ଲାଗି ଉଦ୍ୟମ କରୁଥିବା ସେ କହିଛନ୍ତି। ସମସ୍ତ କଂପାନିକୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିଥିବା ଉଦ୍ୟୋଗୀମାନଙ୍କୁ ସମ୍ପ୍ରସାରଣ ଉପରେ ଧ୍ୟାନ ଦେବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ମୋଟ ୨୧ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଛି ଯେଉଁଥିରେ ୩୬୨୯.୧୬ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଓ ଏହା ଦ୍ବାରା ୯,୨୦୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପଗୁଡ଼ିକ ଅନୁଗୁଳ, ବାଲେଶ୍ବର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ରେ ସ୍ଥାପନ କରାଯିବ। ଆଜି ଶିବା ସିମେଣ୍ଟ୍ର ସୁନ୍ଦରଗଡ଼ କାରଖାନା, ଗାଡ୍ରେ ମେରାଇନ୍ ଏକ୍ସପୋର୍ଟର ବାଲେଶ୍ବର ୟୁନିଟ୍, ଏଚ୍ଆଇଏଲ୍ର ବାଲେଶ୍ବର ସିମେଣ୍ଟ୍ କାରଖାନା ଓ ରାରିନ୍ ଫ୍ଲୁଇଡ୍-ଟେକ୍ର ଖୋର୍ଦ୍ଧା କାରଖାନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଶିବା ସିମେଣ୍ଟ୍ ପକ୍ଷରୁ କ୍ଲିଙ୍କର ଓ ସିମେଣ୍ଟ୍ ଉତ୍ପାଦନ କ୍ଷମତା ବଢ଼ାଇବା ଲାଗି ସୁନ୍ଦରଗଡ଼ରେ ୧୫୨୩.୨୪ କୋଟି ଟଙ୍କା ବିନିଯୋଗ କରାଯାଇଛି। ସୁରିମି ନାମକ ଫିସ୍-ପେଷ୍ଟ୍ ଉତ୍ପାଦନ କରୁଥିବା ଗାଡ୍ରେ ମେରାଇନ୍ ଏହାର ଉତ୍ପାଦଗୁଡ଼ିକୁ ଜାପାନ, ତାଇୱାନ, କୋରିଆ ଓ ଥାଇଲ୍ୟାଣ୍ଡ୍ ଆଦି ଦେଶକୁ ରପ୍ତାନି କରୁଛି। ସେହି କଂପାନିର ୬୮.୧୧ କୋଟି ଟଙ୍କାର ପ୍ରକଳ୍ପକୁ ଆଜି ଉଦ୍ଘାଟନ କରାଯାଇଛି।
ସେହିପରି, ଲୁମିନସ୍ ପାୱାର ଟେକ୍ନୋଲୋଜିସ୍, ବାୟୋ ଏଗ୍ରୋ ଏନର୍ଜି, ଇଣ୍ଡାଲ୍କ ସ୍ପିରିଟ୍ସ, ରତ୍ନମଣି ମେଟାଲ୍ସ ଆଣ୍ଡ୍ ଟ୍ୟୁବ୍ସ, କଣ୍ଟ୍ରୋଲ୍ଏସ୍ଡାଟାସେଣ୍ଟର୍ସ, ଆଇଏଫ୍ବି ଏଗ୍ରୋ ଇଣ୍ଡଷ୍ଟ୍ରିଜ୍, ରାଉରକେଲା ସ୍ପଞ୍ଜ, ସିଏମ୍ଆର୍ ଆଲୁମିନିୟମ, ଏସ୍ଏପିଏଲ୍ ଇଣ୍ଡଷ୍ଟ୍ରିଜ୍, ପ୍ରଭୂକୃପା ଇଷ୍ଟେଟ୍ସ ଆଣ୍ଡ୍ ପ୍ରପର୍ଟିଜ୍, କଟନ୍ ୱାର୍ଲଡ୍ (ଦ୍ବିତୀୟ ୟୁନିଟ୍), ମେ’ଫେୟାର ହୋଟେଲ୍ ଆଣ୍ଡ୍ ରିସୋର୍ଟସ୍, ମଙ୍ଗଳମ୍ ଟ୍ୟାଙ୍କ ପାଇପ୍ ଆଣ୍ଡ୍ ସାନିଟାରି, ନିୟୋ ପଲିମର୍ସ, ରିନୁଏବଲ୍ ଏନ୍ଭିରୋଜିକ୍ ଓ ଶ୍ୟାମ ବେଭରେଜେସ୍-୨ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଶକ୍ତି, ଏଗ୍ରୋ ପ୍ରୋସେସିଂ, ଆଇଟି, ଆନୁଷଙ୍ଗିକ ଆଲୁମିନିୟମ, ଇସ୍ପାତ, ପ୍ଲାଷ୍ଟିକ୍, ପୋଷାକ ଓ ବୟନ, ପର୍ଯ୍ୟଟନ ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ।
ଆଜିର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ପି କେ ଜେନା, ଉନ୍ନୟନ କମିସନର ଅନୁ ଗର୍ଗ, ୫-ଟି ସଚିବ ଭି କେ ପାଣ୍ଡିଆନ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲ୍ ଏମ୍ଡି ଭୂପିନ୍ଦର ପୁନିଆ, ଜେଏସ୍ଡବ୍ଲୁର ଏମ୍ଡି ପାର୍ଥ ଜିନ୍ଦଲ, ସେଞ୍ଚୁରି ଫାଇବର ପ୍ଲେଟ୍ସର ପୁରୁଷୋତ୍ତମ ମାଲାନି, ଗାଡ୍ରେ ମେରାଇନ୍ ଏକ୍ସପୋର୍ଟର ଅର୍ଜୁନ ଗାଡ୍ରେ, ମେଫେୟାର ହୋଟେଲ୍ ଆଣ୍ଡ୍ ରିସୋର୍ଟସ୍ର ପ୍ରକଳ୍ପ ମୁଖ୍ୟ ଦିଲ୍ଲୀପ ଅଗ୍ରୱାଲ୍ ଓ କଣ୍ଟ୍ରୋଲ୍ ଏସ୍ ଡାଟା ସେଣ୍ଟର୍ସର ସିଏମ୍ଡି ଶ୍ରୀଧର ପିନାପୁରେଡ୍ଡି ଯୋଗ ଦେଇଥିଲେ।