ପୁରୀ : ସମୁଦ୍ର ସ୍ନାନ ବେଳେ ପୁଣି ୪ ଆହତ

ପୁରୀ : ଆଜି ସମୁଦ୍ରରେ ଗାଧୋଉଥିବା ବେଳେ ତିନି ଜଣ ପର୍ଯ୍ୟଟକ ଲହଡ଼ିରେ ଭାସିଯାଉଥିବା ବେଳେ ଅଗ୍ନିଶମ ସଂସ୍ଥାର ଲାଇଫଗାର୍ଡମାନେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେହିପରି ଅନ୍ୟ ଜଣେ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବା ବେଳେ ଲହଡ଼ି ମାଡ଼ରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଟାଟା ନଗରର ରିନା ସିହ୍ନା ଦୁଇ ନମ୍ବର ସେକ୍ଟରରେ ଗାଧୋଉଥିଲେ। ଏହି ସମୟରେ ଏକ ଲହଡ଼ି ଆସି ତାଙ୍କ ଦେହରେ ମାଡ଼ ହୋଇଥିଲା। ଫଳରେ ସେ ତଳେ ପଡ଼ିଯାଇ ଆହତ ହୋଇଥିଲେ। ତାଙ୍କର ବାମଗୋଡ଼ ଜଖମ ହୋଇଯାଇଛି। ତାଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସେହିପରି କୋଲକାତାର ଗୁଗଲି ଜିଲ୍ଲା ପଣ୍ଡୁଆ ଥାନା ଅନ୍ତର୍ଗତ ହରିଦାସପୁର ଗ୍ରାମର ପ୍ରଦୀପ କୁଣ୍ଡୁଙ୍କ ପତ୍ନୀ ସନ୍ଧ୍ୟା ମଧ୍ୟ ଗାଧୋଉଥିବା ବେଳେ ସମୁଦ୍ର ଲହଡ଼ି ଆସି ତାଙ୍କୁ ଭସାଇ ନେଉଥିବା ବେଳେ ସେଠାରେ ଥିବା ଲାଇଫଗାର୍ଡମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପଶ୍ଚିମବଙ୍ଗର ଦକ୍ଷିଣ ଚବିଶପ୍ରଗଣାର ଯାଦବପୁର ଅଞ୍ଚଳର କାର୍ତ୍ତିକ ଦେ(୪୮) ମଧ୍ୟ ଲହଡ଼ିରେ ଭାସିଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ସେହିପରି ମଧ୍ୟପ୍ରଦେଶ ଇନ୍ଦୋର ଅନ୍ତର୍ଗତ କେନ୍ଦ୍ରୀୟ ରୋଡ୍ ବେଙ୍ଗଲି କଲୋନିର ସୁନିତା ଚକ୍ରବର୍ତ୍ତୀ ଆଜି ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ସମୁଦ୍ରରେ ଗାଧୋଉଥିବା ବେଳେ ଲହଡ଼ି ମାଡ଼ରେ ତାଙ୍କର ବାମ ଗୋଡ଼ ଭାଙ୍ଗିଯାଇଛି। ଏହି ପର୍ଯ୍ୟଟକମାନଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର