ଏସିଡ୍‌ ମାଡ଼ରେ ୨ ଶିଶୁକନ୍ୟାଙ୍କ ସମେତ ୪ ଆହତ

ମହାକାଳପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପାଟଳୀପଙ୍ଗ ଗ୍ରାମରେ ଗତକାଲି ରାତିରେ ଅଭାବନୀୟ ଘଟଣା ଘଟିଛି। ଏସିଡ୍‌ ମାଡ଼ରେ ସ୍ବାମୀ, ସ୍ତ୍ରୀ, ୨ ଝିଅଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକ‌‌ାଲ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିିଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ପାଟଳୀପଙ୍ଗ ଗ୍ରାମର ହିମାଂଶୁ ଶେଖର ବାରିକ(୩୦) ଘରେ ଶୋଇଥିଲେ ା ପାଖରେ ପତ୍ନୀ ଓ ୨ ଝିଅ ମଧ୍ୟ ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ବିଜୁଳି କଟିଯିବା ଯୋଗୁଁ ଗରମ ଅନୁଭୂତ ହୋଇଥିଲା। ଫଳରେ ହିମା˚ଶୁ ଘରର ଝରକା ଖୋଲି ନିଦରେ ଶୋଇ ପଡ଼ିଥିଲେ। ଏହାର ପ୍ରାୟ ଘଣ୍ଟାଏ ପରେ କେହି ଦୁର୍ବୃତ୍ତ ଝରକା ପଟୁ ସେମାନଙ୍କ ଉପରେ ଏସିଡ୍‌ ଫିଙ୍ଗି ପଳାଇଥି‌ଲେ। ପ୍ରବଳ ଯନ୍ତ୍ରଣାରେ ହିମା˚ଶୁ, ପତ୍ନୀ ମିନତୀ, ବଡ଼ଝିଅ ଶାଳିନୀ (୫) ଓ ସାନ ଝିଅ ଶୁଭଶ୍ରୀ (୨) ଚିତ୍କାର କରିଥିଲେ। ହିମାଂଶୁଙ୍କ ଦୁଇ ଆଖି ସମେତ ଶରୀରର ବିଭିନ୍ନ ଅଂଶ ଜଳିଯାଇଛି। ମିନତୀ ଓ ଦୁଇ ଝିଅଙ୍କ ପେଟ, ମୁହଁ ଆଦି ଜଳି ଯାଇଛି। ମିନତୀ ଏବେ ଅନ୍ତଃସତ୍ତ୍ବା ଥିବା ଜଣାପଡ଼ିଛି। ଚିତ୍କାର ଶୁଣି ପଡ଼ୋଶୀ ଲୋକେ ସେମାନଙ୍କୁ ଉଦ୍ଧାର କରି କଟକ ପଠାଇବା ବ୍ୟବସ୍ଥା କରିଥିଲେ। ପୂର୍ବ ଶତ୍ରୁତାରୁ କେହି ଏପରି କାଣ୍ତ କରିଥିବା ଆଶଙ୍କା କରାଯାଉଛି। ହିମାଂଶୁଙ୍କ ସ˚ପର୍କୀୟମାନେ ମାର୍ଶାଘାଇ ଥାନାରେ ଏ ସ˚ପର୍କରେ ଏତଲା ଦେଇଛନ୍ତି। ହିମା˚ଶୁ ପାରାଦୀପସ୍ଥିତ ଏକ କମ୍ପାନି ଗେଷ୍ଟହାଉସ୍‌ରେ କାର୍ଯ୍ୟ କରନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଏସିଡ୍‌ ମାଡ଼ରେ ହିମା˚ଶୁଙ୍କ ୨ଟି ଆଖି ପ୍ରତି ବିପଦ ଥିବା ସୂଚନା ମିଳିଛି। ସେ ଚେତାଶୂନ୍ୟ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର