ନିର୍ବାଚନକୁ ନେଇ ଗୁଳିମାଡ଼!

ମନ୍ତ୍ରୀଙ୍କ ଭାଇ ସମେତ ୪ ଗୁରୁତର
୩ ଗିରଫ, ଜୀବନ୍ତ ଗୁଳି ଜବତ

ବରଗଡ଼ : ବିଜେପୁରରେ ଉପନିର୍ବାଚନ ପୂର୍ବରୁ ଗୁରୁବାର ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ବନାବିରା ଗ୍ରାମରେ ଗୁଳିମାଡ଼ ଓ ସଂଘବଦ୍ଧ ଆକ୍ରମଣରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ ଓ ଅନ୍ୟ ୩ ଜଣ ଆହତ ହେବା ଘଟଣାକୁ ନେଇ ପୁଣି ରାଜନୀତି ଉଷ୍ମ ହୋଇଯାଇଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅଭିଯୋଗ ପ୍ରତିଅଭିଯୋଗର କାଦୁଅଫିଙ୍ଗା ଚାଲିଥିବା ବେଳେ ଆଜି ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେପଟେ ଆହତ ୪ ଜଣଙ୍କ ମଧ୍ୟରୁ ଡିଲେଶ୍ୱର ସାହୁ ଓରଫ ମାଗି ସାହୁଙ୍କୁ ଭୁବନେଶ୍ୱର ଏମ୍‌ସକୁ ପଠାଯାଇଛି। ବିଜେପୁର ନିକଟବର୍ତ୍ତୀ ଅଞ୍ଚଳରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଛି।

ଆଜି ମିଳିଥିବା ସୂଚନା ଅନୁସାରେ ଗୁରୁବାର ସଂଧ୍ୟାରୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ବନ୍ଦ ରହିଥିଲା। ହେଲେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଛକାପଞ୍ଝା ବଢ଼ି ଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ ସୋହେଲା ଥାନା ବନାବିରା ଗାଁରେ ଏହାର ଚରମ ପରିଣତି ଦେଖିବାକୁ ମିଳିଥିଲା। ସିନେମା ଷ୍ଟାଇଲରେ ଘଟିଥିଲା ଆକ୍ରମଣ। ଦୁର୍ବୃତ୍ତଙ୍କ ଗୁଳିମାଡ଼ ଓ ସଂଘବଦ୍ଧ ଆକ୍ରମଣରେ ଏକ କାର୍‌ରେ ଯାଉଥିବା ଶାସକ ଦଳ ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସାନଭାଇ ସୁବ୍ରତ ସିଂ, ତାଙ୍କ ସହଯୋଗୀ କାର୍ତିକ ନାଗ, ଖଗେଶ୍ୱର ମହାରଣା ଏବଂ ମାଗି ସାହୁ ଆହତ ହୋଇଥିଲେ। ରାତାରାତି ସେମାନଙ୍କୁ ବୁର୍ଲା ମେଡିକାଲକୁ ନିଆଯାଇଥିଲା।

ରାଜନୈତିକ ଶତ୍ରୁତାରୁ ଏହି କାଣ୍ଡ ହୋଇଥିବା ପୁଲିସ୍‌ ପରୋକ୍ଷ ଭାବେ ସୂଚାଇ ଦେଇଛି। କିନ୍ତୁ ଏହି ଘଟଣାରେ ସଂପୃକ୍ତ କୌଣସି ଦଳର ନାଁ ପୁଲିସ୍‌ ସ୍ପଷ୍ଟ କରୁନାହିଁ। ଶୁକ୍ରବାର ମତଦାନ ଥିବାରୁ ମାମଲାକୁ ଅତି ସତର୍କତାର ସହ ପୁଲିସ୍‌ ପରିଚାଳନା କରୁଛି। ଏହି ମାମଲାରେ ୩ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ସୋହେଲା ଅଂଚଳର ବାସୁଦେବ ନାଏକ ଓରଫ ବାବୁ, ଗୁଡ୍ଡୁ ଓରଫ ଦିଗବିଜୟ ଏବଂ ଜୟପ୍ରକାଶ ଅଗ୍ରଓ୍ଵାଲ। ଅନ୍ୟ ଆକ୍ରମଣକାରୀମାନେ ଫେରାର୍‌ ଅଛନ୍ତି। ପୁଲିସ୍‌ର ୨ଟି ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଆଜି ସକାଳୁ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରୁ ୨ଟି ଖୋକା (୭.୬୫ଏମ୍‌ଏମ୍‌), ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ମାରୁତି ଭିଷ୍ଟା, ବଲେରୋ ଏବଂ ବୁଲେଟ ଜବତ କରିଛନ୍ତି। ଘଟଣାରେ ୨୦ରୁ ୨୫ଜଣ ସଂପୃକ୍ତ ଥିବା ପୁଲିସ୍‌ ଅନୁମାନ କରୁଛି। ଏନେଇ କେସ ନମ୍ବର ୨୩, ଦଫା ୧୪୭/୧୯୮/୩୪୧/୨୯୪/ ୩୨୩/୩୨୫/୩୩୬/୩୦୭/୪୨୭/୫୦୬/୧୪୩ ଆଇପିସି ଏବଂ ୨୫/୨୭ ଆର୍ମସ ଆକ୍ଟରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶୁକ୍ରବାର ପ୍ରଥମେ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଏଏସ୍‌ପି ଯଶୋବନ୍ତ ସେନାପତି ଘଟଣାର ବିସ୍ତତ ବିବରଣୀ ରଖିଥିଲେ। ହେଲେ ସେ ‘ଏହା ଗୋଟିଏ ରାଜନୈତିକ ଦଳର ଗୋଷ୍ଠୀ ଅନ୍ୟ ରାଜନୈତିକ ଗୋଷ୍ଠୀ ଉପରକୁ ଆକ୍ରମଣ କରିଛନ୍ତି ବୋଲି କହିଥିଲେ। କିନ୍ତୁ କୌଣସି ଦଳର ନାମ ନେଇନଥିଲେ। ଅପରାହ୍ନରେ ଉତ୍ତରାଂଚଳ ଆଇଜି ସୁଶାନ୍ତ ନାଥ ନିର୍ବାଚନର ପ୍ରସ୍ତୁତି ସଂପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। କିନ୍ତୁ ସିଏ ମଧ୍ୟ କୌଣସି ରାଜନୈତିକ ଦଳର ନାଁ ନେଇନଥିଲେ। ଆହତ ସୁବ୍ରତ ସିଂ ଏହି ଅଂଚଳର ଜଣେ ମନ୍ତ୍ରୀଙ୍କ ଭାଇ ଏବଂ ଗିରଫ ଅଭିଯୁକ୍ତ ବାସୁଦେବ ନାଏକ ଉକ୍ତ ଗାଁରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ି ହାରି ଯାଇଥିଲେ ବୋଲି ଆଇଜି ଶ୍ରୀ ନାଥ ସୂଚନା ଦେଇଥିଲେ। ଘଟଣା ସଂପର୍କରେ ଅଧିକ ତଥ୍ୟ ଦେଇ ସେ କହିଲେ, ବନାବିରା ଗାଁରେ ଥିବା ଗୋଟିଏ ଆଶ୍ରମ ସମ୍ମୁଖରେ ଏହି କାଣ୍ଡ ଘଟିଥିଲା। ମନ୍ତ୍ରୀଙ୍କ ଭାଇ ସୁବ୍ରତ ସିଂ ଏବଂ ତାଙ୍କ ସହଯୋଗୀ ସେଠାରେ ପହଂଚିବା ପରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ହେଲେ ଗୁଳିତକ ଗାଡ଼ିରେ ବାଜି ଥିଲା। ଆକ୍ରମଣକାରୀମାନେ ଗାଡ଼ିର କାଚକୁ ଇଟା ଏବଂ ପଥରରେ ଛେଚି ପକାଇଥିଲେ। କିନ୍ତୁ ସୌଭାଗ୍ୟକୁ କାହାରିକୁ ଗୁଳି ବାଜିନଥିଲା।

ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା

ଏହି ଗୁଳିକାଣ୍ଡ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଓଡ଼ିଶାର ଜନସାଧାରଣ ଶାନ୍ତିପ୍ରିୟ। ଗତକାଲି ଘଟିଥିବା କାପୁରୁଷୋଚିତ କାଣ୍ଡକୁ ମୁଁ ଦୃଢ଼ ନିନ୍ଦା କରୁଛି।

ସମ୍ବନ୍ଧିତ ଖବର