କଟକ/ବାଙ୍କୀ : କୋଠ ସଂପତ୍ତିକୁ କେନ୍ଦ୍ରକରି ଅଶାନ୍ତ ହୋଇପଡିଛି ବାଙ୍କୀ ଥାନାର ଭଗିପୁର ଗାଁ। ହିସାବ ମାଗିବାରୁ ଆରମ୍ଭ ହୋଇଥିଲା ବଚସା । ଶେଷରେ ପରିସ୍ଥିତି ଭୟଙ୍କର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ମାରଣାସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିଥିଲେ।

Advertisment

ଏହି ଘଟଣାରେ ଗୋଟିଏ ଗୋଷ୍ଠୀର ୪ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର ଟ୍ରକ୍‌ ଜାଳି ଦିଆଯାଇଛି। ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଯୋଗୁଁ ଗୋଟିଏ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାକୁ ନେଇ ବାଙ୍କୀ ଥାନାରେ  ୫ଟି ପୃଥକ ମାମଲା ରୁଜୁ ହୋଇଥିବାବେଳେ ପୁଲିସ୍‌ ତିନି ଜଣଙ୍କୁ ଥାନାରେ ଅଟକ ରଖିଛିି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁର ଗ୍ରାମରେ ଗତକାଲି ରାତିରେ ଗ୍ରାମରେ ଥିବା କୋଠ ସଂପତ୍ତିକୁ ନେଇ ବାର୍ଷିକ ବୈଠକ ଚାଲିଥିଲା। ସେଥିରେ ଗ୍ରାମର ପ୍ରଫୁଲ୍ଲ ଭୋଇ ଗ୍ରାମ କମିଟିକୁ ଆୟବ୍ୟୟର ହିସାବ ମାଗିଥିଲେ। ହିସାବ ମାଗିବା ଘଟଣାରୁ ବିବାଦର ସୂତ୍ରପାତ ହୋଇଥିଲା। ହିସାବକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ଷେପ, ପ୍ରତି ଆକ୍ଷେପ ହେବା ସହ ସଂଘର୍ଷ ଘଟିଥିଲା।

publive-imageଖଣ୍ଡା, ଲାଠି ଓ ବାଡି ଧରି ଦୁଇଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା। ଖଣ୍ଡା ଚୋଟରେ ୨ଜଣ ଓ ଲାଠିମାଡରେ ୨ଜଣ ଆହତ ହୋଇଥିଲେ। ଖଣ୍ଡା ଚୋଟରେ ଆହତ ହୋଇଥିବା ଗୋଷ୍ଠୀର କିଛି ଲୋକ ଗ୍ରାମ ଦାଣ୍ଡରେ ଥିବା ଏକ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ। ଘଟଣା ପରେ ଗ୍ରାମରେ ଉତ୍ତେଜନା ଲାଗିରହିଥିବା ବେଳେ ବାଙ୍କୀ ପୁଲିସ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଘଟଣାକୁ ନେଇ ପ୍ରଫୁଲ୍ଲ ଭୋଇ, ଜମ୍ବେଶ୍ୱର ସାହୁ, କୁଳମଣି ସାହୁଙ୍କ ପକ୍ଷରୁ ୫ଟି ଲିଖିତ ଅଭିଯୋଗ ବାଙ୍କୀ ଥାନାରେ କରାଯାଇଛିି।

ବାଙ୍କୀ ଥାନା ପକ୍ଷରୁ କେସ୍‌ ନଂ-୨୫୭, ୨୫୮,୨୫୯,୨୬୦ ଏବଂ ୨୬୧ ଏବଂ ଦଫା ୨୯୪, ୨୨୩, ୨୨୫, ୫୦୬, ୩୨୪, ୩୨୩, ୧୪୭, ୧୪୮, ୩୨୫, ୩୫୪, ୩୨୬, ୩୦୭, ୧୪୯ ଆଇ.ପି.ସି. / ୩/୪ ଏକ୍ସପ୍ଲୋସିଭ୍‌ ସବ୍‌ଷ୍ଟାନ୍ସ ଆକ୍ଟ ଏବଂ ୨୫, ୨୭ ଆର୍ମସ୍‌ ଆକ୍ଟ ଓ ୩୪ ଆଇ.ପି.ସି. ଧାରା ୩(୧) (ଆର୍‌) (ଏସ୍‌) ଏସ୍‌.ସି., ଏସ୍‌.ଟି. ପି.ଓ.ଏ. ଆକ୍ଟରେ ପୃଥକ ମାମଲା ରୁଜୁ କରାଯାଇ ଘଟଣା ସଂପର୍କରେ ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ବିଶ୍ୱରଂଜନ ସାହୁ ସୂଚନା ଦେଇଛନ୍ତି ।