ନବରଙ୍ଗପୁର: ନୂଆ ତରିକାରେ ଏଟିଏମ୍ରୁ ଟଙ୍କା ଲୁଟ୍। ଏଥିରେ ଏଟିଏମ୍କୁ ଭାଙ୍ଗିବାକୁ ପଡୁନି କି କାହାର ଏଟିଏମ୍ କାର୍ଡକୁ ଚୋରି କରିବାକୁ ପଡୁନି। କେବଳ ବୁଦ୍ଧି ଖଟାଇ ଏଟିଏମ୍କୁ ଟେମ୍ପରିଂ କରି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା। ସହରକୁ ସହର ବୁଲି ବୁଲି ଏପରି ଲୁଟିଥିଲେ ଟଙ୍କା। ୨୦୧୮ ରୁ ଏପରି ଲୁଟି ଚାଲିଥିଲେ। ଏଟିଏମ୍ ପରିଚାଳନା ସଂସ୍ଥାର ନିଦ ହଜିଯାଇଥିଲା। ଶେଷରେ ନବରଙ୍ଗପୁର ପୁଲିସ ହାତରେ ଧରାପଡି ଏବେ ଗିରଫ ହୋଇଛନ୍ତି ଉତ୍ତର ପ୍ରଦେଶର ୪ ଜଣ ଯୁବକ।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଏମାନଙ୍କ ଗ୍ୟାଙ୍ଗ ହରିୟାନା ଠାରୁ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି। ଏମାନଙ୍କ ସଂଖ୍ୟା ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଥିବା ଅନୁମାନ କରାଯାଉଛି। ଏଟିଏମ୍ରୁ ଟଙ୍କା ଲୁଟ୍ କରିବା ପାଇଁ କୌଣସି ଏଟିଏମ୍କୁ ଭାଙ୍ଗିବାକୁ ପଡୁନି କି ତାଡିବାକୁ ପଡୁ। କେବଳ ହାତ ସଫେଇ କାମ କରୁଛନ୍ତି। ଏହି ଗ୍ୟାଙ୍ଗରେ ବହୁତ ଶିକ୍ଷିତ ଯୁବକ ସମ୍ପୃକ୍ତ ରହିଛନ୍ତି। ଏହି ଯୁବକ ମାନେ ୨୦ ରୁ ୩୦ ଟି ଏଟିଏମ୍ କାର୍ଡ ବିଭିନ୍ନ ସୂତ୍ରରୁ ସଂଗ୍ରହ କରିଥାନ୍ତି। ଏହି ଏଟିଏମ୍ କାର୍ଡକୁ ଏଟିଏମ୍ ମେସିନ୍ ଭିତରକୁ ପ୍ରବେଶ କରି ଟଙ୍କା ବାହାର ଯେପରି କରାଯାଏ ସେପରି ପ୍ରକ୍ରିୟା କରିଥାନ୍ତି। ଟଙ୍କା ବାହାରିବା ବେଳକୁ ହଠାତ୍ ସେହି ଭିତରେ ହାତର ଅଙ୍ଗୁଳିକୁ ପ୍ରବେଶ କରାଇ ଏଟିଏମ୍କୁ ଅଚଳ ଓ ଟେମ୍ପରିଂ କରିଥାନ୍ତି, ଯାହା ଫଳରେ ଏଟିଏମ୍ ମେସିନ୍ ସ୍କ୍ରିନ୍ରେ ଏରର ଦେଖାଦେଇଥାଏ।
ଏଟିଏମ୍ରୁ ବାହାରିଥିବା ଟଙ୍କାକୁ ସେମାନେ ନେଇ ଯାଆନ୍ତିଯ ଯେଉଁ ବ୍ୟକ୍ତିର ଏଟିଏମ୍ କାର୍ଡ ସେ ବ୍ୟାଙ୍କକୁ ଯାଇ ଉକ୍ତ ଏରର ରିପୋର୍ଟ ଦେଖାଇ ବ୍ୟାଙ୍କରୁ ଟଙ୍କା କୁ ପୁଣି ଏକାଉଣ୍ଟକୁ ଫେରାଇ ଆଣିବା ରେ ସକ୍ଷମ ହୋଇଥାନ୍ତି। ଏପଟେ ଏଟିଏମ୍ରୁ ବାହାରିଥିବା ଟଙ୍କାକୁ ଲୁଟେରା ମାନେ ନେଇଥାନ୍ତି, ଯାହା ଫଳରେ ଏଟିଏମ୍ ପରିଚାଳନା କରୁଥିବା ସଂସ୍ଥାର ନିଦ ହଜିଯାଇଥିଲା।
ଭୁବନେଶ୍ୱରର ଏଟିଏମ୍ ପରିଚାଳନା କରୁଥିବା ସଂସ୍ଥା ଟିଏସଆଇ ପ୍ରାଇଭେଟ୍ ଲିମିଟେଡ୍ ଏଟିଏମ୍ରେ ରହିଥବା ସିସି କ୍ୟାମେରା ମାଧ୍ୟମରେ ଏହି ଲୁଟେରା ଗ୍ୟାଙ୍ଗର ଗତିବିଧି ଲକ୍ଷ କରୁଥିଲା। ଗତକାଲି ଏମାନଙ୍କୁ ଟ୍ରେସିଂ କରି ନବରଙ୍ଗପୁର ଥାନାକୁ ଖବର ଦେଇଥିଲା। ଏସପି ପୁର୍ଷୋତ୍ତମ ଦାସଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ସାଇବର ସ୍କ୍ଵାର୍ଡ ଓ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରି ସହରର ଗୋଟିଏ ଏଟିଏମ୍ ନିକଟରେ ଚଢ଼ଉ କରିଥିଲେ।
ଚଢ଼ଉ ସମୟରେ ଗୋଟିଏ କାର ମଧ୍ୟରେ ୨ ଜଣ ଓ ଏଟିଏମ୍ ନିକଟରେ ୨ ଜଣ ରହିଥିଲେ। ଏହି ୪ ଜଣଙ୍କୁ କାବୁ କରିବା ପରେ ନବରଙ୍ଗପୁର ଥାନାକୁ ଆସି ପଚରାଉଚରା କରିଥିଲେ। ସେମାନଙ୍କ ନିକଟରୁ ୨୩ ଗୋଟି ଏଟିଏମ୍ କାର୍ଡ, ନଗଦ ୧୯ ହଜାର ଟଙ୍କା, ୮ ଗୋଟି ମୋବାଇଲ ଓ ଗୋଟିଏ କାର ଜବତ କରାଯାଇଛି। ଗିରଫ ହୋଇଥିବା ଯୁବକ ମାନେ ହେଲେ ୟୁପି କାନପୁର ଜିଲ୍ଲାର ଚକେରୀ ଥାନା କୋଇଲାନଗରର କମଳ କାନ୍ତ, ଘାଓଖେଡାର ଗୋବିନ୍ଦ ଚେରାସିସ୍, କାନପୁର କୈଳାଶନଗରର ରିତେସ ସିଂ ଯାଦବ, ବଦାନୁ ଥାନା ଅନ୍ତର୍ଗତ ଶ୍ୟାମନଗରର ଆକାଶ ସିଂ। ଏହି ଚଢ଼ଉରେ ଅତିରିକ୍ତ ଆଇଆଇସି ରାମେଶ୍ୱର ପ୍ରଧାନ, ରାକେଶ ବେହେରା, ବଳରାମ ବେହେରା, ରଂଜିତ ଭୋଇ, ଏଏସଆଇ କ୍ଷିରସିନ୍ଧୁ ସାହୁ, ଅଶୋକ କୁମାର ଦେଓ ପ୍ରମୁଖ ଭାଗ ନେଇଥିଲେ।