ଭୁବନେଶ୍ବର : ଓଡ଼ିଶା କ୍ୟାଡର୍‌ର ୪ ଜଣ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଫେରାଇ ଦିଆଯାଇଛି। ୨ ଜଣ ସେମାନଙ୍କ କାର୍ଯ୍ୟକା‌ଳ ଶେଷ କରିଥିବାବେଳେ ଜଣଙ୍କୁ ଅଧାରୁ ଓ ଜଣଙ୍କୁ ନିଯୁକ୍ତି ପୂର୍ବରୁ କେନ୍ଦ୍ର ଫେରାଇ ଦେଇଛି। ଦାୟିତ୍ବ ବହନ କରିବା ଠିକ୍‌ ପୂର୍ବରୁ ବରିଷ୍ଠ ଆଇପିଏସ୍‌ ହିମାଂଶୁ ଲାଲ୍‌ଙ୍କ ନିଯୁକ୍ତି ରଦ୍ଦକୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଏଭଳି ଅଚାନକ ନିଷ୍ପତ୍ତି ବାବଦରେ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। ତେବେ ଏହି ଚାରି ଜଣ କେନ୍ଦ୍ରରୁ ଫେରିବା ପରେ ରାଜ୍ୟରେ ଆଇପିଏସ୍‌ ସ୍ତରରେ ସାମାନ୍ୟ ଅଦଳବଦଳ ହେବା ଆଭାସ ମିଳିଲାଣି।

Advertisment

୨୦୦୩ ବ୍ୟାଚ୍‌ର ଆଇପିଏସ୍‌ ହିମାଂଶୁ ଲାଲ୍‌ଙ୍କୁ ଗୁରୁତ୍ବପୂର୍ଣ କ୍ୟାବିନେଟ୍ ସେକ୍ରେଟାରିଏଟର କ୍ଲାସ୍ ୧ ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା। ୪ ବର୍ଷିଆ କେନ୍ଦ୍ରୀୟ ଡେପୁଟେସନ୍‌ କାଳରେ ତାଙ୍କୁ ରିସର୍ଚ ଏବଂ ଆନାଲିସିସ୍ ଉଇଙ୍ଗ୍‌(ର)ରେ ନିଯୁକ୍ତି ମିଳିଥିଲା। କିନ୍ତୁ ହଠାତ୍ ତାଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଛି ଓ ତାଙ୍କୁ ଓଡ଼ିଶା ଫେରାଇ ଦିଆଯାଇଛି। ତେଣୁ ଓଡ଼ିଶା ଫେରିବା ପରେ ସେ ପୁଲିସ ମୁଖ୍ୟାଳୟରେ ଯୋଗ ଦେଇଛନ୍ତି। ନିଯୁକ୍ତି ରଦ୍ଦର ପ୍ରକୃତ କାରଣ ଜଣା ପଡି ନ ଥିଲେ ମଧ୍ୟ ଏଥିପାଇଁ ସୋସିଆଳ୍‌ ମିଡିଆକୁ ଦାୟୀ କରାଯାଉଛି। ପୂର୍ବରୁ ସ‌େ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ଥିଲେ ଓ ତାଙ୍କର ଏକାଧିକ ପୋଷ୍ଟକୁ ନେଇ ଏହି ନିଯୁକ୍ତି ରଦ୍ଦ ହୋଇଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ଡେପୁଟେସନରେ ଏନ୍ଆଇଏ ଏସ୍‌ପି ଭାବେ ଯୋଗ ଦେଇଥିବା ୨୦୦୮ ବ୍ୟାଚ୍‌ର ଆଇପିଏସ୍ ସତ୍ୟଜିତ ନାୟକଙ୍କୁ ଅବଧି ପୂର୍ବରୁ ଫେରି ଆସିବାକୁ ପଡ଼ିଛି। ୫ ବର୍ଷ ପାଇଁ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠା ଯାଇଥିଲେ ମଧ୍ୟ ମାତ୍ର ବର୍ଷକ ଭିତରେ ତାଙ୍କୁ ଫେରାଇ ଦିଆଯାଇଛି। ଏହା ପଛର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ସ୍ପେସାଲ୍‌ ପ୍ରୋଟେକ୍ସନ୍ ଗ୍ରୁପ୍(ଏସପିଜି) ଏଡିଜି ଯଶବନ୍ତ କୁମାର ଯେଠୱା ଓ ସିଆଇଏସ୍ଏଫ୍‌ରୁ ରିତୁ ଆରୋରା ସଫଳତାର ସହ କେନ୍ଦ୍ରୀୟ ଡେପୁଟେସନ ସାରି ଫେରିଛନ୍ତି।