କେନ୍ଦୁଝର: କେନ୍ଦୁଝର ବନ ବିଭାଗ ପକ୍ଷରୁ ବାଂଶପାଳ ବିଟ୍ ଅନ୍ତର୍ଗତ ବାଲିବେଡ଼ା ଗ୍ରାମରେ ଚଢ଼ଉ କରାଯାଇ ୪ଟି ହାତୀଦାନ୍ତ ଜବତ କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ବାଲିବେଡ଼ା‌ ଗ୍ରାମର ଗଙ୍ଗାଧର ପାତ୍ର (୪୧), ଜମ୍ଭିରିପଶି ଗ୍ରାମର ନାରଦ ମୁଣ୍ଡା (୨୫), ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଭାଲିଆଡ଼ିହାର କେଦାରନାଥ ପାତ୍ର (୪୯), ଚମ୍ପୁଆ ଥାନା ଯୋଡ଼ାପୋଖରୀ ଗ୍ରାମର ଶ୍ରୀକୃଷ୍ଣଚନ୍ଦ୍ର ମୁଣ୍ଡା (୪୫) ଓ କେନ୍ଦୁଝର ସଦର ଥାନା ବରଦାପାଳ ଗ୍ରାମର ଘାସିରାମ ମୁଣ୍ଡା (୩୦)। ଜବତ ହାତୀଦାନ୍ତର ଓଜନ ୫ କେଜି ୫୮ ଗ୍ରାମ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନରାଜ ସୂଚନା ଦେଇଛନ୍ତି।

Advertisment

ଶୁଆକାଟି ସେକ୍ସନ୍‌ ବାଂଶପାଳ ବିଟ୍ ଅଧୀନ ବାଲିବେଡ଼ା‌ ଗ୍ରାମରେ ହାତୀଦାନ୍ତ କାରବାର ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଚଢ଼ଉ ପାଇଁ ସହକାରୀ ବନ ସଂରକ୍ଷକ ସୁଦୀପ୍ତ ପଣ୍ଡା, ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧିକାରୀ ନୟନକାନ୍ତ ସାହୁ, ବନପାଳ କାଳିନ୍ଦୀ ଚରଣ ସାମଲ, ଜ୍ୟୋତିର୍ମୟୀ ପଟ୍ଟନାୟକ, ସରୋଜ କୁମାର ପାତ୍ର, ବନରକ୍ଷୀ ସୁବ୍ରତ ପାତ୍ର, ମିତ୍ରଭାନୁ ନାଏକ ଓ ମିଲିରାଣୀ ଦାଶଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଚଢ଼ଉ କରି ସନ୍ଦିଗ୍ଧ ଲୋକଙ୍କୁ ଧରିଥିଲେ। ସେମାନଙ୍କ ସୂଚନା ଆଧାରରେ ଆଜି ପୂର୍ବାହ୍ନରେ ବନ ବିଭାଗ ନୟାକୋଟ ଥାନା ବାଲିବେଡ଼‌ା ଗ୍ରାମର ଗଙ୍ଗାଧର ପାତ୍ରଙ୍କ ଘରେ ଚଢ଼ଉ କରିଥିଲା। ସେଠାରେ ପାଞ୍ଚଜଣଙ୍କ ପାଖରେ ଚାରିଟି ହାତୀଦାନ୍ତ ମିଳିଥିଲା। ହାତୀଦାନ୍ତ ଜବତ କରାଯିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।