ତେଲକୋଇ: ପାଖରେ ଆଉ ଟଙ୍କା ନାହିଁ। ଖାଇବାକୁ କିଛି ନାହିଁ। ପୁଲିସ ହାତଟେକି ଯାହା ଦେଉଛି ତାକୁ ଖାଉଛୁ। ପର୍ଯ୍ୟଟକଙ୍କ ଶିବିରରେ ଆଶ୍ରୟ ନେଇଛୁ। ଚାରିଦିନ ହେଲା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛୁ। ଆମକୁ ତୁରନ୍ତ ଉଦ୍ଧାର କରାଯାଉ। ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡର କେଦାରନାଥରେ ଫସିଥିବା କେନ୍ଦୁଝର ଜିଲ୍ଲାର ୪ କାଉଡ଼ିଆଙ୍କଠାରୁ ଏଭଳି ଖବର ପାଇବା ପରେ ପରିବାରରେ କାନ୍ଦବୋବାଳି ପଡ଼ିଯାଇଛି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ପରିବାର ଲୋକେ ନେହୁରା ହୋଇଛନ୍ତି।

Advertisment

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଜଗମୋହନପୁର ଗ୍ରାମର ସଦାନନ୍ଦ ସାହୁ (୩୫), ସରୁଆଳି ଗ୍ରାମର କାର୍ତ୍ତିକେଶ୍ବର ଖିଲାର (୪୪), ଚନ୍ଦ୍ରଶେଖରପୁର ଗ୍ରାମର ମହେଶ୍ୱର ପ୍ରଧାନ (୫୪) ଓ କେନ୍ଦୁଝର ସଦର ବ୍ଲକ୍‌ କେମ୍ପସଡ଼ା ଗ୍ରାମର ଋଷିନାଥ ମହାନ୍ତ (୨୮) ଶ୍ରାବଣ ମାସରେ ପାଣି ଢାଳିବା ପାଇଁ ୨୭ ତାରିଖରେ କେଦାରନାଥ ଅଭିମୁଖେ ଯାତ୍ରା କରିଥିଲେ। ଜୁଲାଇ ୩୦ ଅପରାହ୍‌ଣ ୩ଟାବେଳେ ସମସ୍ତେ କେଦାରନାଥ ମନ୍ଦିରରେ ପହଞ୍ଚିଥିଲେ। ୩୧ ତାରିଖରେ କେଦାରନାଥଙ୍କ ନିକଟରେ ଜଳଲାଗି କରିବା ପରେ ଘରକୁ ଫେରିବାକୁ ସଜବାଜ ହେଉଥିଲେ। ସେହିଦିନ ରାତିରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡର ସୋନପ୍ରୟାଗ ଓ ଗୌରୀକୁଣ୍ଡ ମଧ୍ୟରେ ରାଜପଥ ଧୋଇ ଯାଇଥିଲା। ପୋଲ ମଧ୍ୟ ଭା‌ଙ୍ଗି ଯାଇଥିଲା। ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ୨୦୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏବେ ବି କେଦାରନାଥ ପୀଠରେ ଫସି ରହିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ରିଲିଫ ସହାୟତା ସହ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମେଘୁଆ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି। ବାରମ୍ବାର ପାଗରେ ପରିବର୍ତ୍ତନ ସାଙ୍ଗକୁ ଅମ୍ଳଜାନ ଅଭାବରୁ ଶ୍ବାସକ୍ରିୟାରେ ସମସ୍ୟା ହେଉଥିବା ସେଠାରେ ଫସି ରହିଥିବା ଶ୍ରଦ୍ଧାଳୁମାନେ ପ୍ରକାଶ କରିଛନ୍ତି।

କେଦାରନାଥରେ ଫସିଥିବା ଜଗମୋହନପୁର ଗ୍ରାମର ସଦାନନ୍ଦ ସାହୁ ‘ସମ୍ବାଦ’କୁ କହିଛନ୍ତି, ପୂର୍ବରୁ ଏଠାରେ ୫ ହଜାର ଶ୍ରଦ୍ଧାଳୁ ଫସିଥିଲେ। ଏବେ ସୁଦ୍ଧା ସାଢ଼େ ୩ ହଜାର ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଗଲାଣି। ଆହୁରି ୧୫ ଶହ ଅଛନ୍ତି। ଉଦ୍ଧାର କରିବାକୁ ହେଲିକପ୍ଟର ଆସିଲେ ଏକ ସଙ୍ଗେ ଶହଶହ ଲୋକ ଠେଲାପେଲା ହେଉଛନ୍ତି। ତେଣୁ ପୁଲିସ ଲାଠି ଧରି ଗୋଡ଼ାଉଛି। ଆମ ପାଖରେ ଆଉ ଟଙ୍କା ନାହିଁ। ପୁଲିସ ଯାହା ଖାଇବାକୁ ଦେଉଛି ତାକୁ ଖାଇ ଏଠାରେ ଚାରିଦିନ ହେଲା ପଡ଼ିରହିଛୁ। ସେପଟେ ଘରେ କାନ୍ଦବୋବାଳି ପଡ଼ିଲାଣି। ରାଜ୍ୟ ସରକାର ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସଦାନନ୍ଦ ନିବେଦନ କରିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହଙ୍କ କହିବା ମୁତାବକ ଜିଲ୍ଲା ଶ୍ରମ ଅଧିକାରୀ ସେଠାକାର ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି। ସେ ଆସନ୍ତାକାଲି ସେଠାକୁ ଯାଇ କାଉଡ଼ିଆମାନଙ୍କୁ ଉଦ୍ଧାର ପାଇଁ ବ୍ୟବସ୍ଥା କରିବେ।