ଅଟୋ-ଟ୍ରକ୍‌ ଧକ୍କାରେ ୪ ମୃତ

ଶବ ସତ୍କାର ସାରି ଫେରୁଥିଲେ, ଶବ ପାଲଟିଗଲେ

0

ପୁରୀ : ସ୍ୱର୍ଗଦ୍ୱାରରେ ଜଣେ ଆତ୍ମୀୟଙ୍କ ଶବ ସତ୍କାର କରି ଘରକୁୁ ଫେରୁଥିଲେ। ଆଉ ମାତ୍ର ୫ କିଲୋମିଟର ଯାଇଥିଲେ ସମସ୍ତେ ଗାଁରେ ପହଞ୍ଚି ଯାଇଥାନ୍ତେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଅଧାବାଟରେ ସେମାନଙ୍କୁ ଡାକିନେଲା ଯମ। ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଶବ ପାଲଟିଗଲେ। ଆଉ ୪ ଜଣ ଗୁରୁତର ଭାବେ ଆହତ ହୋଇ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଆଜି ମଧ୍ୟରାତ୍ରିରେ ଏକ ଅଟୋକୁ ଟ୍ରକ୍‌ ଧକ୍କା ଦେବା ଫଳରେ ଏଭଳି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ନିକଟରେ। ଏହାପରେ ଦୁର୍ଘଟଣା ଘଟିଥିବା ସ୍ଥାନ ଓ ପୁରୀ ସଦର ହସ୍‌ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଆଖପାଖ ଗାଁର ଉତ୍ତ୍ୟକ୍ତ
ଲୋକ ଜଗନ୍ନାଥ ସଡ଼କକୁ ଅବରୋଧ କରିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ଏହି ଦୁୁର୍ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ସ୍ୱର୍ଗଦ୍ୱାରରୁ ଶବ ସତ୍କାର କରି ୮ ଜଣ ଅଟୋ(ଓଡି ୧୩ ଏଫ ୦୧୧୨)ରେ ନିଜ ଗ୍ରାମ କଣାସର ଅଣ୍ଡାଳ ସିଂକୁ ଫେରୁଥିବାବେଳେ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଜଗନ୍ନାଥ ସଡ଼କର ଶୁକଳ ଓ ଆଳିସ ମଧ୍ୟରେ ଥିବା ହନୁମାନ ମୂର୍ତ୍ତି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପଥର ବେଝେଇ ଟ୍ରକ୍‌ (ଓଆର ୦୯ଇ୭୩୭୧) ସେହି ଅଟୋକୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ଅଟୋଟି କିଛି ବାଟ ଘୋଷାରି ହୋଇ ଏକ ଗଛରେ ପିଟି ହୋଇଥିଲା। ଫଳରେ ଟ୍ରକ୍‌ ଓ ଗଛ ମଧ୍ୟରେ ଅଟୋ ସହ ଯାତ୍ରୀମାନେ ଚାପି ହୋଇ ଯାଇଥିଲେ ଏବଂ ଘଟଣାସ୍ଥଳରେ ଉମାକାନ୍ତ ବଳିଆରସିଂ(୫୫) ଏବଂ କୁମର ବିଶ୍ୱାଳ(୬୨)ଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା ଏବଂ ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରି ପୁରୀ ସଦର ହସ୍‌ପିଟାଲରେ ଭର୍ତି କରିଥିଲା।

ତେବେ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁନୀଲ ସାମନ୍ତରାୟ(୫୦) ଏବଂ ଅଟୋ ଚାଳକ ତପନ ବିଶ୍ୱାଳ(୨୪)ଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ତପନଙ୍କ ଘର କଣାସ ବ୍ଲକ୍‌ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଖଣ୍ଡହତାରେ। ସେହିପରି ଅନ୍ୟ ଆହତମାନଙ୍କ ମଧ୍ୟରେ ସର୍ବେଶ୍ୱର ମହାପାତ୍ର(୬୦), ମାଗୁଣି ନାୟକ(୩୫), ଦିବାକର ବରାଳ(୪୮), ସାଗର ପ୍ରଧାନ(୬୫), ଭାଗୁ ନାୟକ(୬୫)ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପୁରୀ ସଦର ହସପିଟାଲରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଟ୍ରକ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସଦର ହସ୍‌ପିଟାଲରେ ସ୍ଥିତି ଉତ୍ତେଜନାପ୍ରବଣ ଥିବାରୁ ପୁଲିସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଖବର ଲେଖା ହେବା ବେଳକୁ ଦୁର୍ଘଟଣାସ୍ଥଳରେ ଜଗନ୍ନାଥ ସଡ଼କକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରି ବସି ରହିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.