ଭୁବନେଶ୍ବର: ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ଲକ୍ଷ ଟଙ୍କା, ୬୦ ପ୍ରତିଶତ ଶରୀର ନଷ୍ଟ ହୋଇଥିଲେ ୨ଲକ୍ଷ, ୪୦ରୁ ୬୦ ପ୍ରତିଶତ ପାଇଁ ୫୯ ହଜାର ୧୦୦ ଟଙ୍କା ମିଳିବ କ୍ଷତିପୂରଣ। ଏଭଳି ହାରରେ କ୍ଷତିପୂରଣ ଧାର୍ଯ୍ୟ କରିବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆେୟାଗକୁ ସରକାରଙ୍କ ପକ୍ଷରୁ ସୁପାରିସ କରାଯାଇଛି। ଆେୟାଗ ଏହାକୁ ବିଚାରକୁ ନେଇଛନ୍ତି। ଆଜି ବିଧାନସଭାରେ ମେଣ୍ଡରାଜପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ବସ୍‌ ଆସିବା ଫଳରେ ୧୧ ଜଣଙ୍କ ଜୀବନ ଚାଲିଯିବା ଘଟଣାରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏଭଳି ସୂଚନା ଦେଇଥିଲେ। ମନ୍ତ୍ରୀ ଆହୁରି କହିଥିଲେ ଯେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯଦି କେହି ସପ୍ତାହେରୁ ଅଧିକ ସମୟ ମେଡିକାଲରେ ଚିକିତ୍ସା ହୁଅନ୍ତି, ତେବେ ୧୨ ହଜାର ଏବଂ ସପ୍ତାହରୁ କମ ସମୟ ଚିକିତ୍ସା ହେଲେ ୪ହଜାର ୫୦୦ ଟଙ୍କା ସହାୟତା ଦିଆଯିବ। ସେହିଭଳି ଗାଈ ଓ ମଇଁଷି ମଲେ ୩୦ ହଜାର; ଛେଳି, ମେଣ୍ଢା ,ଘୁଷୁରି ମଲେ ୩ ହଜାର ଓ କୁକୁଡ଼ା ଫାର୍ମ ନଷ୍ଟ ହେଲେ ୫ ହଜାର ଟଙ୍କା କ୍ଷତିପୂରଣ ମିଳିବ। ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଦ୍ୟୁତ ବିଭାଗର ଦୋଷ ଦୁର୍ବଳତା ଦର୍ଶାଇବା ସହିତ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ବସ୍ ଚାଳକ ମଧ୍ୟ ଦାୟୀ ବୋଲି କହିଥିଲେ।

Advertisment

ବିରୋଧୀ ମୁଲତବୀ ପ୍ରସ୍ତାବ ଦେଇ ବି ଭାଗ ନେଲେନି, ଶକ୍ତିମନ୍ତ୍ରୀ ଉତ୍ତର ଦେବା ଦାବିରେ କକ୍ଷତ୍ୟାଗ କଲେ

ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେପି ପକ୍ଷରୁ ଏହି ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ହେଲେ ପରିବହନ ମନ୍ତ୍ରୀ କାହିଁକି, ଶକ୍ତି ମନ୍ତ୍ରୀ କାହିଁକି ଉତ୍ତର ଦେବେ ନାହିଁ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଯେଉଁ ଯୁକ୍ତି ରଖିଥିଲେ, ତାହା ମୁଲତବୀ ଆଲୋଚନାର ପରିବେଶକୁ ବଦଳାଇ ଦେଇଥିଲା। ଏହି ମୁଲତବୀ ପ୍ରସ୍ତାବ ଗତ ତିନି ଦିନ ଧରି ଆସୁଛି, ଯେଉଁଥିରେ ପରିବହନ ମନ୍ତ୍ରୀ ଉତ୍ତର ଦେବେ ବୋଲି ଉଲ୍ଲେଖ ଥିଲା। ହେଲେ ଚୁପ୍ ଥିବା ବିଜେପି ବିଧାୟକମାନେ ଶକ୍ତି ମନ୍ତ୍ରୀ ଉତ୍ତର ଦେବାକୁ ଦାବି କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଭୟ ମନ୍ତ୍ରୀ ଗୃହରେ ଅଛନ୍ତି ଏବଂ ଯାହା ପଚାରିଲେ ଉତ୍ତର ମିଳିବ ବୋଲି ଯେତେ କହିଲେ ବି ଏହାର ପ୍ରଭାବ ବିରୋଧୀଙ୍କ ଉପରେ ପଡ଼ିନଥିଲା। ଫଳରେ ପ୍ରଥମେ ବିଜେପି ଓ ପରେ କଂଗ୍ରେସ ବିଧାୟକମାେନ କକ୍ଷତ୍ୟାଗ କରି ଆସିଥିଲେ।

ଏହି ଘଟଣାରେ ଆଜି ଶକ୍ତି ମନ୍ତ୍ରୀ ତଥ୍ୟ ରଖି ଆହୁରି କହିଥିଲେ ଯେ ୨୦୧୪ରୁ ୨୦୧୯ ମଧ୍ୟରେ ୧୧୫୭ଟି ବିଦ୍ୟୁତ ଜନିତ ଦୁର୍ଘଟଣା ଘଟିଛି। ଏଥିରେ ୮୮୨ ଜଣ ମୃତ୍ୟୁବରଣ କରିଛନ୍ତି। ୪୩ଟି ହାତୀ ବି ମରିଛନ୍ତି। ସରକାରୀ ଦଳ ପକ୍ଷରୁ ଏହି ପ୍ରସଙ୍ଗରେ ବିଧାୟିକା ଉଷା ଦେବୀ, ପ୍ରଦୀପ ପାଣିଗ୍ରାହୀ, ଲତିକା ପ୍ରଧାନ ଓ ଧ୍ରୁବ ସାହୁ ଆଲୋଚନାରେ ଭାଗ ନେଇଥିଲେ। ବିଧାୟକମାନେ କହିଥିଲେ, ୧୧କେଭି ତାର ୨୦ଫୁଟ ଉପରେ ଥିବା କଥା। ଏଠାରେ ୧୨ଫୁଟ ଉଚ୍ଚତାରେ ଯାଇଥିଲା। ତେବେ ସରକାର ଚୁପ୍ ବସିନାହାନ୍ତି। ଯେଉଁ ସ୍ଥାନରେ ତାର ଓହଳିଛି ବିଭାଗକୁ ଜଣାଇଲେ ଆସନ୍ତା ୬ ଦିନ ଭିତରେ ପଦକ୍ଷେପ ନିଆଯିବ ବୋଲି ବିଦ୍ୟୁତ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଅନାଥ ହୋଇଥିବା ପିଲାଙ୍କ ଦାୟିତ୍ବ ସରକାର ନିଅନ୍ତୁ ଏବଂ ଯେଉଁମାନେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଛନ୍ତି ସେମାନଙ୍କ ପାଇଁ ସରକାର ଜୀବନବ୍ୟାପୀ ବଞ୍ଚିବାର ବନ୍ଦୋବସ୍ତ କରନ୍ତୁ ବୋଲି ସଭ୍ୟମାନେ ଦାବି କରିଥିଲେ।

ଉଲ୍ଲେଖଯୋଗ୍ୟ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୃହରେ ଉତ୍ତର ରଖି କହିଥିଲେ, ଘଟଣାର ତଦନ୍ତ ରିପୋର୍ଟ ଅନୁଯାୟୀ, ବସ୍‌ଟି ନିୟମ ଭାଙ୍ଗି ଭୁଲ ରାସ୍ତାରେ ଯାଇଥିଲା। ଏଥିପାଇଁ ବସ୍‌ର ପରିମିଟ ରଦ୍ଦ କରାଯିବା ସହ ଗାଡ଼ି ମାଲିକ ଓ ଡ୍ରାଇଭରଙ୍କ ନାଁରେ ଏତଲା ଦିଆଯାଇଛି। ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ନିୟମ ଭାଙ୍ଗିଥିବାରୁ ଚାଲାଣ ମଧ୍ୟ କଟାଯାଇଛି। ଡ୍ରାଇଭର ଦାୟିତ୍ୱହୀନ ଭଳି ଗାଡ଼ି ଚଳାଉଥିବାରୁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି। ତଦନ୍ତ ଅନୁସାରେ, ୧୧ କେଭି ବିଦ୍ୟୁତ ତାର ଭୂମିଠାରୁ ୨୦ ଫୁଟ ଉଚ୍ଚରେ ରହିବା ନେଇ ନିୟମ ଥିବା ବେଳେ ଦୁର୍ଘଟଣାସ୍ଥଳରେ ଏହା ୧୨ ଫୁଟ ଉଚ୍ଚରେ ଥିଲା ଯାହା ଦୁର୍ଘଟଣାର ଏକ ବଡ଼ କାରଣ। ଏହାଛଡ଼ା ବିଦ୍ୟୁତ ତାର ବସ୍ ସଂସ୍ପର୍ଶରେ ଆସିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ବସ୍‌ରୁ ତଳକୁ ଓହ୍ଲାଇବା ବେଳେ କରେଣ୍ଟ ଲାଗି ପ୍ରାଣ ହରାଇଥିବା ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ଏହି ଘଟଣାର ତଦନ୍ତ କରାଯାଇ ସାଉଥ୍‌କୋର କନିଷ୍ଠ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ। ଆହତମାନଙ୍କ ମାଗଣା ଚିକିତ୍ସା କରାଯିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ସରକାରଙ୍କ ପକ୍ଷରୁ ଦିଆଯାଇଛି। ମନ୍ତ୍ରୀ କହିଥିଲେ, ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର ଗୁଡିକୁ ନିଦ୍ଦିଷ୍ଟ ସମୟସୀମା ମଧ୍ୟରେ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶକ୍ତି ବିଭାଗ ତରଫରୁ ବିଦ୍ୟୁତ୍ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରିବାକୁ ସମସ୍ତ ଅଧିକାରୀ ଓ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶକ୍ତି ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ବୁଲି ଦେଖିବା ସହ ବିପଦପୂର୍ଣ୍ଣ ଭାବେ ଥିବା ସ୍ଥାନଗୁଡ଼ିକରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।