ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ: କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ୪ ଲକ୍ଷ ଭକ୍ତଙ୍କ ସମାଗମ

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଆଜି ରାଜାଧିରାଜ ତଥା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ୪ ଲକ୍ଷରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିଛନ୍ତି। ସେପଟେ ଚୂଡ଼ାନ୍ତ ହୋଇଥିବା ସମସ୍ତ କାର୍ତ୍ତିକ ନୀତି ବି ଆଜି ନିର୍ଦ୍ଧାରିତ ସମୟ ଭିତରେ ଓ ଶୃଙ୍ଖଳିତ ଭାବେ ଶେଷ ହୋଇଛି। ପରମ୍ପରା ଅନୁଯାୟୀ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ରାଜାବେଶ ଅନୁଷ୍ଠିତ ହୋଇଥାଏ। ଏହାକୁ ରାଜାଧିରାଜ ବେଶ ବୋଲି କୁହାଯାଏ। ଏହି ଦିନ ମହାପ୍ରଭୁ ସୁନାବେଶର ଦର୍ଶନ ଦେଇଥାନ୍ତି। ଏହି ଉପଲକ୍ଷେ ଆଜି ସିଂହାରୀ ସେବକମାନେ ଶ୍ରୀଜିଉଙ୍କୁ ସୁବର୍ଣ୍ଣ ଅଳଙ୍କାରେ ସୁସଜ୍ଜିତ କରିଥିଲେ। ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ର ଶ୍ରୀଜିଉଙ୍କୁ ଲାଗି କରିଥିଲେ। ଅଳଙ୍କାର ଓ ପାଟବସ୍ତ୍ର ଲାଗି ପରେ ଅପରୂପ ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଏହ ସୁନାବେଶ ଦର୍ଶନ କରି କୃପା ଲାଭ କରିଥିଲେ। ଏଥିପାଇଁ ସୋମବାର ରାତିରୁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଯାଇଥିଲା। ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଅପରୂପ ବେଶକୁ ଦର୍ଶନ ପାଇଁ ଅନାଇ ରହିଥିଲେ। ଭୋରରୁ ମହୋଦଧିରେ ବୁଡ଼ ପକାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଗତକାଲି ରାତି ପ୍ରାୟ ୧୨ଟାରେ ମହାପ୍ରଭୁଙ୍କ ପହୁଡ଼ ନୀତି ପରେ ରାତି ଗୋଟାଏରେ କାର୍ତ୍ତିକ ନୀତି ଆରମ୍ଭ ହୋଇଥିଲା। ଭିତରଚ୍ଛୁ ସେବକ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ରାତି ପ୍ରାୟ ୨ଟାରେ ସିଂହଦ୍ବାର ଖୋଲାଯାଇଥିଲା। ଦ୍ବାରଫିଟା ନୀତି ସଂପାଦନ ପରେ ମଙ୍ଗଳ ଆଳତି ଆରମ୍ଭ ହୋଇଥିଲା। ପରେ ଅବକାଶ ନୀତି ଆରମ୍ଭ ହୋଇଥିଲା। ଭୋର ପ୍ରାୟ ୪ଟାରେ ମହାପ୍ରଭୁଙ୍କ ସୁନାବେଶ ‌ଆରମ୍ଭ ହୋଇଥିଲା। ସୁନାବେଶ ଶେଷ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିଥିଲେ। ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବଲ୍ଲଭ, ସକାଳ ଧୂପ ପରେ ସକାଳ ୯ଟାରେ ବାଳଧୂପ ନୀତି ଶେଷ ହୋଇଥିଲା। ମଧ୍ୟାହ୍ନ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ଶେଷ ହୋଇଥିଲା। ଅପରାହ୍‌ଣରେ ବେଶ ମଇଲମ ଆଦି ଆରମ୍ଭ ହୋଇଥିଲା। ଆଜି ଦିନତମାମ୍ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଲଗାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ଭକ୍ତଙ୍କ ଭିଡ଼ ଲାଗି ରହିଥିଲା।

ଆଜି ମହାପ୍ରଭୁଙ୍କ ବନକଲାଗି, ଅପରାହ୍ଣ ୪ରୁ ରାତି ୮ଟା ଯାଏ ଦର୍ଶନ ବନ୍ଦ
ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ବୁଧବାର ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମୁଖ ସିଙ୍ଗାର ସହ ଅନ୍ୟାନ୍ୟ ନୀତି ସଂପନ୍ନ ହେବ। ଅପରାହ୍‌ଣ ୪ଟାରୁ ଏହି ନୀତି ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରେ ମହାସ୍ନାନ ହୋଇ ପୁନର୍ବାର ଦର୍ଶନ ଆରମ୍ଭ ହେବ। ଏଣୁ ଅପରାହ୍ଣ ୪ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର