ବାଲ୍ୟ ବିବାହ ରୋକିବା ପାଇଁ ୪ ଲକ୍ଷ ଲୋକ ନେଲେ ଶପଥ

ମାଲକାନଗିରି: ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ବିଭାଗ ତରଫରୁ ଏକ ୫୦ ଦିନିଆ କାର୍ଯ୍ୟକ୍ରମ ଗତ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇଥିଲା। ଏହି ୫୦ ଦିନିଆ କାର୍ଯ୍ୟକ୍ରମରେ ଆଜି ୪୬ତମ ଦିନ ହୋଇଥିବା ଅବସରରେ ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦେଶକ୍ରମେ ସାମୁହିକ ଶପଥ ପାଠର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମସ୍ତରରୁ ଆରମ୍ଭକରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାକରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ସମସ୍ତ ଗ୍ରାମମାନଙ୍କରେ ଏହି ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା।

ଜିଲ୍ଲାର ସମସ୍ତ ୧୩୨୦ ଅଙ୍ଗନବାଡି କେନ୍ଦ୍ର, ସମସ୍ତ ୧୧୧ ଗ୍ରାମପଞ୍ଚାୟତ, ୭ଟି ପଞ୍ଚାୟତ ସମିତି, ୭ଟି ତହସିଲ, ୧୧ଟି ପୁଲିସ କାର୍ଯ୍ୟାଳୟ, ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ ଠାରେ ଏହି ଶପଥ ପାଠ କରାଯାଇଥିଲା। ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ଜନସାଧାରଣ, କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ। ଜିଲ୍ଲାରେ ବାଲ୍ୟ ବିବାହକୁ ସଂପୂର୍ଣ୍ଣ ବିଲୋପ କରିବା ପାଇଁ ଏବଂ ଜିଲ୍ଲାର ସମସ୍ତ କିଶୋର କିଶୋରୀମାନଙ୍କୁ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ଦେବା ପାଇଁ ଏକ ସଚେତନତା ସୃଷ୍ଟି କରିବାର ଆହ୍ବାନ ହେଉଛି ଏହି ଶପଥପାଠ କାର୍ଯ୍ୟକ୍ରମ। ଜିଲ୍ଲାର ମୋଟ ୪ ଲକ୍ଷ ଲୋକ ଆଜି ଏକାଥରକେ ଶପଥ ପାଠ କରିଥିଲେ। ମାଲକାନଗିରି ଜିଲ୍ଲା ପାଇଁ ଏହା ଏକ ଇତିହାସ ହେବା ସହ ରେକର୍ଡ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର