ରାୟଗଡ଼ା: ରାୟଗଡ଼ାବାସୀଙ୍କ ଦୁଇ ଦଶନ୍ଧିର ଦାବି ଉପରେ ମୋହର ମାରିଛି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଆଇ)। ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ପାଇଁ ସହର ବାହାର ଦେଇ ୪ ଥାକିଆ ବାଇପାସ୍ ନିର୍ମାଣ କରିବାକୁ ରୂପରେଖ ଚୂଡ଼ାନ୍ତ ହୋଇଛି। ସର୍ଭେ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଜମି ଅଧିଗ୍ରହଣ ଓ ନିର୍ମାଣ ପାଇଁ ୮୦୦ କୋଟି ଟଙ୍କା ବ୍ୟୟ ହେବ। ନିର୍ମାଣ ହେବାକୁ ଥିବା ବାଇପାସ୍ ତିନୋଟି ଜାତୀୟ ରାଜପଥ ସହ ଯୋଡ଼ି ହେବ ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ।

Advertisment

କୋଲନରା ବ୍ଲକ୍ ଭୁଜବଳ ନିକଟ ମିଟସ୍ କଲେଜ ନିକଟରୁ ବାଇପାସ୍ ରାସ୍ତା ନିର୍ମାଣ ଆରମ୍ଭ ହେବ। ଅମ୍ଲାଭଟ୍ଟା, ପେଣ୍ଟା, ଚାନ୍ଦିଲି, ଅଙ୍ଗୁର, ଦେବଦୋଳା, ଜିଞ୍ଜିଲିବାଡି, କାର୍ଲାକଣା, ବୀରନାରାୟଣପୁର, ସିଲିଟଗୁଡା, ସିରିଗୁଡା, ବାରିଝୋଲା ଜିଆଇଏସିଆର କଲେଜ ଦେଇ ସିରିକୋଣାରେ ୩୨୬ ନଂ ଜାତୀୟ ରାଜପଥରେ ମିଶିବ। ୧୭ରୁ ୧୮ କିମି ଲମ୍ବା ବିଶି‌ଷ୍ଟ ବାଇପାସ୍ ପାଇଁ ୯୯୨ ଏକର ଜାଗାର ଆବଶ୍ୟକ ରହିଛି। ପ୍ରଶାସନ ପାଖରେ ସିଂହଭାଗ ସରକାରୀ ଜାଗା ରହିଛି।। ୧୮୦ ଏକର ଘରୋଇ ଏବଂ ଅନ୍ୟ ସଂସ୍ଥା ଅଧୀନରେ ଥିବା ୧୧ ଏକର ସରକାରୀ ଜାଗା ଅଧିଗ୍ରହଣ କରିବାକୁ ପ୍ରସ୍ତାବ ରହିଛି। ୩୨୬ ନଂ ଜାତୀୟ ରାଜପଥ ବିଜୟୱାଡା-ରାଞ୍ଚି କରିଡର୍, ପାଲାସା-ରାୟପୁର ଜାତୀୟ ରାଜପଥକୁ ସଂଯୋଗ ହୋଇଥିବାରୁ ରାୟଗଡ଼ା ବାଇପାସ୍ ନିର୍ମାଣ ପରେ ଶିଳ୍ପ କରିଡରର ବିକାଶ ସହ ସାମାଜିକ ଅର୍ଥନୈତିକ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିବ।

publive-image

ବିଜୟୱାଡା-ରାଞ୍ଚି କରିଡର୍ ରାୟଗଡ଼ା-ବିଷମକଟକ-ମୁନିଗୁଡ଼ା ଦେଇ ରାୟପୁର ପର୍ଯ୍ୟନ୍ତ ଯାଇଛି। ସେହିପରି ପାଲାସା-ରାୟପୁର ଜାତୀୟ ରାଜପଥ ପାଲାସାରୁ ବାହାରି ପାରଳାଖେମୁଣ୍ଡି, ଗୁଣପୁର, ରାମନାଗୁଡା, ତାଣ୍ଡ‌ିକୋଣା-ଦୁର୍ଗୀ ଦେଇ ବିଷମକଟକରେ ଶେଷ ହେବ। ସେପଟେ ରାମଭଦ୍ରପୁରମରୁ ବାହାରିଥିବା ୨୬ ନଂ ଜାତୀୟ ରାଜପଥ ରାୟଗଡ଼ା ପର୍ଯ୍ୟନ୍ତ ଲମ୍ବିଥିବାରୁ ନିର୍ମାଣ ହେବାକୁ ଥିବା ବାଇପାସ୍ ଏହି ତିନି ରାଜପଥ ସହ ସଂଯୋଗ ହେବ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ବାଇପାସ୍ ନିର୍ମାଣ ନେଇ ସମସ୍ତ ପ୍ରକ୍ରିୟା ଶେଷ କରିଥିବା ବେଳେ ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନର ସବୁଜ ସଙ୍କେତ ମିଳିବା ପରେ ନିର୍ମାଣ ଆରମ୍ଭ ହେବ। ପୂର୍ବରୁ ରାୟଗଡ଼ା ସହରର ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସିରିକୋଣା-ତୁମ୍ବିଗୁଡ଼ା ମଧ୍ୟରେ ବାଇପାସ୍ ନିର୍ମାଣ ଶେଷ ହୋଇଛି। ପିତାମହଲ-ସିରିକୋଣା ମଧ୍ୟରେ ବାଇପାସ୍ ରାସ୍ତା ନିର୍ମାଣ ଚାଲିଛି। କିନ୍ତୁ ପିତାମହଲରୁ ତୁମ୍ବିଗୁଡ଼ା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ବାଇପାସ୍ ରାସ୍ତାର ସର୍ଭେ ପ୍ରକ୍ରିୟା ଭୁଲ୍ ଥିବାରୁ ଏହି ବାଇପାସ୍ ଟ୍ରାଫିକ୍ ଯନ୍ତ୍ରଣାରୁ ସହରବାସୀଙ୍କୁ ମୁକ୍ତି ଦେଇପାରୁନି।

ସିରି‌କୋଣା-ତୁମ୍ବିଗୁଡ଼ା ବାଇପାସ୍ ମଧ୍ୟରେ ସହରର ଅଧିକାଂଶ ଅଞ୍ଚଳ ରହିବା ସହ ସାଇପ୍ରିୟା ନଗର ରେଲୱେ ଲାଇନ୍ ଫାଟକ ରହିଛି। ତୁମ୍ବିଗୁଡ଼ା ସହରର ମଧ୍ୟ ଭାଗରେ ଥିବାରୁ ବାଇପାସ୍ ଦେଇ ଯାତାୟାତ କରୁଥିବା ଭାରିଯାନ ଗୁଡ଼ିକ ଦ୍ବାରା ଟ୍ରାଫିକ୍ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ସେହିପରି ପିତାମହଲ-ସିରିକୋଣା ବାଇପାସ୍ ନିର୍ମାଣଧୀନ ରହିଛି। ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ମା’ ମଝିଘରିଆଣୀ ମନ୍ଦିର ନିକଟରେ ଥିବା ବହୁ ପୁରାତନ ଓଣ ଓସାରିଆ ‌ପୋଲର ମାସର ୨୦ ଦିନ ଟ୍ରାଫିକ୍ ସମସ୍ୟା ଜଟିଳ ହୋଇ ପଡୁଛି। ଅନ୍ୟପକ୍ଷରେ ସହର ମଧ୍ୟରେ ଥିବା ରେଲୱେ ଓଭରବ୍ରିଜ୍ ଅବସ୍ଥା ମଧ୍ୟ ଜରାଜୀର୍ଣ୍ଣ ହେବାରେ ଲାଗିଛି। ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲା ବିକାଶ ପଥରେ ଆଗେଇ ଚାଲିଥିବାରୁ ଆଗାମୀ ୩୦ ବର୍ଷକୁ ନଜରରେ ରଖି ନୂତନ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ସଂସଦରେ ଦାବି ଉଠାଇଥିଲେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ। ୨୦୧୬ ମସିହାରୁ ଶ୍ରୀ ରାଓ ଦାବି କରି ଆସିବା ସହ କ୍ରମାଗତ ଭାବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଏବଂ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଦୋହରାଇ ଆସୁଥିଲେ। ଯାହାକୁ ନିକଟରେ ମଞ୍ଜୁର କରିଛି ଏନ୍ଏଚଆଇ। ରାଜ୍ୟସଭାରେ ପୂର୍ବତନ ସାଂସଦ ଶ୍ରୀ ରାଓ ପଚାରିଥିବା ପ୍ରଶ୍ନର ଉତ୍ତରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ଏ ନେଇ ସ୍ପଷ୍ଟ କରିଛନ୍ତି।