ଭବାନୀପାଟଣା (ଦେବେନ୍ଦ୍ର କୁମାର ବିଶି): କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ପୂର୍ବରୁ ବିଭିନ୍ନ ନିର୍ବାଚନୀ ସାମୟିକ ସଙ୍ଗଠନମାନେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି। ଏକଦା କଳାହାଣ୍ଡି ଲିବରେସନ ଫ୍ରଣ୍ଟ ନାମରେ ଏକ ସଙ୍ଗଠନ କରି ମଧୁ ମହାନ୍ତି କଳାହାଣ୍ଡିରେ ଆଲୋଚନାରେ ଥିଲେ। ଦୀର୍ଘ ଦିନ ପରେ ବର୍ତ୍ତମାନ ଡିଫାଇନ କଳାହାଣ୍ଡି ନାମରେ ଏକ ଛାୟା ସଙ୍ଗଠନ କରି ମଧୁ ମହାନ୍ତି କଳାହାଣ୍ଡି ଜିଲ୍ଲାରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ ପାଇଁ ସଜବାଜ ହେଉଛନ୍ତି। ଡିଫାଇନ କଳାହାଣ୍ଡିର ଆବାହକ ହେଉଛନ୍ତି ଜୟନ୍ତ ନାୟକ। ସେ ପ୍ୟାରୀମୋହନ ମହାପାତ୍ରଙ୍କ ଆଶୀର୍ବାଦରେ ଭବାନୀପାଟଣା ସଦର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ବର୍ତ୍ତମାନ ମଧୁ ମହାନ୍ତି ରାଜନୈତିକ ମଇଦାନକୁ ଓହ୍ଲାଇବାକୁ ଜୟନ୍ତ ନାୟକଙ୍କ କାନ୍ଧରେ ବନ୍ଧୁକ ରଖିଛନ୍ତି। ଡିଫାଇନ କଳାହାଣ୍ଡି ପକ୍ଷରୁ ପ୍ରଥମେ ଭବାନୀପାଟଣା ଓ ବର୍ତ୍ତମାନ ଧର୍ମଗଡ଼ରେ ସମାବେଶ କରିବା ପରେ ବିଜେଡି ପାଇଁ ଅଡ଼ୁଆ ବଢ଼ିଥିଲା। ଏହି ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ସୋମବାର କୌଣସି କାରଣଦର୍ଶାଅ ନୋଟିସ ପ୍ରଦାନ ନ କରି ଜୟନ୍ତ ନାୟକ, ବଲାଙ୍ଗୀର ଜୋନ ଯୁବ ବିଜେଡି ସଂଯୋଜକ ମନୀନ୍ଦ୍ର ମହାନ୍ତି ଓ ଭବାନୀପାଟଣା ପୌର ପରିଷଦର ୱାର୍ଡ ନମ୍ବର ୭ର କାଉନସିଲର ଶିବା ସାହୁ ଆଦି ୩ ଜଣଙ୍କୁ ନିଲମ୍ବିତ କରାଯାଇଛି।

Advertisment

ସାଇନିଂ କଳାହାଣ୍ଡିର ଅଧ୍ୟକ୍ଷ ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ଭବାନୀପାଟଣା ଟାଉନ ହଲ୍‌ରେ କିଛି ମାସ ତଳେ ବେଦାନ୍ତକୁ ଖଣି ଦେବା ସପକ୍ଷରେ ଏକ ସମାବେଶ ହୋଇଥିଲା। ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲଙ୍କୁ ଦଳରୁ ବହିଷ୍କୃତ କରିଥିଲା। ଜିଲ୍ଲାରେ ବିଭିନ୍ନ ଛାୟା ସଙ୍ଗଠନ ମାଧ୍ୟମରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ବିଜେଡି ପାଇଁ ଅଡ଼ୁଆ ସାଜିଛି। ବହୁ ବରିଷ୍ଠ ବିଜେଡି ନେତା ଦଳରେ ଅଣଦେଖା ହେଉଥିବା ଯୋଗୁ ଏଭଳି ଛାୟା ସଙ୍ଗଠନଙ୍କୁ ପରୋକ୍ଷରେ ସମର୍ଥନ କରୁଛନ୍ତି। କଳାହାଣ୍ଡି ବିକାଶ ପରିଷଦ ନାମରେ ସୁନୀତି ମୁଣ୍ଡ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରୁଛନ୍ତି। ସେ ବିଜେପିରୁ ଭୁବନେଶ୍ୱର ମହାନଗର ମେୟର ପଦବି ପାଇଁ ପ୍ରତିଦ୍ୱନ୍ଦ୍ବିତା କରିଥିଲେ। ଜିଲ୍ଲାରେ ମାଳ ମାଳ ସଙ୍ଗଠନ କରି ବିଜେଡିର ଅସନ୍ତୁଷ୍ଟଙ୍କୁ ଏକଜୁଟ କରିବା ଘଟଣା ଜିଲ୍ଲା ରାଜନୀତିକୁ ସରଗରମ କରିଛି। ବିଜେଡିର ଅସନ୍ତୁଷ୍ଟ ପୂର୍ବ ଲୋକସଭା ସାଂସଦ ଅର୍କ କେଶରୀ ଦେଓ ବର୍ତ୍ତମାନ ବିଜେପିରେ ଯୋଗ ଦେଇଛନ୍ତି। ଦୀର୍ଘ କାଳ କୋଣଠେସା ହେବା ପରେ ସେ ଦଳ ପରିବର୍ତ୍ତନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ମଧ୍ୟ ବର୍ତ୍ତମାନ ବିଜେପିମୁହାଁ ଅଛନ୍ତି। ପୂର୍ବ ବିଧାୟକ ଅନାମ ନାୟକ ଓ ଧନେଶ୍ବର ମାଝୀ ମଧ୍ୟ କୋଣଠେସା ହୋଇଛନ୍ତି। ଦଳର ଅନ୍ତର୍ଦ୍ବନ୍ଦ୍ବ ଏବେ ନିର୍ବାଚନ ପୂର୍ବରୁ ଜଳଜଳ ଦିଶୁଛି। ଆଗକୁ ବିଜେଡି କେଉଁ ଆଭିମୁଖ୍ୟ ନେଉଛି ଏହା ଉପରେ ସଭିଁଙ୍କ ନଜର। ନିଲମ୍ବିତ ବିଜେଡି ନେତାମାନେ ଦଳର ଅସନ୍ତୁଷ୍ଟଙ୍କ ସହିତ ଯୋଗସୂତ୍ରରେ ରହିବା ଘଟଣା ଦଳ ପାଇଁ ଆତ୍ମଘାତୀ ସାଜିବ ବୋଲି କର୍ମୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।