ଗରିବଙ୍କୁ ୪ଟି ଏଲ୍‌ଇଡି ବଲବ୍ ମାଗଣା

ଭୁବନେଶ୍ବର: ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ହିତାଧିକାରୀଙ୍କୁ ଏଣିକି ମାଗଣାରେ ଏଲଇଡି ବଲବ୍ ମିଳିବ। ଶୁକ୍ରବାର ସଚିବାଳୟରେ ଭିଡିଓ କନଫରେନ୍ସିଂ ଯୋଗେ ‘ଆମ ଘରେ ଏଲଇଡି ଯୋଜନାର’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ୮୭ ଲକ୍ଷ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ୮ ଲକ୍ଷ ହିତାଧିକାରୀ ପରିବାର ମିଶି ମୋଟ ୯୫ ଲକ୍ଷ ପରିବାର ଏଥିରେ ଉପକୃତ ହେବେ। ପ୍ରତି ହିତାଧିକାରୀ ପରିବାରକୁ ୯ ଵାଟର ୪ଟି ଏଲଇଡି ବଲବ୍ ମାଗଣାରେ ଯୋଗାଇ ଦିଆଯିବ। ଏହି ଯୋଜନାରେ ମାଗଣା ବଣ୍ଟନ ପାଇଁ ରାଜ୍ୟ ସରକାର ୩ କୋଟି ୮୦ ଲକ୍ଷ ଟଙ୍କାର ଏଲଇଡି ବଲବ୍ କିଣିଛନ୍ତି । ବଜାରରେ ଏଲଇଡି ବଲବର ମୂଲ୍ୟ ଅଧିକ ରହିଥିବାରୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ବିନାମୂଲ୍ୟରେ ଏଲଇଡି ବଲବ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତମାସର ୧୫ରୁ ୨୦ ତାରିଖ ଭିତରେ ଅନୁଷ୍ଠିତ ହେବାକୁ ଥିବା ପିଠା ଶିବିରରେ ଏହି ଏଲଇଡି ବଲବ୍ ବଣ୍ଟାଯିବ। ଆସନ୍ତା ଫେବ୍ରୁଆରି ମାସରେ ବି ପିଠା ଶିବିର କାର୍ଯ୍ୟକ୍ରମ ଜରିଆରେ ଏଲଇଡି ବଲବ ବିତରଣ କରାଯିବ। ଯଦି କିଛି ହିତାଧିକାରୀ ଏହି ଦୁଇମାସ ଭିତରେ ମାଗଣା ଏଲଇଡି ବଲବ ପାଇବାରୁ ବଞ୍ଚିତ ହୁଅନ୍ତି ତେବେ ସେମାନେ ପରବର୍ତ୍ତୀ ସମୟରେ ସରକାରୀ ଲାଇସେନ୍ସ ପ୍ରାପ୍ତ ଖାଉଟି ସାମଗ୍ରୀ ବିତରଣ କେନ୍ଦ୍ରରୁ ମାଗଣାରେ ଏଲଇଡି ବଲବ ପାଇପାରିବେ। ଏଲଇଡି ବଲବ ଯୋଜନାର ଶୁଭାରମ୍ଭ ଅବସରରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ,ଶକ୍ତି ସଚିବ ହେମନ୍ତ ଶର୍ମାଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର