ପାଣି‌ରେ ଚାଲିଗଲା ୪ ଜୀବନ: ପୋଖରୀରେ ୨, ନାଗାବଳୀରେ ୨

ବାଲେଶ୍ବର: ବାଲେଶ୍ୱର ସଦର ଥାନା କୟାକଦଳା ଗାଁରେ ଆଜି ଅପରାହ୍ନରେ ୨ ଶିଶୁପୁତ୍ରଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ଗ୍ରାମର ନିତେଇ ମାଝୀଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଧରମବୀର ଓ ଜଡ଼ା ମାଝୀଙ୍କ ଅଢେ଼ଇବର୍ଷର ଶିଶୁପୁତ୍ର ଦୁଖିଆ। ଆଜି ଅପରାହ୍ନ ୩ଟା ବେଳେ ଦୁହେଁ ପୋଖରୀ ବନ୍ଧରେ ଖେଳୁଥିବା ବେଳେ ହଠାତ୍‌ ସେମାନଙ୍କୁ ଆଉ ଦେଖିବାକୁ ମିଳିନଥିଲା। ଉଭୟ ପରିବାର ବହୁ ସମୟ ଧରି ଖୋଜାଖୋଜି କରିବାପରେ ପୋଖରୀରେ ଦୁଇ ଶିଶୁଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଖବର ପାଇ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଶୋକସନ୍ତପ୍ତ ଉଭୟ ଶିଶୁଙ୍କ ପରିବାରକୁ ସମବେଦନା ଜଣାଇଥିଲେ।

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମହିମାପଡ଼ା ଗ୍ରାମର ଦୁଇ ନାବାଳିକା ଗାଧୋଇବା ସମୟରେ ନାଗାବଳୀ ନଦୀରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ‌ ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ମହିମାପଡ଼ା ଗ୍ରାମର ରାଜକୁମାର ସୁନାଙ୍କ ଝିଅ ହେମାବତୀ ସୁନା (୧୧) ଓ ତୁଳସା ଅବଦୁଲଙ୍କ ଝିଅ ଅନୁ ଅବଦୁଲ (୧୦) ଆଜି ସ୍କୁଲ ଛୁଟି ହେବା ପରେ ଗାଧୋଇବା ପାଇଁ ଗାଁ ନିକଟସ୍ଥ ନାଗାବଳୀ ନଦୀକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ହଠାତ୍ ଉଭୟେ ନଦୀରେ ଭାସି ଯାଇଥିଲେ। ନଦୀ ନିକଟରେ ଥିବା ସ୍ଥାନୀୟ କିଛି ଲୋକ ଏହା ଦେଖିବା ପରେ ତୁରନ୍ତ ନଦୀ ଭିତରେ ପଶି ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଉଭୟଙ୍କୁ ଉଦ୍ଧାର କରି ପାରିନଥିଲେ। ଏହି ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ଅନୁଙ୍କ ମୃତଦେହ ନଦୀରୁ ମିଳିଥିଲା। ବହୁ ସମୟ ଧରି ଖୋଜାଖୋଜି କରିବା ପରେ ହେମାବତୀଙ୍କ ମୃତଦେହ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର