ସାଲେପୁର: ସାଲେପୁର ବ୍ଲକ୍ ଅନ୍ତର୍ଗତ ତେନ୍ତୋଳ ପଞ୍ଚାୟତ ଜଳହରିଗଡ଼ା ନିକଟ ଚିତ୍ରୋତ୍ପଳା ନଦୀରେ ବୁଡ଼ିଯାଇ ଆଜି ଦୁଇଜଣ ଛାତ୍ର ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଦ୍ବୟ ହେଲେ ମୀର୍ଜାପୁର ପଞ୍ଚାୟତ କାନପୁର ଗ୍ରାମର ରେସ୍ମା ବିବିଙ୍କ ପୁଅ ସୈୟଦ୍ ମହମ୍ମଦ ଜିସାନ୍ ଓ ସେହି ଗ୍ରାମର ଶେଖ୍ ସମିମ୍ଙ୍କ ପୁଅ ଶେଖ୍ ରିହାନ୍। ଆଜି ଅପରାହ୍ଣରେ ଜିସାନ୍ ଓ ରିହାନ୍ଙ୍କ ସମେତ ମୀର୍ଜାପୁର ଅଞ୍ଚଳର ୫ଜଣ ସାଙ୍ଗ ଚିତ୍ରୋତ୍ପଳା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ଚାରିଜଣ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି କୂଳରେ ଥିବା ଜଣେ ସାଙ୍ଗ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଜିସାନ୍ ଓ ରିହାନ୍ଙ୍କ ପତ୍ତା ମିଳି ନ ଥିଲା। ଖବର ପାଇ ସାଲେପୁରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ। ରାତି ପ୍ରାୟ ୯ଟାରେ ବୁଡ଼ିଥିବା ସ୍ଥାନର କିଛି ଦୂରରୁ ଉଭୟଙ୍କୁ ଉଦ୍ଧାର କରାଯାଇ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସାଲେପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ପଠାଯିବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ ଯେ ମୃତ ଜିସାନ୍ ନିଶ୍ଚିନ୍ତକୋଇଲି ଅଞ୍ଚଳର ଏକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ +୨ ପଢ଼ୁଥିଲା ବେଳେ ରିହାନ୍ ରାଇସୁଙ୍ଗୁଡ଼ାର ଏକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି। ଦୁଇ ଛାତ୍ରଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ପଟ୍ଟାଙ୍ଗି: ପର୍ଯ୍ୟଟନସ୍ଥଳ ବୁଲିବା ସହ ମଉଜ ମଜଲିସ୍ କରିବା ପାଇଁ ଆସିଥିଲେ। କିନ୍ତୁ ଜଳପ୍ରପାତରେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ନୂଆଗାଁ ପଞ୍ଚାୟତସ୍ଥିତ ଗାଲିଗାବଡ଼ର ଜଳପ୍ରପାତରେ। ଏହି ଘଟଣା ପରେ ଉଭୟ ପରିବାର ସ୍ତବ୍ଧ ହୋଇଯାଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଯୁବକ ଦ୍ବୟ କୋରାପୁଟ ସହର ପିଏଚ୍ଡି କଲୋନିର ସ୍ବର୍ଗତ ସୁରୁ ପଣ୍ଡାଙ୍କ ପୁଅ ଆଶିଷ କୁମାର ପଣ୍ଡା (୨୪) ଓ ଜାନିଗୁଡ଼ାର ନିତେଶ କୁମାର ଦାଶ (୨୪) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଜି ଆଶିଷ, ନିତେଶ ଓ ଅନ୍ୟ ଜଣେ ସାଙ୍ଗ ଏକ ଗାଡ଼ିରେ ଗାଲିଗାବଡ଼ର ଜଳପ୍ରପାତ ବୁଲିବାକୁ ଯାଇଥିଲେ। ସେଠାରେ ବୁଲାବୁଲି କରିବା ପରେ ଅପରାହ୍ନ ପ୍ରାୟ ୪ଟାରେ ଆଶିଷ ଓ ନିତେଶ ଗାଧୋଇବା ପାଇଁ ଜଳପ୍ରପାତ ତଳକୁ ଓହ୍ଲାଇଥିଲେ। ଅନ୍ୟ ଜଣେ ସାଙ୍ଗ ଉପରେ ବସି ରହିଥିଲେ। ତେବେ ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ଉଭୟେ ଜଳପ୍ରପାତରେ ବୁଡ଼ି ଯାଇଥିଲେ। ବହୁ ସମୟ ଧରି ଦୁଇ ସାଙ୍ଗ ନ ଆସିବାରୁ ଉପରେ ବସିଥିବା ଯୁବକ ଜଣଙ୍କ ତଳକୁ ଯାଇ ଦେଖିବା ବେଳକୁ ଆଶିଷ ଓ ନିତେଶଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ଯୁବକ ଜଣଙ୍କ ନିକଟସ୍ଥ ଗାଁକୁ ଯାଇ ଘଟଣା ସଂପର୍କରେ ଜଣାଇଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ ପଟ୍ଟାଙ୍ଗି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଗ୍ରାମବାସୀ ଓ ଅଗ୍ନିଶମ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରି ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆଶିଷ ଓ ନିତେଶଙ୍କ ପରିବାର ପଟ୍ଟାଙ୍ଗିରେ ପହଞ୍ଚିବା ପରେ ସ୍ବାସ୍ଥ୍ୟକେନ୍ଦ୍ର ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ସୂଚନାଯୋଗ୍ୟ ମୃତ ଆଶିଷ ଓ ନିତେଶ ଛତିଶଗଡ଼ର ନଗରନାର ପ୍ଲାଣ୍ଟରେ କାମ କରୁଥିଲେ। ଆଶିଷ ଏକମାତ୍ର ପୁଅ ହୋଇଥିବା ବେଳେ ତାଙ୍କ ବାପାଙ୍କ ଗତବର୍ଷ ମୃତ୍ୟୁ ଘଟିଛି। ଗୋଟିଏ ବର୍ଷ ମଧ୍ୟରେ ବାପା ଓ ପୁଅ ଆରପାରିକୁ ଚାଲିଯିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ସେହିପରି ଏକମାତ୍ର ପୁଅକୁ ହରାଇ ନିତେଶଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।