ଛତିଶଗଡ଼ ମୁହାଁ କଳାହାଣ୍ଡି ଧାନ: ମାତ୍ର ୪ଟି ମଣ୍ଡି ଆରମ୍ଭ ହୋଇଛି, ଦଲାଲ ହାତରେ ଚାଷୀଙ୍କ ଧାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ନଭେମ୍ବର ୧୫ ତାରିଖ ଠାରୁ ଧାନ ମଣ୍ଡି ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୪ ଟି ମଣ୍ଡି ଆରମ୍ଭ ହୋଇଥିବା ବେଳେ ଅନ୍ୟ ମଣ୍ଡି ଗୁଡିକ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ମଣ୍ଡି ଖୋଲିବା ବିଳମ୍ବ ହେଉଥିବା ଯୋଗୁଁ ଚାଷୀମାନେ ଅଣ୍ଡରରେଟ ରେ ଦଲାଲ ହାତକୁ ଟେକିଦେବାକୁ ବାଧ୍ୟ ହେଉଛନ୍ତି । ଦଲାଲ ଜରିଆରେ ଚାଷୀଙ୍କ ଧାନ ଏବେ ଛତିଶଗଡ଼ ମୁହାଁ ହେବା ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଗତ ନଭେମ୍ବର ୧୫ ତାରିଖ ଠାରୁ ଧାନ କ୍ରୟ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଜୟପାଟଣା ବ୍ଲକର ଖଲିଆଭଟା ମଣ୍ଡିରେ ୭୭ କୁଇଣ୍ଟାଲ, ଜୟପାଟଣାରେ ୧୦୦ କୁଇଣ୍ଟାଲ, ରଣମାଲରେ ୧୦୦ କୁଇଣ୍ଟାଲ ଓ ନର୍ଲା ବ୍ଲକର ଭୀମକେଲା ମଣ୍ଡିରେ ୧୯୯ କୁଇଣ୍ଟାଲ ଧାନ ମଣ୍ଡିରେ କ୍ରୟ ହୋଇଛି ।ଅନ୍ୟ ମଣ୍ଡି ଗୁଡିକ ଆରମ୍ଭ ହୋଇନଥିବା ଯୋଗୁଁ ଚାଷୀମାନେ ପ୍ରାୟ କୁଇଣ୍ଟାଲ ପିଛା ୧୩୦୦ ଟଙ୍କା ରେ ଦଲାଲ ମାନଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
ସେହିଭଳି ଚାଷ ପୂର୍ବରୁ ଅଗ୍ରୀମ ନେଇଥିବା ଚାଷୀମାନେ କୁଇଣ୍ଟାଲ ୧୧୦୦ ଟଙ୍କା ରେ ଧାନ ବିକ୍ରି କରୁଥିବା ଦେଖା ଦେଇଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ ୯୪ ହଜାର ୧୧୭ କୁଇଣ୍ଟାଲ ଟାର୍ଗେଟ ଆସିଛ । ଏଥି ମଧ୍ୟରୁ ୫୮ ଜଣ ମିଲର୍ସ ଓ ୩୪ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୨ ଲକ୍ଷ ୯୨ ହଜାର ୯୦୦ କୁଇଣ୍ଟାଲ ଟାର୍ଗେଟ ଧାନ ଉଠାଣ ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକ ରେ ୭୪ ଟି ପ୍ୟାକ୍ସ ଜରିଆରେ ୧୬୬ଟି ମଣ୍ଡି ଖୋଲା ଯାଇଛି । ସେହିଭଳି ୮୪ ହଜାର ୫୩ ଜଣ ଚାଷୀ ଧାନ ବିକ୍ରି ନିମନ୍ତେ ପଞ୍ଜିକୃତ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ଝାକରପଡା ରାସ୍ତା, ଡୁମେରଗୁଡା ପଞ୍ଚାୟତର କୋଟମେର/କୀର୍କାକାନି ରାସ୍ତା, ପର୍ଲା ପଞ୍ଚାୟତ ର ସେମଳା ଓ ଗୋଳାମୁଣ୍ଡା ବ୍ଲକ ର  ତୁମରା ରାସ୍ତା ଦେଇ କଳାହାଣ୍ଡି ଧାନ ଦଲାଲ ଜରିଆରେ ଛତିଶଗଡ଼ ଯାଉଛି । ସନ୍ଧିକୁଲିହାରୀ ମୁଖ୍ୟ ରାସ୍ତାରେ ପୁଲିସ ଚେକିଂ ଯୋଗୁଁ ଏହି ରାସ୍ତାମାନ ଦେଇ ଧାନ ପାର ହେଉଛି ।
କଳାହାଣ୍ଡି ଜିଲ୍ଲାର ତୁମରା, ପର୍ଲା, ପାଇକପଡା, ସନ୍ଧିକୁଲିହାରୀ, ହଳଦୀ ପ୍ରମୁଖ ଆରଏମସି ଚେକଗେଟ ଗୁଡିକୁ ଉଠାଇ ଦିଆଯାଇଥିବା ଯୋଗୁଁ ଦଲାଲ ମାନେ ଅନାୟସରେ ଛତିଶଗଡ଼ ଚାଲାଣ କରୁଛନ୍ତି । ସନ୍ଧିକୁଲିହାରୀ ଓ ଖୁଟ ଗାଁରେ ଧାନ ମହଜୁଦ ରଖି ଦେଭୋଗ ମଣ୍ଡିରେ ବିକ୍ରି ନିମନ୍ତେ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଗଠନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଧରପଗଡ଼ କିମ୍ବା ଚଢଉ ହୋଇନାହିଁ । ଫଳରେ ଅବାଧରେ ଛତିଶଗଡ଼କୁ ଧାନ ପଠା ଯାଉଛି । ତୁରନ୍ତ ଜିଲ୍ଲାର ସମସ୍ତ ମଣ୍ଡି ଖୋଲା ନ ଗଲେ ପ୍ରାୟ ଧାନ ଛତିଶଗଡ଼ ଚାଲିଯିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ।
ସମ୍ବନ୍ଧିତ ଖବର