ଆତଙ୍କ ଖେଳାଇଥିବା ୪ ଜଣିଆ ଗ୍ୟାଙ୍ଗ୍‌ର ମୁଖିଆ, ସହଯୋଗୀ ଗିରଫ 

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ଗ୍ରାମ ଶ୍ରୀରାମନଗରରେ ଥିବା ପାଣିଗ୍ରାହୀ ଆସୋସିଏଟ୍‌ସ୍ ବ୍ୟାବସାୟିକ ପ୍ରତିଷ୍ଠାନରୁ ଗତ ୫ ତାରିଖରେ ବିଳମ୍ବିତ ରାତିରେ ବଡ଼ଧରଣର ଲୁଟ୍ ହୋଇଥିଲା। ଦୁର୍ବୃତ୍ତମାନେ ଦୋକାନରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ୍ ଓ ହାର୍ଡ଼ଡିସ୍କ୍ ଲୁଟି ନେଇଯାଇଥିଲେ। ଏହି ମାମଲାରେ ଶେରଗଡ଼ ପୁଲିସକୁ ସଫଳତା ମିଳିଛି। ଏଥିରେ ସଂପୃକ୍ତ ଗ୍ୟାଙ୍ଗ୍‌ ଲିଡର୍‌ ସମେତ ୨ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆଉ ଦୁଇଜଣ ଫେରାର୍‌ ଅଛନ୍ତି। ଅଭିଯୁକ୍ତମାନେ ହେଲେ, ପାଟପୁର ଥାନା ଅନ୍ତର୍ଗତ ପି.ଜଗନ୍ନାଥପୁର ଗ୍ରାମର ଦିଲ୍ଲୀପ ବିଷୋୟୀ ଏବଂ ବିଭୂ ସେଠୀ। ସେମାନଙ୍କଠୁ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୧୦୨ଟି ବିଭିନ୍ନ କମ୍ପାନିର ଆଣ୍ଡ୍ରଏଡ଼୍ ମୋବାଇଲ୍ ସମେତ ଦୁଇଟି ସ୍ମାର୍ଟୱାଚ୍, ଦୁଇଟି ଲାପ୍‌ଟପ୍, ଦୁଇଟି ବ୍ଲୁଟୁଥ୍ ଇୟର୍ ଫୋନ୍, ଗୋଟିଏ ଜେରକ୍ସ୍ ମେସିନ୍, ସିସି କ୍ୟାମେରା, ଡିଭିଆର୍‌, ସେଟ୍‌ଟପ୍ ବକ୍ସ୍ ଏବଂ ଗୋଟିଏ ‌ପଲସର୍ ବାଇକ୍ ଏବଂ ପାସେଞ୍ଜର୍ ଅଟୋ ଜବତ ହୋଇଛି। ତେବେ ଦୁଇଜଣ ଏଯାବତ୍ ଫେରାର୍ ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଏଏସ୍‌ପି ପ୍ରଦୀପ କୁମାର ଦଳାଇ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଦିଲ୍ଲୀପ ହିଁ ଏହି ମାମଲାର ମାଷ୍ଟର୍‌ମାଇଣ୍ଡ୍ ବୋଲି ଜଣାପଡ଼ିଛି।

୩୦ ଲକ୍ଷର ମୋବାଇଲ୍, ଲାପ୍‌ଟପ୍‌ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଜବତ
୨ ଫେରାର୍, ଏକାଧିକ ଦୋକାନ, ଜୁଏଲାରୀ ଲୁଟ୍‌ ଘଟଣାରେ ସଂପୃକ୍ତ

ତଦନ୍ତରୁ ଜଣାପଡ଼ିଛି ଦିଲ୍ଲୀପ ମୋବାଇଲ୍ ସମେତ ବିଭିନ୍ନ ଜାଗାରେ ଲୁଟ୍ ପାଇଁ ୪ଜଣିଆ ଗ୍ୟାଙ୍ଗ୍ ଗଠନ କରିଛି। ତେବେ ଦିଲ୍ଲୀପ ଓ ବିଭୂ ପାଟପୁର ଥାନା ଅଧୀନ ଜୟନଗର ଏବଂ ମହାନଳାରେ ଅଳଙ୍କାର ଲୁଟ୍ ଏବଂ ଶେରଗଡ଼ ଥାନା ଇଲାକାରେ ଏକ ଲୁଟ୍ ମାମଲାରେ ସଂପୃକ୍ତ ରହିଛନ୍ତି।  ଗତ ୫ ତାରିଖରେ ଏହି ୪ ଜଣିଆ ଗ୍ୟାଙ୍ଗ୍ ଶେରଗଡ଼ ଗ୍ରାମ ଶ୍ରୀରାମନଗରରେ ଥିବା ପାଣିଗ୍ରାହୀ ଆସୋସିଏଟ୍‌ସ୍ ବ୍ୟାବସାୟିକ ପ୍ରତିଷ୍ଠାନର ବାରିପଟ କବାଟକୁ ତାଡ଼ି ଦୋକାନ ଭିତରେ ପଶିଥିଲେ। ତଳ ଓ ଉପରମହଲ‌ାରେ ଲାଗିଥିବା ୮ଟି ଗୋଟି ସିସି କ୍ୟାମେରାରୁ ସଂଯୋଗ ବିଚ୍ଛିନ୍ନ କରିବା ସହ ହାର୍ଡ଼ଡିସ୍କ୍ ବାହାର କରିଥିଲେ। ଏହାପରେ ବିଭିନ୍ନ କମ୍ପାନିର ଦାମିକା ମୋବାଇଲ୍ ନେଇଯାଇଥିଲେ। ବିଭୂ ତା’ର ଅଟୋରେ ସମସ୍ତ ସାମଗ୍ରୀକୁ ଲୋଡ଼୍ କରିବା ପରେ ସମସ୍ତେ ଚମ୍ପଟ୍ ମାରିଥିଲେ। ଦୋକାନରେ ଟିଭି, ଏଲଇଡି, ଫ୍ରିଜ୍ ଓ ଏସି ଠାରୁ ଆରମ୍ଭ କରି କିପ୍ୟାଡ୍ ମୋବାଇଲ ବିକ୍ରି ହେଉଥିବା ବେଳେ ଲୁଟେରାମାନେ କେବଳ ମୂଲ୍ୟବାନ ସ୍ମାର୍ଟ୍ ମୋବାଇଲ୍‌କୁ ଟାର୍ଗେଟ୍ କରିଥିଲେ।

ମାଲିକ ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଏତଲା କ୍ରମେ ଏକ ମାମଲା ରୁଜୁ ପରେ  ଆସିକା ଏସଡିପିଓ ଉମାଶଙ୍କର ସିଂହଙ୍କ ତତ୍ତ୍ବାବଧାନ ଓ ଶେରଗଡ଼ ଥାନାଧିକାରୀ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦିଲ୍ଲୀପ ଓ ବିଭୂକୁ କାବୁ କରିବାରେ ସଫଳ ହୋଇଥିଲେ। ସେମାନଙ୍କଠୁ ସମସ୍ତ ମୋବାଇଲ୍ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର