ପାଣିରେ ଭାସି ୪ ନିଖୋଜ

ଫୁଲବାଣୀ/ବୁଗୁଡ଼ା/ଭବାନୀପାଟଣା : ଉତ୍ତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ସ୍ଥିତି ବେହାଲ୍ ହୋଇଛି। ବେଲଘର ଅଞ୍ଚଳର ବିଲାମାଳ ପଞ୍ଚାୟତ ମୁଣ୍ଡିମାସ୍କା ଗ୍ରାମର ଦିନ ମାଝୀ (୪୮) ଓ ତାଙ୍କ ପୁଅ ପୁରେନ୍ଦ୍ର (୩୦) ବିଲ କାମ ସାରି ଘରକୁ ଫେରୁଥିବା ବେଳେ ଏକ ନାଳରେ ଭାସି ଯାଇଛନ୍ତି। ଖବର ମିଳିବା ସୁଦ୍ଧା ସେମାନଙ୍କୁ ଠାବ କରା ଯାଇପାରିନାହିଁ। ଏସେମାନଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ୟମ ଚଳାଇଛନ୍ତି।

ସେହିଭଳି, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କଞ୍ଚୁଡୁ ଗ୍ରାମରେ ମାଛ ଧରିବାକୁ ଯାଇ ଜଣେ ଧୀବର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଜଣକ ହେଲେ ସେହି ଗ୍ରାମର ଦୀନବନ୍ଧୁ ବେହେରା। ଖବର ମିଳିବା ସୁଦ୍ଧା ଦୀନବନ୍ଧୁଙ୍କୁ ଠାବ କରିବାକୁ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି। ଆଜି ମଧ୍ୟାହ୍ନରେ ଦୀନବନ୍ଧୁ ଓ ତାଙ୍କ ଭାଇ ସୁବାସ ମାଛ ଧରିବାକୁ ଝୋଲରୀ ଆନିକଟ ନିକଟ ନଇବର ନାଳକୁ ମାଛ ଧରିବାକୁ ଯାଇଥିଲେ। ତେବେ ଦୀନବନ୍ଧୁ ଅସାବଧାନତାଶବତଃ ନାଳରେ ଆସୁଥିବା ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସୁବାସ ତାଙ୍କୁ ଆଉ ଠାବ କରି ନପାରି ଗାଁ ଲୋକଙ୍କୁ ଜଣାଇଥିଲେ। କିନ୍ତୁ ପତ୍ତା ନମିଳିବା ପରେ ଏନେଇ ଦମକଳବାହିନୀକୁ ଖବର ଦିଆଯାଇଥିଲା। ରିପୋର୍ଟ ଲେଖାଯିବା ସୁଦ୍ଧା ଦମକଳବାହିନୀ ସନ୍ଧାନ କାର୍ଯ୍ୟ ଜାରି ରଖିଛି।

ଅନ୍ୟପକ୍ଷରେ,ପେଟଫୁଲା ନଦୀ ସ୍ରୋତରେ ଭାସିଯାଇ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଟକୁରା ଗାଁର ସେନ ମାଝୀ ନାମକ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେନ ମାଝୀଙ୍କ ପତ୍ତା ମିଳି ନଥିଲା।

ପ୍ରକାଶ ଯେ, ସେନ ମାଝୀ ବାଇକରେ ରାୟଗଡ଼ାରୁ ତାଙ୍କ ଗାଁ କାଟକୁରାକୁ ଫେରୁଥିଲେ। କାଶୀପୁର ପେଟଫୁଲା ନଦୀରେ ଜଳସ୍ତର ବଢ଼ିଥିବାରୁ ସେ ନଦୀ କୂଳରେ ବାଇକ ରଖି ପାଣି ସ୍ରୋତ ପରଖୁଥିଲେ। ଏହି ସମୟରେ ସେ ପାଣିରେ ଭାସି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର