ଜୟପୁର: ଜୟପୁର ବ୍ଲକର ଉମୁରୀ ପଂଚାୟତର ବୃଦ୍ଧା ବିମଳା ଦାସ ଗତ ମେ’ ମାସରୁ ଅଗଷ୍ଠ ୪ମାସର ଭତ୍ତା ଟଙ୍କା ପାଇନାହାନ୍ତି। ବାରମ୍ବାର ପଂଚାୟତ କାର୍ଯ୍ୟାଳୟକୁ ଯାଉଥିଲେ ହେଁ ସଠିକ ଉତ୍ତର ନ ପାଇ ନିରୁତ୍ସାହ ହେବା ପରେ ଆଜି ପୁଣି ବ୍ଲକ କାର୍ଯ୍ୟାଳୟକୁ ବିଡିଓଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଆସିଥିଲେ। ତେବେ ବିଡିଓ ପଂଚାୟତସ୍ତରୀୟ ଅଭିଯୋଗ ଶୁଣାଣୀକୁ ଯାଇଥିବାରୁ ଭେଟି ନ ପାରି ନିରାଶ ହୋଇ ପେରିଛନ୍ତି।  ହିତାଧିକାରୀଙ୍କ ଭତ୍ତା ଗାୟବ ହୋଇଗଲା ନା ଆଉ କିଛି ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ପ୍ରତ୍ୟେକ ମାସର ୧୫ତାରିଖରେ ପଂଚାୟତ କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ଭତ୍ତାର ହିତାଧିକାରୀଙ୍କୁ ପିଇଓ ମାନେ ନିଜେ ଭତ୍ତା ଟଙ୍କା ବିତରଣ କରୁଥିଲେ।

Advertisment

ତେବେ ବ୍ୟାଙ୍କରୁ ଟଙ୍କା ନେଇ ଯିବା ସମୟରେ ବାଟରେ ବହୁ ସମୟରେ ପିଇଓ ମାନେ ଦୁର୍ବତ୍ତ ମାନଙ୍କର ଲୁଟର ଶୀକାର ହେଉଥିଲେ। ଆଉ କିଛି କ୍ଷେତ୍ରରେ ପିଇଓ ମାନେ ‌ହିତାଧିକାରୀଙ୍କ ଟଙ୍କାକୁ ଗାୟବ କରି ପରବର୍ତ୍ତୀ ସମୟରେ ସେ ଟଙ୍କା ଆଉ ହିତାଧିକାରୀଙ୍କୁ ଦେଉନଥିବା ବି ଅଭିଯୋଗ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ସମସ୍ତ ହିତାଧିକାରୀଙ୍କ ଭତ୍ତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପ୍ରକ୍ରୀୟା ଆରମ୍ଭ କରିଥିଲେ। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ସଂଯୋଗ ହେବା ପରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିଲା। ବିମଳାଙ୍କ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ବିବରଣୀ ପିଇଓଙ୍କୁ ଦେବା ପରେ ଭତ୍ତା ଟଙ୍କା ଗତ ମେ’ମାସରୁ ଜମା ହେବ ବୋଲି ପିଇଓ ତାଙ୍କୁ କହିଥିଲେ। ତେବେ ଗତ ମେ, ଜୁନ, ଜୁଲାଇ, ଅଗଷ୍ଟ ଏଭଳି ଚାରି ମାସର ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ହୋଇ ନଥିବା ବିମଳା ଅଭିଯୋଗ କରିଛନ୍ତି।

ଏହି ୪ମାସ ଧରି ବିମଳା ପଂଚାୟତ କାର୍ଯ୍ୟାଳୟକୁ ଭତ୍ତା ବିତରଣ ଦିନ ଯାଇଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ‌ରେ ଏହି ଟଙ୍କା ଜମା ହେବ ବୋଲି ପିଇଓ କହିଥିଲେ। ସେଭଳି ୪ମାସ ହେବ ବୃଦ୍ଧା ଜଣକ ବାରମ୍ବାର ପଂଚାୟତ କାର୍ଯ୍ୟାଳୟକୁ ଭତ୍ତା ପଇସା ପାଇଁ ଦୌଡି ଦୌଡ଼ି ନୟାନ୍ତ ହୋଇପଡିଛନ୍ତି।  ଅନ୍ୟ ପକ୍ଷରେ ପିଇଓ ସେପଟମ୍ବର ଓ ଅକ୍ଟୋବର ମାସର ଭତ୍ତା ଟଙ୍କା ଉମୁରୀ ପଂଚାୟତ କାର୍ଯ୍ୟାଳୟରେ ତାଙ୍କୁ ଦେଇଥିବା କହିଛନ୍ତି ବିମଳା। ୪ମାସର ଭତ୍ତା ଟଙ୍କା ସଂପର୍କରେ ସ‌େ କିଛି ସ୍ପଷ୍ଟ ଭାବେ କହି ପାରିବେ ନାହିଁ ତାହା ବ୍ଲକ କାର୍ଯ୍ୟାଳୟକୁ ଯାଇ ବୁଝିବାକୁ ବିମଳାଙ୍କୁ ପିଇଓ ପରାମର୍ଶ ଦେଇଥିବା କହିଛନ୍ତି ବିମଳା। ବିମଳାଙ୍କ ଭଳି ବହୁ ହିତାଧିକାରୀଙ୍କର ଭତ୍ତା ଟଙ୍କା ଏଭଳି ହେରଫେର ଓ ଗାୟବ ହୋଇଥିବା ଅଭିଯୋଗ ଉଠିଛି। ତୁରନ୍ତ ଏହାର ଯାଂଚ କରାଯିବାକୁ ଦାବି ହୋଇଛି।