ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ନିକଟସ୍ଥ ସପ୍ତଧାରା ଗ୍ରାମରେ ଗତ କିଛି ଦିନ ତଳେ ଘଟିଥିବା ଦୁଃଖଦ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦାରିଦ୍ର୍ୟର ତାଡନାରେ ନିଜର ଚାରି ମାସର ଛୁଆକୁ ବିକ୍ରି କରିଦେବା ପରେ ମଧ୍ୟ ନିଜର ପରିବାରର ପ୍ରତିପୋଷଣ କରିନପାରି ଶେଷରେ ସୋମନାଥ ଆତ୍ମହତ୍ୟା କରିଥିଲା। ପ୍ରକାଶ ଥାଉକି ସୋମନାଥର ୫ଟି ସନ୍ତାନ।ସେଥିମଧ୍ୟରୁ ଚାରୋଟି ପୁଅ ଓ ଗୋଟିଏ ଝିଅ।

Advertisment

ସୋମନାଥଙ୍କ ଆତ୍ମହତ୍ୟା ପରେ ଏହି ଖବର ସମ୍ବାଦରେ ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତା ଦେଖାଇ ପତ୍ନୀ କୁନି ଖିଲ ଏବଂ ପରିବାରକୁ ଉଦ୍ଧାର କରିଥିଲା। ୫ଟି ପିଲା ମଧ୍ୟରୁ ଚାରି ମାସର ପୁଅ ରାଜାକୁ ଅନ୍ୟତ୍ର ସୋମନାଥ ବିକ୍ରି କରିଦେଇଥିଲା। ବଳକା ଚାରିପିଲା ମଧ୍ୟରୁ ପ୍ରଶାସନ ତିନି ପୁଅକୁ ନେଇ ଶିଶୁ ଭବନରେ ରଖିବା ସହ ଝିଅକୁ ମାଆ ପାଖରେ ଛାଡିଦେଇଥିଲା। ସୋମନାଥର ଦଶାହ କାର୍ଯ୍ୟ ସରିଲେ ଝିଅକୁ ମଧ୍ୟ ଶିଶୁ ଭବନରେ ଛଡାଯିବ ବୋଲି କୁହାଯାଇଛି।

ତେବେ ଚାରି ମାସର ଶିଶୁକୁ କେଉଁଠି ବିକ୍ରି କରାଯାଇଛି ସେନେଇ ପ୍ରଶାସନ କୌଣସି ଖୋଜ ଖବର ପାଇପାରିନଥିଲା। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଶେଷରେ ଆଜି କୁଡୁମୁଲୁଗୁମ୍ମାରୁ ତହସିଲଦାରଙ୍କ ଉପସ୍ଥିତିରେ ବିକ୍ରି ଶିଶୁକୁ ଉଦ୍ଧାର କରାଯାଇଛି। ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଶିଶୁ ଉଦ୍ଧାର ନେଇ ସୂଚନା ଦେବା ସହ ଶିଶୁକୁ ମେଡିକାଲରେ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କହିଥିଲେ। ପରେ ସିଡବ୍ଲୁସି ନିକଟରେ ହାଜର କରାଯାଇ ଶିଶୁକୁ କେଉଁଠି ଛଡାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଶିଶୁକୁ କିଣିଥିବା ବ୍ୟକ୍ତି ଜଣକ ଏତେ ଦିନ ପର୍ଯ୍ୟନ୍ତ କାହିଁକି ଚୁପ ରହିଥିଲେ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି।

ଏନେଇ ଓର୍କେଲ ଥାନାରେ ଏତଲା ଦାୟର ହୋଇଥିବା ଜଣାପଡିଛି। ସୋମନାଥଙ୍କ ପତ୍ନୀ କୁନି ଖିଲ ପିଲାମାନଙ୍କୁ ପୋଷିପାଳିପାରିବେ ନାହିଁ ବୋଲି ସଫା ସଫା କହିଦେଇଥିଲେ। ରୋଜଗାରିଆ ସ୍ବାମୀ ଚାଲିଯିବା ପରେ ସେ ଏବେ ଅସହାୟ ହୋଇପଡିଛି। ପିଲାମାନଙ୍କୁ ବଡ କରିବା ପାଇଁ ତା ପାଖରେ ସମ୍ବଳ ନଥିବା ସେ କହିଥିଲା। ତେବେ ପ୍ରଶାସନ ତରଫରୁ ସମସ୍ତ ପିଲାଙ୍କୁ ରହିବା ଖାଇବା ସହ ଶିକ୍ଷାର ବ୍ୟବସ୍ଥା କରିବା ନେଇ ସ୍ପଷ୍ଟ କରାଯାଇଥିବା ବେଳେ କିସର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କିନ୍ତୁ ପିଲାମାନଙ୍କୁ କିସରେ ନାମ ଲେଖାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏଥିସହ ସେ କୁନି ଖିଲକୁ ଚଳିବା ପାଇଁ ମାସିକ ୨ ହଜାର ଟଂକା ଲେଖାଏଁ ପ୍ରଦାନ କରୁଛନ୍ତି।

ମାଲକାନଗିରି ଜିଲ୍ଲାରେ କେବଳ ଜଣେ ସୋମନାଥ ନୁହେଁ ଏମିତି ଶହ ଶହ ସୋମନାଥ ଦାରିଦ୍ର୍ୟର ତାଡନାରେ ନିଜର ପରିବାର ଚଳାଇବା ପାଇଁ ଅକ୍ଷମ ଅଟନ୍ତି। ଜିଲ୍ଲାରେ ବହୁ ପରିବାର ଏବେ ବି ଦୁଇ ବେଳା ଖାଦ୍ୟ ପାଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତି, ଯାହାର ହିସାବ କିମ୍ବା ରିପୋର୍ଟ ପ୍ରଶାସନ ନିକଟରେ ନାହିଁ। ଗୋଟିଏ ଦିଗରେ ସରକାର ଗରିବଙ୍କ ପାଇଁ ନାନା ଯୋଜନା ରହିଥିବା କହିବା ସହ କେହି ଭୋକିଲା ରହିବେ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ବାସ କରୁଥିବା ଗରିବରୁ ଅତି ଗରିବ ଲୋକଙ୍କ ଅବସ୍ଥା ଦେଖିଲେ କିପରି ସରକାରୀ ଯୋଜନା ଏଠାରେ ପହଞ୍ଚୁଛି, ତାହା ସହଜରେ ଅନୁମେୟ।