ଭୁବନେଶ୍ବର : ପୁଣି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି। ଚିନ୍ତାଜନକ କଥା ହେଲା, ଏହି ୪ ଜଣ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏବଂ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି କୁହାଯାଇଛି କି ନୂତନ ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ତିହିଡ଼ି ବ୍ଲକର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ୨ ଜଣ ଧାମନଗର ବ୍ଲକର ଅଧିବାସୀ।
2nd Health Update, 24th April, 2020
Four New Positive Cases in Bhadrak
40 Yrs Male, 29 Yrs Male, 41 Yrs Male & 24 Yrs Male
Two each from Tihidi and Dhamnagar Blocks.
(All West Bengal Returnees)
Contact tracing and followup action is being done.
Total Positive Cases: 94
— I & PR Department, Odisha (@IPR_Odisha) April 24, 2020
ନୁତନ ୪ ଆକ୍ରାନ୍ତଙ୍କ ସଂପର୍କରେ ଜଣାପଡ଼ିବା ପରେ ଭଦ୍ରକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ଏହି ଟୁଇଟରେ ସୂଚନା ଦିଆଯାଇଛି କି ଆଜିର ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୪୦ ବର୍ଷ, ୨୯ ବର୍ଷ,୪୧ ବର୍ଷ ଓ ୨୪ ବର୍ଷ। ଏହି ୪ ଜଣ ଯାକ କିଛିଦିନ ତଳେ ପଶ୍ଚିମବଙ୍ଗରୁ ଫେରିଥିଲେ। ବର୍ତ୍ତମାନ ପ୍ରଶାସନ ପକ୍ଷରୁ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଏଥିସହ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳରେ ସଂକ୍ରମଣକୁ ରୋକିବା ଲାଗି ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଧାମନଗର ବ୍ଲକର ୨ଟି ପଞ୍ଚାୟତରେ ୨ ଜଣ ଓ ତିହିଡିର ଦୁଇ ପଞ୍ଚାୟତରୁ ୨ ଜଣ ଚିହ୍ନଟ ହୋଇଥିବା ହେତୁ ଖୁବ୍ ଶୀଘ୍ର କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯିବ। ବର୍ତ୍ତମାନ ଘଟଣାସ୍ଥଳରେ ପ୍ରଶାସନ ଓ ପୁଲିସ ପହଞ୍ଚିଛନ୍ତି।
ଆଜି ସକାଳୁ ଭଦ୍ରକ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଜଣେ ୪୦ ବର୍ଷୀୟ ବ୍ୟକ୍ତି। ସେ ବାସୁଦେବପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ବାସିନ୍ଦା ହେବା ସହ ଜଣେ କଲିକତା ଫେରନ୍ତା ହୋଇଥିବାରୁ ବ୍ରାହ୍ମଣୀଗାଁ ଓ ଅରଣ୍ଡୁଆ ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦ ରହିଥିବା ବେଳେ ୩୩ ଜଣ ଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।