ଭିମସାର କୋଭିଡ୍‌ ଡାକ୍ତରଖାନାରେ ଆଉ ୪ ମୃତ

୩ ମାସରେ ଗଲାଣି ୧୬୧ ଜୀବନ; ଚିକିତ୍ସାକୁ ନେଇ ପ୍ରଶ୍ନ

ନିଅଣ୍ଟ ହେଉଛି ଆଇସିୟୁ, ବରିଷ୍ଠ ଡାକ୍ତରଙ୍କ ଦେଖା ନାହିଁ

ସମ୍ବଲପୁର : ଭିମ୍‌ସାର କୋଭିଡ ଡାକ୍ତରଖାନାରେ ଗୁରୁବାର ପୁଣି ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଝାରସୁଗୁଡ଼ାର ଜଣେ ୪୫ ବର୍ଷୀୟ ପୁରୁଷ, ୬୫ ବର୍ଷୀୟ ମହିଳା, ସୋନପୁରର ୬୦ ବର୍ଷୀୟ ପୁରୁଷ, ସୁନ୍ଦରଗଡ଼ର ୭୪ ବର୍ଷୀୟ ପୁରୁଷ ଅଛନ୍ତି।

ଏମାନଙ୍କୁ ମିଶାଇ ଗତ ୩ ମାସ ମଧ୍ୟରେ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୬୧ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଏହି ମୃତ୍ୟୁ ସଂଖ୍ୟାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏମିତିକି ଏଠାରେ ଚିକିତ୍ସା ଅବହେଳା ନେଇ ମଧ୍ୟ ସାଂଘାତିକ ଅଭିଯୋଗ ଉଠୁଛି। ସମ୍ବଲପୁର କୋଭିଡ୍‌ ହସ୍ପିଟାଲ ଭଳି ଭିମ୍‌ସାର କୋଭିଡ୍‌ ଡାକ୍ତରଖାନା ମଧ୍ୟ କେବଳ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭରସାରେ ଚାଲୁଛି ଏବଂ ଆବଶ୍ୟକ ସ୍ଥଳରେ ବିଶେଷଜ୍ଞମାନେ ଭିଡିଓ କଲ୍‌ରେ ଚିକିତ୍ସା କରୁଥିବା ନେଇ ଅଭିଯୋଗ ହେଉଛି। ସେଥିଲାଗି ମୃତ୍ୟୁ ସଂଖ୍ୟା ବଢ଼ୁଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଭିମ୍‌ସାର କର୍ତ୍ତୃପକ୍ଷଙ୍କ କହିବା କଥା ହେଲା, ପଶ୍ଚିମ ଓଡ଼ିଶାର ଅଧିକାଂଶ କୋଭିଡ୍‌ ଡାକ୍ତରଖାନା ବନ୍ଦ ହେଲାଣି। ସବୁ ଗୁରୁତର ରୋଗୀ ଏଠାରେ ଚିକିତ୍ସାଧୀନ ହେଉଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି। ଚିକିତ୍ସାରେ କୌଣସି ପ୍ରକାର ଅବହେଳା ହେଉନଥିବା କୁହାଯାଉଛି।

ସୂଚନାଯୋଗ୍ୟ ଭିମ୍‌ସାର କୋଭିଡ୍‌ ଡାକ୍ତରଖାନା ଖୋଲିବାର ୧୮ ଦିନ ପରେ ଅର୍ଥାତ ଅକ୍ଟୋବର ୩୦ ତାରିଖରେ ଏଠାରେ ଚିକିତ୍ସାଧୀନ ପ୍ରଥମ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଡିସେମ୍ବରରେ ସ୍ଥିତି ସର୍ବାଧିକ ଜଟିଳ ହୋଇଛି। ସମ୍ବଲପୁର କୋଭିଡ୍‌ ଡାକ୍ତରଖାନାରେ ଲଗାତାର ମୃତ୍ୟୁ ଯେଉଁଭଳି ଚିନ୍ତାର କାରଣ ହୋଇଥିଲା, ଭିମ୍‌ସାର କୋଭିଡ୍‌ ଡାକ୍ତରଖାନାରେ ସେହିଭଳି ସ୍ଥିତି ହେବା ନେଇ ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ସମ୍ବଲପୁର ସଦର ଡାକ୍ତରଖାନା ଆଇସିୟୁରେ ଲଗାତାର ମୃତ୍ୟୁ ପରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ ସ୍ଥିତି ସମୀକ୍ଷା କରିଥିଲେ। ଏଠାରେ ମଧ୍ୟ ସେହିଭଳି ସ୍ଥିତି ଉପୁଜିଲାଣି। ଅକ୍ଟୋବର ୧୨ ତାରିଖରେ ୧୦୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ଖୋଲିଥିଲା। ଏଥିରେ ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଅଛି। ୩୦ ଡାକ୍ତର, ୫୦ ନର୍ସ ଏବଂ ୫୦ ଆଟେଣ୍ଡାଣ୍ଟ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧା ସଂଖ୍ୟା ସଙ୍ଗରୋଧରେ ଥାଆନ୍ତି। ବାକି ଅଧାଙ୍କୁ ନେଇ କାର୍ଯ୍ୟ ହୋଇଥାଏ। ଆଜି ପର୍ଯ୍ୟନ୍ତ ଏହି ଡାକ୍ତରଖାନାରେ ସମୁଦାୟ ୯୧୦ ଜଣ ଚିକିତ୍ସିତ ହୋଇ ୭୪୯ ଜଣ ସୁସ୍ଥ ହୋଇଛନ୍ତି। ଭିମସାରରେ ବଡ଼-ବଡ଼ ବିଶେଷଜ୍ଞ ଡାକ୍ତର ଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଆଶା ରହିଥିଲା। ମାତ୍ର ଏହାର ବିପରୀତ ଏଠାରେ ମୃତ୍ୟୁ ସଂଖ୍ୟା ଲଗାତାର ବଢିବାରେ ଲାଗିଛି।

ରୋଗୀ ଓ ସଂପର୍କୀୟଙ୍କ ଅଭିଯୋଗ ଅନୁଯାୟୀ ଏଠାରେ ଡାକ୍ତରୀ ଛାତ୍ର, ଟ୍ୟୁଟର୍‌ ଓ କିଛି ସହଯୋଗୀ ପ୍ରଫେସରହିଁ ଚିକିତ୍ସା କରୁଛନ୍ତି। କିନ୍ତୁ ବିଶେଷଜ୍ଞ କେହି ଆସୁ ନାହାନ୍ତି। ଡାକ୍ତରଖାନା ଭିତରେ ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରବେଶର ଅନୁମତି ନାହିଁ। ଏଭଳି ସ୍ଥିତିରେ ରୋଗୀଙ୍କ ଆବଶ୍ୟକତା ପୂରଣ ନେଇ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣରେ ଅବହେଳା ହେଉଥିବା ଅଭିଯୋଗ ହେଉଛି। କୋଭିଡ୍‌ ଲକ୍ଷଣ ସହିତ କିଡ୍‌ନି, ଆଜ୍‌ମା, କର୍କଟ, ମଧୁମେହ ସମେତ ବିଭିନ୍ନ ପ୍ରକାର ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ କୋଭିଡ ଚିହ୍ନଟ ହୋଇ ଏଠାରେ ଭର୍ତ୍ତି ହେଉଛନ୍ତି। ଏଥିସହିତ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କ ଠାରେ କୋଭିଡ ପଜିଟିଭ୍‌ ହେଲେ ଏଠିକୁ ଆସୁଛନ୍ତି। ଯେଉଁ ମାନଙ୍କୁ ଅଚାନକ ଆଇସିୟୁର ଆବଶ୍ୟକତା ଥାଏ। ଏଠାରେ ଥିବା ଆଇସିୟୁ ତାଙ୍କ ଆବଶ୍ୟକତାକୁ ପୂରଣ କରିପାରେ ନାହିଁ। ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁରେ ସବୁ ବେଳେ ରୋଗୀ ଭର୍ତ୍ତି ହୋଇ ଥାଆନ୍ତି। ଏଥିଯୋଗୁଁ ଆଇସିୟୁ ଅଭାବରୁ ବି ରୋଗୀଙ୍କ ମୃତ୍ୟୁ ହେଉଥିବା ଆଶଙ୍କା କରାଯାଏ। ଅକ୍ଟୋବର ମାସରେ ଯେତେବେଳେ ସବୁଠି କୋଭିଡ୍‌ ଡାକ୍ତରଖାନା କାର୍ଯ୍ୟକ୍ଷମ ଥିଲା, ଏଠାରେ ଶହେ ଶଯ୍ୟା ସାଧାରଣ ଏବଂ ୨୦ ଶଯ୍ୟାର ଆଇସିୟୁ ଥିଲା। ବର୍ତ୍ତମାନ ଅଧିକାଂଶ କୋଭିଡ୍‌ ଡାକ୍ତରଖାନା ବନ୍ଦ ହେବା ପରେବି ଆଇସିୟୁ ଶଯ୍ୟା ବୃଦ୍ଧି କରାଯାଇ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ଟିମ ପଠାଯାଇ ମୃତ୍ୟୁର କାରଣ ଖୋଜିବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଦାବି କରିବା ଆରମ୍ଭ କଲେଣି।

ସମ୍ବନ୍ଧିତ ଖବର