ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀର ଭୟାବହତାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ସଂକ୍ରମଣରେ ସୁଧାର ଆସୁଥିବା ବେଳେ ମୃତ୍ୟୁହାର ଉପରେ ରୋକ୍ ଲାଗି ପାରୁନାହିଁ। ଚଳିତମାସରେ ୬ ଦିନ ମଧ୍ୟରେ ଜିଲ୍ଲାରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଗତ ୨୪ଘଣ୍ଟା ମଧ୍ୟରେ ଜଣେ ମହିଳାଙ୍କ ସମେତ ୪ ଜଣ ପ୍ରାଣ ହରାଇଛନ୍ତି। ୩ଜଣ କୋଭିଡ଼୍ରେ ଏବଂ ଜଣେ ଅଣକୋଭିଡ଼୍ରେ ମୃତ୍ୟୁବରଣ କରିଛନ୍ତି। କୋଭିଡ଼୍ରେ ମୃତକଙ୍କ ମଧ୍ୟରେ ଉଚ୍ଚରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡ଼ିତ ଜଣେ ୫୨ ବର୍ଷୀୟ ପୁରୁଷ ଓ ଜଣେ ୪୦ବର୍ଷୀୟ ପୁରୁଷ ଏବଂ ଯକ୍ଷ୍ମାରେ ପୀଡ଼ିତ ୫୫ ବର୍ଷୀୟ ପୁରୁଷ ଅଛନ୍ତି। ଅଣ କୋଭିଡ଼୍ରେ ଏକାଧିକ ରୋଗରେ ପୀଡ଼ିତ ଜଣେ ୪୫ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୮ରେ ପହଞ୍ଚିଛି। ଏଥିରୁ କୋଭିଡ୍ରେ ୧୨୦ଜଣ ଓ ଅଣକୋଭିଡ୍ରେ ୮ ଜଣଙ୍କ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ ଜିଲ୍ଲାରେ ଆଜି ୨୬୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା ୩୪ ଜଣ ଏବଂ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୩୪ ଜଣ ରହିଛନ୍ତି। ସଂକ୍ରମିତ କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରେ ଆସିକାର ୪ଜଣ, ବ୍ରହ୍ମପୁର ମହାନଗର, ସାନଖେମୁଣ୍ଡି ଓ ପୋଲସରାର ୨ଜଣ ଲେଖାଏଁ, ଭଞ୍ଜନଗରର ୩ଜଣ, ଛତ୍ରପୁରର ୫ଜଣ, ଗଞ୍ଜାମ, ଜଗନ୍ନାଥପ୍ରସାଦ, ପୁରୁଷୋତ୍ତମପୁର, ରଙ୍ଗେଇଲୁଣ୍ଡା ଅଞ୍ଚଳର ଜଣେ ଲେଖାଏଁ, ଖଲ୍ଲିକୋଟ ଓ ସୋରଡ଼ାର ୬ଜଣ ଲେଖାଏଁ ରହିଛନ୍ତି। ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକାର ୧୦ ଜଣ, ବେଲଗୁଣ୍ଠା, ଦିଗପହଣ୍ଡି, ଶେରଗଡ଼ ଓ ଧରାକୋଟର ଜଣେ ଲେଖାଏଁ, ବ୍ରହ୍ମପୁର ମହାନଗରର ୪୭ଜଣ, ଭଞ୍ଜନଗରର ୯ଜଣ, ବୁଗୁଡ଼ାର ୬ଜଣ, ଛତ୍ରପୁରର ୧୪ଜଣ, ଚିକିଟିର ୨୨ଜଣ, ଗଞ୍ଜାମର ୨୧ଜଣ, ହିଞ୍ଜିଳିକାଟୁର ୧୭ଜଣ, ଜଗନ୍ନାଥପ୍ରସାଦର ୧୨ଜଣ, କବିସୂର୍ଯ୍ୟନଗରର ୪ଜଣ, ଖଲ୍ଲିକୋଟର ୫ଜଣ, କୁକୁଡ଼ାଖଣ୍ଡିର ୧୦ଜଣ, ପାତ୍ରପୁରର ୮ଜଣ, ପୁରୁଷୋତ୍ତମପୁର ୧୧ଜଣ, ରଙ୍ଗେଇଲୁଣ୍ଡାର ୯ଜଣ, ସାନଖେମୁଣ୍ଡିର ୧୬ଜଣ, ସୋରଡ଼ାର ୭ଜଣ ରହିଛନ୍ତି। ଅନ୍ୟାନ୍ୟ ଅଞ୍ଚଳର ୨ଜଣ ରହିଛନ୍ତି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଜିଲ୍ଲାରେ ସୁସ୍ଥହାର ୭୧.୩୭ ପ୍ରତିଶତ, ମୃତ୍ୟୁହାର ୦.୯୯ ଏବଂ ସଂକ୍ରମିତ ହାର ୨୭.୬୪ ପ୍ରତିଶତ ରହିଛି। ସେହିପରି ଆଜି ୨୯୦ ଜଣ ସୁସ୍ଥ ହୋଇଛନ୍ତି।