କୋରାପୁଟ ଡାକଡିଭିଜନରେ ଆଉ ୪ଜାଲ୍ ସାର୍ଟିଫିକେଟ ଚିହ୍ନଟ

ମାମଲା ରୁଜୁ କରାଯାଇ ସଂଦେହରେ ପଚାରା ଉଚାରା ଜାରୀ

ଜୟପୁର: ଏହାରି ମଧ୍ୟରେ ୨୨ଟି ଜାଲ ଶିକ୍ଷାଗତ ପ୍ରମାଣପତ୍ର କୋରାପୁଟ ଡିଭିଜନ୍ ଡାକ ବିଭାଗ ଅଧିନରେ ବାହାରିଥିବା ବିଭିନ୍ନ ପଦବୀ ପାଇଁ ଦାଖଲ କରିଥିବା ଡାକ ବିଭାଗ ଚିହ୍ନଟ କରିଥିଲେ।  ଏ ନେଇ କୋରାପୁଟ ଏସପି ଅଭିନବ ସୋନକରଙ୍କୁ  କୋରାପୁଟଡିଭିଜନ୍ ଡାକ ବିଭାଗର ଜୟପୁର ଠାରେ ଥିବା ବରିଷ୍ଠ ଅଧିକ୍ଷକ ତଥା ଅଇପିଓଏସ୍ ମନୋଜ ପ୍ରଗଡ଼ା ଅଭିଯୋଗପତ୍ର ଦେଇଥିଲେ। ଏହାର ନକଲ ଜୟପୁର ଏସଡିପିଓ ଓ ଜୟପୁର ଟାଉନଥାନାକୁ ଦେଇଥିଲେ। ସେଭଳି ଗତ କାଲି ଆଉ ୪ଜଣ ଆବେଦନକାରୀ ଦାଖଲ କରିଥିବା ପ୍ରମାଣପତ୍ର ବି ଜାଲ୍ ବୋଲି ପୁଣି ଚିହ୍ନଟ ହୋଇଛି। ଏହି ୪ଟି ସହ ୨୬ଟି ଜାଲ୍ ପ୍ରମାଣପତ୍ର ଡାକ ବିଭାଗ ଚିହ୍ନଟ କରିଛି।

ମିଳିଥିବା ସୂଚନା ମୁତାବକ, କୋରାପୁଟ ଡିଭିଜନ୍ ଡାକ ବିଭାଗ ଅଧିନରେ ଥିବା ବିଭିନ୍ନ ଗ୍ରାମାଂଚଳର ୫୮ଟି ଗ୍ରାମୀଣ ଡାକସେବକ ପଦବୀ ନିଯୁକ୍ତି ପାଇଁ ଆବେଦନ ଆହ୍ବାନ କରାଯାଇଥିଲା। ଏହି କ୍ରମରେ ୩୨ଟି ପଦବୀ ପାଇଁ ଆବେଦନପତ୍ର ଆସିଥିଲା। ପ୍ରାଥମିକ ଯାଂଚ ବେଳେ ହିଁ ୫ଜଣ ଆବେଦନକାରୀ ଉପସ୍ଥିତ ହୋଇନଥିଲେ। ପରେ ଆସିଥିବା ୨୫ଜଣ ଆବେଦନକାରୀଙ୍କ ଆବେଦନପତ୍ର ପ୍ରାରମ୍ଭିକ ଯାଂଚ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଡିଜି ଲକର ଆପରେ ଯାଂଚ କରିବା ସମୟରେ ମାତ୍ର ୩ଜଣଙ୍କର ଠିକ ରହିଥିବା ବେଳେ ବଳକା ୨୨ଜଣ ଆବେଦନକାରୀଙ୍କର  ଜାଲ୍  ଶିକ୍ଷାଗତ ପ୍ରମାଣପତ୍ର ବୋଲି ଚିହ୍ନଟ ହୋଇଥିଲା। ସେଭଳି ଗତ କାଲି ଆସିଥିବା ୪ଜଣଙ୍କର ବି ଡିଜିଲକର ଆପ୍ ରେ ଯାଂଚ କରିବାରେ ଏହି ଶିକ୍ଷାଗତ ପ୍ରମାଣପତ୍ର ବି ଜାଲ୍ ବୋଲି ଡାକ ବିଭାଗ ଚିହ୍ନଟ କରିଛି।

ଚିହ୍ନଟ ହୋଇଥିବା ପ୍ରମାଣପତ୍ର ଗୁଡିକରେ ୧୭ଟି ଉତ୍ତର ପ୍ରଦେଶ ବୋର୍ଡ ଅଫ ହାଇସ୍କୁଲ ଏଣ୍ଡ ଇଣ୍ଟରମିଡିଏଟ୍ ଓ ୯ଟି ବୋର୍ଡ ଅଫ ସେକେଣ୍ଡରୀ ଏଜୁକେସନ୍ ଓଡିଶାର ଦାଖଲ ହୋଇଛି। ତେବେ ଉତ୍ତରପ୍ରଦେଶରେ ବି ଓଡିଆ ବିଷୟରେ ସର୍ବାଧିକ ମାର୍କ ରଖି ପାସ୍ କରିଥିବା ଦେଖି ବେଶି ପରିମାଣର ସଂଦେହ ଦେଖାଦେଇଥିବା କହିଛନ୍ତି ବରିଷ୍ଠ ଅଧିକ୍ଷକ ତଥା ଅଇପିଓଏସ୍ ମନୋଜ ପ୍ରଗଡ଼ା।  ତେବେ ଏହି ସ‌ଂଦେହକୁ ନେଇ ଡିଜିଲକରରେ ଯାଂଚ କରିବାରେ ଶିକ୍ଷାଗତ ପ୍ରମାଣପତ୍ର ଜାଲ୍ ବୋଲି ସ୍ପଷ୍ଟ ହେବା ପରେ ଏସପିଙ୍କୁ ଏ ନେଇ ଅବଗତ କରିଥିବା କହିଛନ୍ତି ବରିଷ୍ଠ ଅଧିକ୍ଷକ। ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବଲାଙ୍ଗୀର ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ରାକେଟ୍ ସହ ଏହି ଆବେଦନକାରୀ ମାନଙ୍କର ସଂପୃକ୍ତ ଥାଇପାରନ୍ତି ସେ ଏହା ମଧ୍ୟ ସଂଦେହ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ଅଧିକ୍ଷକ। ପ୍ରମାଣପତ୍ର ଦାଖଲ କରିଥିବା ଆବେଦନକାରୀଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା, କଳାହାଣ୍ଡି, ମୟୁରଭଂଜ, କନ୍ଧମାଳ, ନବରଙ୍ଗପୁର, ଓ ଭଦ୍ରକ ଅଂଚଳର ବି ଆବେଦନକାରୀ ରହିଛନ୍ତି।

ଏଭଳି ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରୀ ଆବେଦନ ସଂପର୍କରେ   କୋରାପୁଟ ଡିଭିଜନ୍ ବରିଷ୍ଠ ଅଧିକ୍ଷକ ଅଭିଯୋଗପତ୍ର ଏସପି ସୋନକରଙ୍କୁ ଦେବା ପରେ ସେ କୋରାପୁଟ ଟାଉନଥାନାରେ ଏ ନେଇ ଏକ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଥିବା କହିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସଂଦେହରେ କିଛି ଜଣଙ୍କୁ ଆଣି ପଚାରାଉଚାରା କରୁଛି ବୋଲି ଏସପି କହିଛନ୍ତି। ବଡ ଧରଣର ରାକେଟରେ ବହୁ ଜଣ ସାମିଲ ରହିଥିବା ଏବଂ ମାଷ୍ଠରମାଇଣ୍ଡକୁ ଧରିବାରେ ବାଧା ଉପୁଜିବା ସମ୍ଭାବନା ରହିଥିବାରୁ ସେ ଅଧିକା ସୂଚନା ଦେଲେ ଖସି ଯିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଏସପି।

 

ସମ୍ବନ୍ଧିତ ଖବର