ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରର ଆହୁରି ୪ଟି ଗେଟ୍ ଖୋଲାଯାଇଛି। ଗତକାଲି ୮ଟି ଗେଟ୍‌ ଖୋଲାଯାଇଥିବା ‌ବେଳେ ଆଜି ମଧ୍ୟାହ୍ନ ୧୨ଟାରୁ ୧୨ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି। ଆଜି ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୪୬ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡ‌ାରର ବାମ ପାର୍ଶ୍ବର ୮ଟି ଏବଂ ଡାହାଣ ପାର୍ଶ୍ବର ୪ଟି ଗେଟ୍ ‌ଦେଇ ୧୮୧,୯୨୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୫,୯୮୯ କ୍ୟୁସେକ୍ ପାଣି ମହାନଦୀକୁ ଛଡ଼ାଯାଇଛି। ଜଳସେଚନ ପାଇଁ କେନାଲଗୁଡ଼ିକରେ ୩,୩୭୩ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ୨୭୪ କ୍ୟୁସେକ୍ ପାଣି ଶିଳ୍ପସଂସ୍ଥାମାନଙ୍କୁ ଦିଆଯାଉଛି। ଜଳଭଣ୍ଡ‌ାରକୁ ୧,୦୧,୧୮୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨, ୨୧,୫୫୬ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି।