ଭୁବନେଶ୍ବର: ବିଜେଡି ଛାଡ଼ି ବିଜେପିରେ ମିଶିବା ଏବେ ୪ଜଣ ବିଧାୟକଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ ଏଥର ନିର୍ବାଚନରେ ଦଳୀୟ ଟିକେଟ୍ ନମିଳିବାରୁ ଦଳ ଛାଡ଼ିଥିବା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ବିଧାୟକ ପଦ ରଦ୍ଦ କରିବାକୁ ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଛନ୍ତି। ଏହି ୪ ବିଧାୟକ ବିଜେଡି ଛାଡ଼ି ଅନ୍ୟ ଦଳରେ ମିଶିଥିବାରୁ ସେମାନଙ୍କ ବିରୋଧରେ ଦଳ ବଦଳ ନିୟମ ଲାଗୁ କରି ବିଧାୟକ ପଦ ରଦ୍ଦ କରିବାକୁ ଶ୍ରୀ ମୁଦୁଲି ଆବେଦନରେ ଦର୍ଶାଇଛନ୍ତି।
ବିଜେଡିର ଅାବେଦନ ପରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବିଧାନସଭା ବାଚସ୍ପତିି ଦାଶରଥୀ ନାୟକ ଏହି ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କାହିଁକି ସେମାନଙ୍କ ବିଧାୟକ ପଦ ରଦ୍ଦ ହେବନି ସେନେଇ ମେ’ ୨୭ତାରିଖ ସୁଦ୍ଧା ପକ୍ଷ ରଖିବାକୁ କୁହାଯାଇଛି। ସେମାନେ ଉତ୍ତର ରଖିବା ପରେ କିମ୍ବା ନରଖିଲେ ବି ମେ’ ୨୮ରେ ବାଚସ୍ପତି ତାଙ୍କ ନିଷ୍ପତ୍ତି ଶୁଣାଇବେ ବୋଲି ଜଣାପଡ଼ିଛି। ପୂର୍ବରୁ ବିଜେଡିର ଦୁଇ ବିଧାୟକ ଜୟଦେବର ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକଙ୍କ ସଭ୍ୟ ପଦ ରଦ ହୋଇଛି। ହେଲେ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ନୀଳଗିରି ବିଧାୟକ ସୁକାନ୍ତ କୁମାର ପାଣିଗ୍ରାହୀ, ଖରିଆରର କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ସଭ୍ୟ ପଦ ରଦ୍ଦ ହୋଇନି। ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ବଦଳ ନିୟମ ଅନୁଯାୟୀ ସଭ୍ୟ ପଦ ରଦ୍ଦ ହେବାର ନିୟମ ଥିଲେ ବି ଏନେଇ ବିଧାୟକ ଯେଉଁ ଦଳରୁ ନିର୍ବାଚିତ ହୋଇଥିଲେ ସେହି ଦଳର ମୁଖ୍ୟ ସଚେତକଙ୍କୁ ବାଚସ୍ପତିଙ୍କ ନିକଟରେ ଆବେଦନ କରିବାକୁ ହେବ। ଏହା ଉପରେ ବାଚସ୍ପତି ବିଚାର କରି କାର୍ଯ୍ୟାନୁଷ୍ଠାନ ନିଅନ୍ତି। ଉଭୟ କଂଗ୍ରେସ ଓ ବିଜେପି ସେମାନଙ୍କ ଦଳ ଛାଡ଼ିଥିବା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ଆବେଦନ କରିନାହାନ୍ତି।