ଜୟପୁର: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅର୍ନ୍ତଗତ ବାମୁନିଗୁଡା ଗାଁରେ ୨୦୧୪ମସିହାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମନ ସାଙ୍ଗର୍ଭୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରାଜେଶ କୁମାର ନାୟର ବିଚାର କରିଛନ୍ତି। ଏହି ମାମଲାର ଅଭିଯୁକ୍ତ ଗୋବର୍ଦ୍ଧନ ମାଠପଡ଼ିଆ, ଦାମଧର ଦାସ, ଗଙ୍ଗାଧର ପାଙ୍ଗୀ , ଘନ କାର୍ତ୍ତିଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ରାୟ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ଗତ ୨୦୧୪ମସିହା ଜୁଲାଇ ୧୬ତାରିଖ ଦିନ କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଅଂଚଳର ବାମୁନିଗୁଡା ଗାଁର ସ୍ବର୍ଗତ ମନ ସାଙ୍ଗର୍ଭୀଙ୍କ ସହ ବଡଗୁଡା ନର୍ସରୀ ନିକଟରେ ଥିବା ମଦ ଦୋକାନ ନିକଟରେ ଅଭିଯୁକ୍ତ ଗୋବର୍ଦ୍ଧନ ମାଠପଡ଼ିଆ, ଦାମଧର ଦାସ, ଗଙ୍ଗାଧର ପାଢ଼ୀ, ଘନ କାର୍ତ୍ତିଙ୍କ ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ସେଠାରେ ଏହି ୪ଅଭିଯୁକ୍ତ ଜୀବନରେ ମାରିବାକୁ ଧମକ ମଧ୍ୟ ଦେଇଥିଲେ। ସେଠାରେ ମଦ ପିଇ ଚାଳି ଚାଳି ଗାଁକୁ ଆସୁଥିବା ବେଳେ ବାଟରେ ଏହି ଚାରି ଅଭିଯୁକ୍ତ ମଦବୋତଲରେ ମନ ସିଂଗର୍ଭୀଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। କାଚ ମୁଣ୍ଡରେ ବାଜିବା ପରେ ସେ ରକ୍ତାକ୍ତ ହୋଇ ପଡ଼ିଥିଲେ। ମନକୁ ଚାରିଜଣ ବୋହି ଆଣି ଡମନାୟକଗୁଡା ନିକଟରେ ଥିବା ଘାଟଡଙ୍ଗର ଜଙ୍ଗଲ ମଧ୍ୟରେ ପିଙ୍ଗି ଦେଇଥିଲେ। ମୃତ ମନଙ୍କ ପତ୍ନୀ ବହୁ ଖୋଜାଖୋଜି କରିବା ପରେ ବୈପାରିଗୁଡା ଥାନାରେ ନିଖୋଜ ସଂପର୍କୀତ ଏତଲା ଦେଇଥିଲେ। ଘଟଣାର ୨୦ଦିନ ପରେ ଘାଟ ଡଙ୍ଗର ଜଙ୍ଗଲ ଅଂଚଳରେ ଦୁର୍ଗନ୍ଧ ହୋଇଥିଲା। ଗାଁ ଲୋକଙ୍କ ସୂଚନାରେ ପୁଲିସ ଘଟଣାସ୍ଥଳରୁ ମନଙ୍କ ଗଳିତ ଶବକୁ ଉଦ୍ଧାର କରିବା ସହ ଚିହ୍ନଟ କରିଥିଲେ।
ନିଖୋଜ ମାମଲାକୁ ନେଇ ତଦନ୍ତ ଆରମ୍ଭ କରି ପୁଲିସ ହତ୍ୟା ମାମଲା ରୁଜୁ କରିଥିଲେ। ତା ପରେ ଚାରି ଅଭିଯୁକ୍ତ ଗୋବର୍ଦ୍ଧନ, ଦାମଧର, ଗଙ୍ଗାଧର , ଘନଙ୍କୁ ଗିରଫ କରି ପଚାରାଉଚାରା କରିବାରେ ହତ୍ୟା କରିଥିବା ସଂପର୍କରେ ପୁଲିସ ନିକଟରେ ଅଭିଯୁକ୍ତ ମାନେ ସ୍ବୀକାର କରିଥିଲେ। ଏହି ୪ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨ , ୨୦୧ ଓ୩୪ ରେ ଗିରଫ କରି ପୁଲିସ କୋର୍ଟକୁ ଚାଳାଣ କରିଥିଲେ। ଏହି ମାମଲାର ବିଚାରଚାଳିଥିବା ବେଳେ ୨୪ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆଜି ମାନ୍ୟବର କୋର୍ଟ ରାୟ ପ୍ରକାଶ କରି ୪ଅଭିଯୁକ୍ତ ଗୋବର୍ଦ୍ଧନ, ଦାମଧର, ଗଙ୍ଗାଧର, ଘନଙ୍କୁ ଆଇପିସିର ଦଫା ୩୦୨ରେ ଆଜୀବନକାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଆଉ ୨ବର୍ଷ କାରାଦଣ୍ଡରେ ରହିବେ । ଏହା ସହ ଦଫା ୨୦୧ରେ ୫ବର୍ଷ ସଶ୍ରମକାରାଦଣ୍ଡ ସହ ୧୦ହଜାର ଜରିମାନା ଦେବାକୁ ମାନ୍ୟବର କୋର୍ଟ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୪ମାସ କାରାଦଣ୍ଡ ଅଧିକା ଭୋଗିବେ। ଉଭୟ ଦଫାର ଦଣ୍ଡ ମିଳିତ ଭାବେ ହେବ ବୋଲି ଅତିରିକ୍ତ ଜିଲ୍ଲା ଓଦୌରାଜଜ୍ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଶଶୀଧର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।