ଫୁଲବାଣୀ/ ତୁମୁଡ଼ିବନ୍ଧ : ମାଓ ଦମନରେ କନ୍ଧମାଳ ପୁଲିସକୁ ପୁଣିଥରେ ବଡ଼ ସଫଳତା ମିଳିଛି। ତୁମୁଡ଼ିବନ୍ଧ ନିକଟ ସିର୍ଲା ଜଙ୍ଗଲରେ ଯବାନଙ୍କ ସହ ଗୁଳି ବିନିମୟରେ ୪ ଜଣ କେକେବିଏନ୍‌ ଡିଭିଜନ୍‌ର ହାର୍ଡ଼କୋର୍ ତଥା କ୍ୟାଡର୍ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ମାଓବାଦୀ ରହିଥିବା ଜଣାପଡ଼ିଛି। କ୍ୟାମ୍ପ୍‌ରୁ ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ବେଳେ କମ୍ବିଂ ଅପରେସନ୍‌କୁ ‌ଜୋର୍‌ଦାର୍ କରାଯାଇଛି।

Advertisment

publive-image

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏସ୍‌ଓଜି ଓ ଡିଭିଏଫ୍‌ ଯବାନମାନେ ସିର୍ଲା ଜଙ୍ଗଲରେ କମ୍ବିଂ ଅପରେସନ୍ କରୁଥିବାବେଳେ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହାର ଜବାବରେ ଏସ୍‌ଓଜିଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ଘଣ୍ଟାଏ କାଳ ଗୁଳି ବିନିମୟ ହୋଇଥିଲା। ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଆଡ଼କୁ ପଳାଇଥିଲେ। ଆଜି ସକାଳେ ପୁଣି ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ସମୟରେ ମାଓ କ୍ୟାମ୍ପ୍ ଠାବ କରାଯାଇଥିଲା। ସେଠାରୁ ୪ଟି ବନ୍ଧୁକ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଥିଲା। ଆଉ କ୍ୟାମ୍ପ୍‌ଠାରୁ କିଛି ଦୂରରେ ୪ ଜଣ ହାର୍ଡ଼କୋର୍ ମାଓବାଦୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୁଳି ବିନିମୟ ସମୟରେ ଏମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି କେରାବାଲି ଓ କ୍ଲାଉଡଙ୍ଗା ଅଞ୍ଚଳରେ ମଧ୍ୟ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଏହି କ୍ୟାମ୍ପରେ ୩୫ରୁ ୪୦ ମାଓବାଦୀ ଥିଲେ। ଜବତ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ମଧ୍ୟରେ ‌୩ଟି ଏସ୍‌ଏଲ୍‌ଆର୍, ଗୋଟିଏ ଇନ୍‌ସାସ୍ ରାଇଫଲ୍, ୫ଟି ‌ସୋଲାର ପ୍ଲେଟ୍‌, ୪ଟି ରେଡିଓ ସେଟ୍‌, ୧୧ଟି ଛତା, ଗୋଟିଏ ୧୨ ଭୋଲ୍‌ଟର ବ୍ୟାଟେରି, ୫ଟି ୱାଟର ଜାର୍, ବିପୁଳ ପରିମାଣର ଔଷଧ, ଡାଇବେଟିସ୍‌ ଟେଷ୍ଟିଂ କିଟ୍, ବିଦ୍ୟୁତ ତାର, ମାଓ ପୁସ୍ତିକା, ୱାକିଟକି, ଇନଭର୍ଟର ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ରହିଛି।

ଆଜି ସକାଳେ କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସିଂ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧାନ କରିଥିଲେ। ପରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଥିଲା। ପୁଲିସ ମହାନିର୍ଦ୍ଦେଶକ ଅଭୟ, ଆଇଜି (ଅପରେସନ) ଅମିତାଭ୍ ଠାକୁର, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗୁଇନ୍ଦା ନିର୍ଦ୍ଦେଶକ ଆର୍‌.କେ ଶର୍ମା ପ୍ରମୁଖ ଫୁଲବାଣୀରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ମାଓବାଦୀଙ୍କ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ମୃତ ୪ ମାଓବାଦୀଙ୍କ ପରିଚୟ ମିଳିପାରି ନଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି। ଏବେ ବି ଜଙ୍ଗଲରେ କମ୍ବିଂ ଅପରେସନ୍ ଚାଲଛି।